ଦଶମ ଦଳ ଭାବେ ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡସ

ନୂଆଦିଲ୍ଲୀ: ୫ ଅକ୍ଟୋବରରୁ ଭାରତରେ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପୂର୍ବରୁ ହିଁ ୯ଟି ଦଳ କ୍ୱାଲିଫାଏ କରିସାରିଛନ୍ତି । କେବଳ ଦଶମ ସ୍ଥାନ ଫାଙ୍କା ପଡ଼ିଥିଲା । ହେଲେ ଏହି ସ୍ଥାନ ଏବେ ଅଧିକାର କରିନେଇଛି ନେଦରଲ୍ୟାଣ୍ଡ କ୍ରିକେଟ ଦଳ । କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୪ ୱିକେଟରେ ପରାଜିତ କରିଛି ନେଦରଲ୍ୟାଣ୍ଡ । ଏହି ବିଜୟ ସହ ନେଦରଲ୍ୟାଣ୍ଡ ଦଳ ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିଛି । ସ୍କଟଲ୍ୟାଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା ।

ଏହାର ଜବାବରେ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବା ପାଇଁ ନିଜର ରନରେଟ୍ ଭଲ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ ସମ୍ପୂର୍ଣ୍ଣ ଜୋର ଲଗାଇଥିଲା । ନେଦରଲ୍ୟାଣ୍ଡ ଦଳ ୪୩ତମ ଓଭରରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି । ଏହା ପୂର୍ବରୁ ଶ୍ରୀଲଙ୍କା ଦଳ ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ନିଜ ସମସ୍ତ ମୁକାବିଲା ଜିତି ପୂର୍ବରୁ ହିଁ କ୍ୱାଲିଫାଏ ହୋଇସାରିଛି । ସ୍କଟଲ୍ୟାଣ୍ଡ ଦ୍ୱାରା ଦିଆଯାଇଥିବା ୨୭୮ ରନ୍ ଲକ୍ଷ୍ୟକୁ ପିଛା କରି ନେଦରଲ୍ୟାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୬୫ରନର ପାର୍ଟନରସିପ୍ ହୋଇଥିଲା ।