ଓଭାଲ: ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିଅନସପିର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇଛି । ଆଜି ଆପରାହ୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ମୁକାବିଲା ଆରମ୍ଭ ହୋଇଛି । ଭାରତ ଟସ୍ ଜିତି ବୋଲିଂ କରୁଛି । ସେହିପରି ଆହ୍ୱାନକ୍ରମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ବାଲେଶ୍ୱରର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଟ୍ରାଜେଡି ଘଟଣାକୁ ଫାଇନାଲରେ ମନେପକାଇଛନ୍ତି ସମସ୍ତେ । ମ୍ୟାଚ୍ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମସେତ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦୁଇ ଦେଶର ଖେଳାଳି ମୃତକଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ବାହାନଗା ଦୁର୍ଘଟଣାରେ ମୃତକଙ୍କ ପ୍ରତି ସମ୍ମାନ ଜଣାଇ ଉଭୟ ଦେଶର ଖେଳାଳି ଏବଂ ଅମ୍ପାୟାର କଳା ଆର୍ମ ବ୍ୟାଣ୍ଡସ ପିନ୍ଧିଛନ୍ତି ।
ଜେଲରେ ସ୍ବାମୀଙ୍କୁ ଦେଖି ଗର୍ଭବତୀ ପତ୍ନୀଙ୍କ ମୃତ୍ୟୁ
ଭାଗଲପୁର: ଜେଲରେ ଥିବା ସ୍ବାମୀଙ୍କୁ ଭେଟିବାକୁ ଯାଇ ସ୍ତ୍ରୀ ମୃତ । ସ୍ବାମୀଙ୍କୁ ଦେଖିବା ମାତ୍ରେ ବେହୋସ ହୋଇଗଲେ ପତ୍ନୀ । ଏହା ପରେ ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏମିତି କିଛି ଖବର ଆସିଛି ବିହାର ଭାଗଲପୁରରୁ । ପତ୍ନୀ ୮ ମାସର ଗର୍ଭବତୀ ଥିଲେ । ୨୭ ଜୁନରେ ତାଙ୍କର ଡେଲିଭରୀ ହେବାର ଥିଲା । ଏହି ଘଟଣାରେ ମହିଳାଙ୍କ ଦିଅର ପୋଲିସ୍ ପ୍ରଶାସନକୁ ଦୋଷ ଦେଇଛନ୍ତି ।
ସୂଚନା ଅନୁସାରେ, ଘଟଣାଟି ଗତ ୬ ତାରିଖ ଭାଗଲପୁର କେନ୍ଦ୍ରୀୟ କାରାଗାରରେ ଘଟିଛି । ଭାଗଲପୁରରେ ରହୁଥିବା ଗୁଡୁ ଯାଦବଙ୍କ ବିବାହ ୨ ବର୍ଷ ପୂର୍ବରୁ ହୋଇଥିଲା । ପଲ୍ଲବୀ ଏବଂ ଗୁଡୁ ପ୍ରେମ ବିବାହ କରିଥିଲେ । ପଲ୍ଲବୀ ୮ ମାସର ଗର୍ଭବତୀ ଥିଲେ । ହତ୍ୟା କରିବା ପ୍ରୟାସରେ ଗୁଡୁ ଜେଲରେ ଥିଲା ।
ପତ୍ନୀ ତାଙ୍କୁ ଜେଲରେ ଭେଟିବାକୁ ଯାଇଥିଲେ । ଗୁଡୁଙ୍କୁ ଦେଖିବା କ୍ଷଣି ପଲ୍ଲବୀ ବେହୋସ ହୋଇଯାଇଥିଲେ । ପଲ୍ଲବୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନୁରାଗ ଠାକୁରଙ୍କ ନିକଟରେ ୫ ଦାବି ରଖିଲେ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି କୁସ୍ତିଯୋଦ୍ଧା । ସେହି ଦାବିଗୁଡିକ ହେଲା ଜଣେ ମହିଳା ହୁଅନ୍ତୁ ରେସଲର ଫେଡେରେସନ ସଭାପତି । ବର୍ତ୍ତମାନର ସଭାପତି ବ୍ରିଜ ଭୂଷଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସଂଘରେ ସାମିଲ କରାନ ଯାଉ ।
ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ ହେଉ । ଗତ ଏପ୍ରିଲ ୨୮ରେ ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ । ଏହା ସହ ରେସଲର ଫେଡେରେସନ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଉ । ଆଜି କେନ୍ଦ୍ର କ୍ରୀଡ଼଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ରେସଲରମାନଙ୍କ ହୋଇଛି ଆଲୋଚନା ।
ଆନ୍ଦୋଳନରେ କୁସ୍ତିଯୋଦ୍ଧାଙ୍କ ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଚାଷୀ ନେତା ରାକେଶ ଟିକାଏତ ଆଜି ଅନୁରାଗଙ୍କ ସହ ଆଲୋଚନା କରିଛନ୍ତି । ରେସଲରମାନଙ୍କ ବିଭିନ୍ନ ଦାବି ପ୍ରସଙ୍ଗରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଅନୁରାଗ । ଗତ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରେସଲରମାନେ ଆଲୋଚନା କରିଥିଲେ ।
ଏହି ସାକ୍ଷାତ ପରେ ପୁନିଆ କହିଥିଲେ- ରେସଲର ସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନର ଅନ୍ତ ଘଟିନାହିଁ । ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିବ । କେନ୍ଦ୍ରମନ୍ତ୍ରୀ ଶାହଙ୍କ ସହ ଆଲୋଚନା କରିଥିଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସଙ୍ଗୀତ ଫୋଗଟ ପ୍ରମୁଖ । ସେପଟେ ବିକେୟୁ ନେତା ରାକେଶ ଟିକାଏତ କହିଥିଲେ- ରେସଲରମାନଙ୍କ ଆନ୍ଦୋଳନକୁ ବିକେୟୁର ସମର୍ଥନ ଜାରି ରହିବ । ଗତ ଶୁକ୍ରବାର କୁରୁକ୍ଷେତ୍ରରେ ଚାଷୀଙ୍କ ମହାପଞ୍ଚାୟତ ହୋଇଥିଲା ଏବଂ ବ୍ରିଜ ଭୂଷଣ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଥିଲା ।
ପୁଣି ଟ୍ରେନ୍ ଦୁର୍ଘଟଣା: ଲାଇଚ୍ୟୁତ ହେଲା ଏଲପିଜି ବୋଝେଇ ମାଲବାହୀ ଟ୍ରେନ
ଜବଲପୁର: ରେଳବାଇର ପିଛା ଛାଡୁନି ଦୁର୍ଘଟଣା । ମଧ୍ୟପ୍ରଦେଶ ଜବଲପୁରରେ ଲାଇନଚ୍ୟୁତ ହୋଇଛି ଏକ ଏଲପିଜି ବୋଝେଇ ମାଲବାହୀ ଟ୍ରେନ । ଏକ ଗ୍ୟାସ ଫାକ୍ଟରୀରେ ଗ୍ୟାସ ବୋଝେଇ ରେକଗୁଡିକୁ ଖାଲି କରିବା ଲାଗି ଯାଉଥିବାବେଳେ ଏହାର ଦୁଇଟି ରେକ୍ ଲାଇନଚ୍ୟୁତ ହୋଇଥିଲା । ଜବଲପୁରର ଶାହାପୁରା ଭିତୋନି ଷ୍ଟେସନ ଅନ୍ତର୍ଗତ ଭାରତ ପେଟ୍ରୋଲିୟମ ଡିପୋରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ରେଳବାଇ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।
ବାହାନଗା ଷ୍ଟେସନରେ ପୁଣି ସିବିଆଇ ଟିମ୍, ଟିକିନିଖି ତଥ୍ୟ ଖୋଜୁଛି ତଦନ୍ତକାରୀ ଟିମ୍
ବାଲେଶ୍ବର: ବାହାନଗା ଷ୍ଟେସନରେ ପୁଣି ସିବିଆଇ ଟିମ୍ । ଦୁର୍ଘଟଣାର ଟିକିନିଖି ତଥ୍ୟ ଖୋଜୁଛି ତଦନ୍ତକାରୀ ଟିମ୍ । ଆଜି ଷ୍ଟେସନରେ ପହଞ୍ଚି ଅନୁଧ୍ୟାନ କରୁଛି ସିବିଆଇ । ଗତକାଲି ଦିନ ଓ ରାତି ଦୁର୍ଘଟଣାସ୍ଥଳ ସମେତ ବାହାନଗା ଷ୍ଟେସନରେ ଯାଞ୍ଚ କରିଥିଲା ଟିମ୍ । ଷ୍ଟେସନ ମାଷ୍ଟର ଓ ଗାର୍ଡଙ୍କୁ ଉତ୍ତର କ୍ୟାବିନରେ ପଚରାଉଚରା କରାଯାଇଛି ।
ରେଲଓ୍ବେ ଗୋଷ୍ଟ ହାଉସରେ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିଛି ସିବିଆଇ ଟିମ୍ । କାଲି ଦିନ ତମାମ ଟ୍ରେନ ଟ୍ରାକ୍ ଦେଖିବା ସହ କ୍ଷତିଗ୍ରସ୍ତ ବଗିର ସ୍ଥିତି ଅନୁଧ୍ୟାନ କରିଥିଲେ । ପାଖରେ ଥିବା ଗେଟର ସିଗନାଲ ରୁମକୁ ଯାଇ ସିଗନାଲ ମ୍ୟାନକୁ ପଚରାଉଚରା କରିଥିଲେ । ପରେ ବାହାନଗା ଷ୍ଟେସନ ମ୍ୟାନେଜର ରୁମରେ ଛାନବିନ୍ କରିଥିଲା ସିବିଆଇ।
ସିଗନାଲ ପାଇଁ ବ୍ୟବହାର କରାଯାଉଥିବା ସମସ୍ତ ଟେକ୍ନୋଲୋଜି ଯାଞ୍ଚ କରିବା ସହ ମ୍ୟାନେଜରଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା । ଦୁର୍ଘଟଣା ମନୁଷ୍ୟକୃତ୍ୟ ନା ଯାନ୍ତ୍ରିକ ତ୍ରୁଟି, ତାର ଖିଅ ଖୋଜୁଛନ୍ତି ତଦନ୍ତକାରୀ ଟିମ୍ ।
ଯେକୌଣସି ସମୟରେ ଖୋଲିବ ହୀରାକୁଦ ଗେଟ୍, ଆରମ୍ଭ ହେଲା ମକଡ୍ରିଲ
ସମ୍ବଲପୁର: ଯେକୌଣସି ସମୟରେ ଖୋଲିବ ହୀରାକୁଦ ଗେଟ୍ । ଚଳିତ ବର୍ଷା ସିଜିନରେ ଯେକୌଣସି ସମୟରେ ଖୋଲିବ ହୀରାକୁଦ । ଏହି ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ମକଡ୍ରିଲ୍ । ଗେଟ୍ ଖୋଲିବା ସମୟରେ କୌଣସି ଅସୁବିଧା ଦେଖାନଦେବା ସହ ବନ୍ୟା ପରିଚାଳନା ଠିକ୍ ଭାବରେ ହୋଇପାରିବ, ସେନେଇ ମକଡ୍ରିଲ ଆରମ୍ଭ ହୋଇଛି ।
ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୩.୧୦ ଫୁଟ ରହିଛି । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧୦୧୯ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ, ବିଭିନ୍ନ କେନାଲ ଦେଇ ୭୮୩୦ ଘନଫୁଟ ଜଳ ନିଷ୍କାସନ ହେଉଛି ।
୩୦ ଫୁଟ ତଳେ କୁନି ଝିଅ ସୃଷ୍ଟି, ଚାଲିଛି ରେସ୍କ୍ୟୁ ଅପରେସନ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସିହୋରରେ ଅପରେସନ ଜିନ୍ଦେଗୀ । ୨ଶହ ଫୁଟର ଗର୍ତ୍ତରେ ଫସି ରହିଛି ତିନି ବର୍ଷର ଶିଶୁ ସୃଷ୍ଟି। ୨୦ ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଜାରି ରହିଛି । ୨ଶହ ଫୁଟ ଗର୍ତ୍ତର ପ୍ରାୟ ୩୦ ଫୁଟ ତଳେ ସୃଷ୍ଟି ଫସି ରହିଥିବା ଜଣାପଡ଼ିଛି ।
ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ସହ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି । ଜେସିବି ମେସିନ ସାହାଯ୍ୟରେ ଗର୍ତ୍ତ ପାର୍ଶ୍ବରେ ଖନନ ଜାରି ରହିଥିବା ବେଳେ ଭାଇବ୍ରେସନ ଯୋଗୁ ଶିଶୁ କନ୍ୟା ତଳକୁ ଖସି ଯାଉଥିବା ସୂଚନା ମିଳିଛି । ପାଇପ ଯୋଗେ ସୃଷ୍ଟିକୁ ଅକ୍ସିଜେନ ସପ୍ଲାଏ କରାଯାଉଛି ।
ପାକିସ୍ତାନ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’, ୧୭୦ କିମି ବେଗରେ ପବନ ବହିବା ଆଶଙ୍କା
ଭୁବନେଶ୍ବର: ଅତି ଭୟଙ୍କର ବାତ୍ୟାରେ ପରିଣତ ହେବାରେ ଲାଗିଛି ସାଇକ୍ଲୋନ ‘ବିପର୍ଯ୍ୟୟ’ । ଆରବ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ଉତ୍ତର ପଶ୍ଚିମ ଦିଗରେ ପାକିସ୍ତାନ ଆଡକୁ ଗତି କରୁଥିବା ସୂଚନା ମିଳିଛି । ବାତ୍ୟାର ପ୍ରଭାବରେ ଘଣ୍ଟାପ୍ରତି ୧୭୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।
ଆସନ୍ତା ୮ରୁ ୧୦ ତାରିଖ ଯାଏ ଏହାର ପ୍ରଭାବ ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପରେ ପଡିବା ଆଶଙ୍କା ରହିଛି । ଏହାସହ ଆସନ୍ତା ୧୦ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବାଂଲାଦେଶର ନାମକରଣ ଅନୁସାରେ ଚଳିତ ଥରର ଏହି ବାତ୍ୟାର ନାମ ରହିଛି ବିପର୍ଯ୍ୟୟ । ତେଣେ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ସିଲଭର ଜୁବଲି ଉତ୍ସବକୁ ବାତିଲ କରିଛି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି । ଆସନ୍ତା ଶୁକ୍ରବାର ଅହମ୍ମଦନଗରରେ ଏହି ଉତ୍ସବ ପାଳନ ହେବାର କାର୍ଯ୍ୟକ୍ରମ ରହିଥିଲା ।
ଆସନ୍ତା ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ମୌସୁମୀ ପାଇଁ ପାଗ ଅନୁକୂଳ ନେଇ ମିଳିଛି ସୂଚନା । କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ବାୟୁର ସକ୍ରିୟତା ଏହି ସୂଚନା ଦେଉଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆଇଏମଡି ଦେଇଛି ସୂଚନା ।
ଗାଁ ଦାଣ୍ଡରେ ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଗାଁ ଲୋକେ, ଭାଇରାଲ ହେଲା ଭିଡିଓ
ସୁବର୍ଣ୍ଣପୁର: ପୋଲିସକୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ । ଭିଡିଓ ହେଉଛି ଭାଇରାଲ୍ । ସୁବର୍ଣ୍ଣପୁର ସୁବଳୟା ଥାନା ତିଲେଇମାଳକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି।
ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ସୁବଳୟା ଥାନାରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତ କରିବାକୁ ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ଯାଇଥିଲେ । ଉଭୟ ପରିବାରକୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ୭ ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

