୧୪ ଜୁଲାଇ ଅପରାହ୍ନ ୨ ଟା ୩୫ରେ ଲଞ୍ଚ୍ ହେବ ଚନ୍ଦ୍ରୟାନ-୩, ଘୋଷଣା କଲା ଇସ୍ରୋ

1 min read

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରୟାନ ୩ର ଲଞ୍ଚିଙ୍ଗ୍ ତାରିଖ ଘୋଷଣା କରିଛି । ଏହାର ସୂଚନା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି । ଟ୍ୱିଟରେ ଇସ୍ରୋ କହିଛି ଯେ ଚନ୍ଦ୍ରୟାନ-୩କୁ ୧୪ ଜୁଲାଇ ଅପରାହ୍ନରେ ଲଞ୍ଚ୍ କରାଯିବ । ଇସ୍ରୋ ନିଜ ଟ୍ୱିଟରେ ଲେଖିଛି ଯେ, ଚନ୍ଦ୍ରୟାନ-୩ର ପ୍ରକ୍ଷେପଣ ନେଇ ଘୋଷଣା । ଏଲଭିଏମ୩-ଏମ୪/ଚନ୍ଦ୍ରଯାନ-୩ ମିଶନର ଲଞ୍ଚିଙ୍ଗ୍ ଏବେ ନିର୍ଦ୍ଧାରିତ ହୋଇଛି । ଏହାକୁ ଏସଡିଏସସି, ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ ।

ସେହିପରି ଚନ୍ଦ୍ରୟାନ-୩ ମିଶନକୁ ନେଇ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି, ଇସ୍ରୋ ୨୩ ଅଗଷ୍ଟ ବା ୨୪ ଅଗଷ୍ଟରେ ଜହ୍ନରେ ସଫ୍ଟ ଲ୍ୟାଣ୍ଡିଂ କରିବାର ପ୍ରୟାସ କରିବ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଚନ୍ଦ୍ରୟାନ-୩ ୧୩ ତାରିଖରେ ଲଞ୍ଚ୍ ହେବା ନେଇ ଘୋଷଣା କରିଥିଲେ । ହେଲେ ଆଜି ୧୪ ତାରିଖରେ ଲଞ୍ଚ୍ ନେଇ ତାରିଖ ନିର୍ଦ୍ଧାରିତ କରାଯାଇଛି । ଏହା ପୂର୍ବରୁ ଇସ୍ରୋ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରେ ବୁଧବାର ଚନ୍ଦ୍ରୟାନ-୩ ମହାକାଶଯାନକୁ ନିଜର ନୂଆ ପ୍ରକ୍ଷେପଣ ରକେଟ ଏଲଭିଏମ-୩ ସହ ଯୋଡ଼ିଥିଲା । ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଉପକରଣ ଓହ୍ଲାଇବା ଏବଂ ଏହାକୁ ଅନ୍ୱେଷଣ କାର୍ଯ୍ୟକଳାପ କରାଇବା ପାଇଁ ଚନ୍ଦ୍ରୟାନ-୨ ପରେ ଚଳିତ ମାସରେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ ।