ୱାର୍କିଂ କମିଟି ବୈଠକରେ ଶରଦଙ୍କ ରଣହୁଙ୍କାର, କହିଲେ ମୁଁ ହିଁ ଏନସିପିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିବାଦ ଜାରି ରହିଛି । ଏନସିପିରେ ଅଧିକାର ପାଇଁ ଉଭୟ ଦାଦା ଓ ପୁତୁରାଙ୍କ ମଧ୍ୟରେ ରାଜନୈତିକ ଲଢ଼େଇ ଚାଲିଛି । ଗୋଟିଏ ପଟେ ଏନସିପି ଅଧ୍ୟକ୍ଷ ଶରଦ ପୱାର କହୁଛନ୍ତି ସେ ଦଳ ଗଠନ କରିଥିଲେ ଏବଂ କର୍ମୀମାନେ ମଧ୍ୟ ତାଙ୍କ ସହ ଅଛନ୍ତି ତେଣୁ ଦଳ ତାଙ୍କ ପାଖରୁ କେହି ନେଇପାରିବେ ନାହିଁ । ସେହିପରି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର କହୁଛନ୍ତି ତାଙ୍କ ସହ ଅଧିକ ବିଧାୟକ ଓ ସାଂସଦଙ୍କ ସମର୍ଥନ ରହିଛି ତେଣୁ ସେ ହିଁ ପ୍ରକୃତ ଦାବିଦାର ।  ଏମିତି କି ସେ ଗତକାଲି ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପୱାରଙ୍କୁ ହିଁ ହଟାଇ ଦେଇଥିଲେ ଏବଂ ନିଜକୁ ଅଧ୍ୟକ୍ଷ ବୋଲି ଘୋଷଣା କରିଥିଲେ ।

ହେଲେ ଶରଦ ମଧ୍ୟ ଛାଡିବାକୁ ନାରାଜ । ରାଜନୀତିର ଚାଣକ୍ୟ ଭାବେ ଜଣାଶୁଣା ଶରଦ ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅଜିତଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ସେ ବୈଠକରେ କହିଛନ୍ତି ମୁଁ ହିଁ ଏନସିପିର ଅଧ୍ୟକ୍ଷ ଅଟେ । ଅନ୍ୟ କେହି ଅଧ୍ୟକ୍ଷ ହୋଇଥିବା କଥା ଭୁଲ୍ । ଏପଟେ ଶରଦଙ୍କ ଏହି ବୈଠକକୁ ବେଆଇନ ବୋଲି କହିଛନ୍ତି ଅଜିତ ପୱାର । ଦିଲ୍ଲୀରେ ଶରଦ ପୱାରଙ୍କ ଆବାସରେ ହୋଇଥିବା ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶରଦ ପୱାରଙ୍କ ସହିତ ସୁପ୍ରିୟା ସୁଲେ, ସାଂସଦ ଫୌଜିୟା ଖାନ, ବନ୍ଦନା ଚୌହ୍ୱାଣ, ପିସି ଚାକୋ (କେରଳ ଅଧ୍ୟକ୍ଷ), ୟୋଗାନନ୍ଦ ଶାସ୍ତ୍ରୀ, ଜିତେନ୍ଦ୍ର ଆହ୍ୱାଡ, ବିରେନ୍ଦ୍ର ବର୍ମା (ହରିୟାଣା ଅଧ୍ୟକ୍ଷ) ମଧ୍ୟ ସାମିଲ ଥିଲେ ।

ଉଲ୍ଲେଖଯୋଗ୍ୟ, ଶରଦ ପୱାର ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସହ ରାଷ୍ଟ୍ରୀୟ କାର୍ଯ୍ୟ ସମିତି, ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟ ପାର୍ଟି ଅଧ୍ୟକ୍ଷଙ୍କ ବୈଠକ ଡକାଇଥିଲେ । ଶରଦ ପୱାର ଦିଲ୍ଲୀରେ ହୋଇଥିବା ବୈଠକ ପରେ ପାର୍ଟିର କେରଳ ଅଧ୍ୟକ୍ଷ ପିସି ଚାକୋ ପ୍ରେସ କନଫରେନ୍ସ କରି କହିଛନ୍ତି ଯେ ଏନସିପି ନୂଆ କାର୍ଯ୍ୟକାରିଣୀ କମିଟିର  ଚୟନ କରିନେଇଛି । ଦଳର ସମସ୍ତ ୨୭ ୟୁନିଟ କମିଟି ଶରଦ ପୱାରଙ୍କ ସହ ରହିଛି । ମହାରାଷ୍ଟ୍ରରେ ଦଳର ଗୋଟିଏ ବି କମିଟି ଅଜିତ ପୱାରଙ୍କ ସହ ନାହିଁ ।