ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ । ଦାବି ପୂରଣ ଲାଗି ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେଇଛି ସଂଘ । ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରେ ଯୋଗ ଦେବେ ରାଜ୍ୟର ସମସ୍ତ ଅଣ ଗେଜେଟେଡ ବନ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି ଅଣଗେଜେଟେଡ ବନ ସେବା ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ ମିଶ୍ର । ଆଜି ଅପରାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନ ସେବା ସଂଘର ବୈଠକ ବସିଥିଲା ।

କିଛି ଦାବି ପୂରଣ କରିବା ସହ ଆଉ କିଛି ଦାବି ପୂରଣ ଲାଗି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଯଦି ଦୁଇ ମାସ ମଧ୍ୟରେ ସରକାର ଦାବି ପୂରଣ ନ କରନ୍ତି, ତାହେଲେ ଆଗକୁ ଅଣ ଗେଜେଟେଡ ବନ ସେବା ସଂଘ ପୁନଶ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ୫ ଦଫା ଦାବି ନେଇ ଜୁନ ୧୯ ତାରିଖରୁ ରାଜ୍ୟର ୫୩୭୬ ଫରେଷ୍ଟଗାର୍ଡ, ୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ପ୍ରତୀକ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ କାର୍ଯ୍ୟରେ ଥାଇ ପାଟ୍ରୋଲିଂ ଡ୍ୟୁଟି ବନ୍ଦ କରିଥିଲେ ।