spot_img
Home Blog Page 3218

ସମ୍ବଲପୁରରୁ ହଟିଲା କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରୁ ହଟିଲା କର୍ଫ୍ୟୁ । ସହରରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୪ଟି ଥାନାରୁ କର୍ଫ୍ୟୁକୁ ହଟାଇ ଦିଆଯାଇଥିବାବେଳେ ଗତକାଲି ରାତି ୧୧ଟାରେ ପୁଣିଥରେ ଆଉ ଦୁଇଟି ଥାନା ଅଂଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେଉଥିବାବେଳେ ଓ କୌଣସି ଗଣ୍ଡଗୋଳ ଦେଖାନଦେବା ଫଳରେ ଜିଲ୍ଲା ପ୍ରଶାସନ ଏ ନିଷ୍ପତ୍ତି ନେଇଛି ।

ଜିଦରେ ଅଟଳ ରେସଲର, ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଜାରି । ବଢ଼ୁଛି ଦେଶର ଗୌରବଙ୍କ ପ୍ରତି ସମର୍ଥନ। ଯୋଦ୍ଧାଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଭିନ୍ନ ଦଳର ନେତା । ତେଣେ ଆନ୍ଦୋଳନକୁ ଦିଗହରା କରିବା ଲାଗି କେତେକ ମହଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସ୍ତିଯୋଦ୍ଧା । ସେପଟେ ଦିଲ୍ଲୀ ପୋଲିସ କୁସ୍ତି ଯୋଦ୍ଧାଙ୍କୁ ଯାଗା ଖାଲି କରିବାକୁ ନୋଟିସ କରିଛି । ଏଥିସହ ସେହି ସ୍ଥାନକୁ ବିଦ୍ୟୁତ ଓ ପାନୀୟ ଜଳର ଯୋଗାଯୋଗର ବିଛିନ୍ନ କରିଛି । ଯାହାକୁ ନେଇ ଖାଦ୍ୟ ଓ ପାନୀୟରେ କୁସ୍ତି ଯୋଦ୍ଧାଙ୍କୁ ବଡ଼ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିଛି ।

ସେପଟେ କୁସ୍ତି ଯୋଦ୍ଧାଙ୍କୁ ରାଜନୈତିକ ସମର୍ଥନ ମିଳୁଛି । ଜନ୍ତରମନ୍ତରସ୍ଥିତ ରେସଲରଙ୍କ ଧାରଣାସ୍ଥଳକୁ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ ମନମାନିକୁ ନେଇ ବର୍ଷିଥିଲେ । ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବି ଯୋଦ୍ଧାଙ୍କୁ ଜଣାଇଥିଲେ ସମର୍ଥନ । ବ୍ରିଜ ଭୂଷଣ ସଭାପତି ଥିବା ଯାଏ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି କହିଥିଲେ ପ୍ରିୟଙ୍କା । ସେହିପରି ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗୃହିତ ହୋଇଛି ଏକ ପ୍ରସ୍ତାବ । ନ୍ୟାୟ ମିଳିବା ଯାଏ ଆନ୍ଦୋଳନ ଚାଲିବ ବୋଲି ରେସଲର ସଂଘ ଚେତାବନୀ ଦେଇଥିବେଳେ ତଦନ୍ତର ସବିଶେଷ ବିବରଣୀ ଓ ଏପରିକି ନାବାଳିକା ଅଭିଯୋଗକାରିଣୀଙ୍କ ନାମ ଲିକ୍ ହୋଇଥିବା ଅଭିଯୋଗ କରିଛନ୍ତି ରେସଲର ।

ଛତିଶଗଡ଼ରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଆଜି ଦ୍ବିତୀୟ ପର୍ଯ୍ୟାୟରେ କରିବେ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର: ଛତିଶଗଡରେ ଟ୍ରିବ୍ୟୁନାଲ ଟିମ୍ । ଆଜି ଦ୍ବିତୀୟ ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସହ ବିଶେଷଜ୍ଞ ଉପସ୍ଥିତ ରହିବେ । ଉଭୟ ରାଜ୍ୟର ଜଳ ସଂପଦ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ଶିବ୍‌ରିନାରାୟଣ, କଲମା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ବୁଲି ଦେଖିବେ । ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ କଲମା ଗେଟ୍ ଖୋଲିଦେଇଥିଲା ଛତିଶଗଡ଼ । ଅଣମୌସୁମି ସମୟରେ ଗେଟ୍ ଖୋଲିବା ନେଇ ଅନେକ ପ୍ରଶ୍ନ ଉଠିଥିଲା ।

ବେଆଇନ ଭାବେ ଗଚ୍ଛିତ ପାଣି ଛାଡ଼ିଦେଲା କି ଛତିଶଗଡ଼ ସେନେଇ ଉଠିଥିଲା ପ୍ରଶ୍ନ । ମେ ୩ ଯାଏ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରି ଟିମ୍ । ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ପୁଣି ହୀରାକୁଦ ଡେଲଟା ଅଂଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ । ଆସନ୍ତା ମେ ୧୦ ତାରିଖ ପରେ ଡେଲଟା ପରିଦର୍ଶନ କରିବ ଟିମ୍ ।

ଲୁଧିଆନାରେ ଗ୍ୟାସ୍ ଲିକ୍, ୯ ମୃତ

ଲୁଧିଆନା: ଲୁଧିଆନା ଗ୍ୟାସପୁରାରେ ବଡ଼ ଅଘଟଣ । ଗ୍ୟାସ ଲିକ୍ ଯୋଗୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଚେତାଶୂନ୍ୟ ହୋଇଥିବା ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଗ୍ୟାସ୍ ଲିକର କାରଣ ଜଣାପଡ଼ିନାହିଁ ।

ଭାରତୀୟ ସେନାରେ ଝଟକିଲେ ମହିଳା, ପ୍ରଥମ ଥର ଲାଗି ରେଜିମେଣ୍ଟସ ଅଫ ଆର୍ଟିଲେରୀରେ ୫ ଅଫିସର ସ୍ଥାନୀତ

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମ ଥର ଲାଗି ରେଜିମେଣ୍ଟସ ଅଫ ଆର୍ଟିଲେରୀରେ ୫ ମହିଳା ଅଫିସରଙ୍କୁ ସ୍ଥାନିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚୀନ ସୀମା ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରେ ନିଯୁକ୍ତି ଦିଆଯାଇଛି । ଏହି ୫ ଜଣ ମହିଳା ହେଲେ ଲେଫ୍ଟନାଣ୍ଟ ମେହାକ ସାଇନି, ଲେଫ୍ଟନାଣ୍ଟ ସାକ୍ଷୀ ଦୁବେ, ଲେଫ୍ଟନାଣ୍ଟ ଆଦିତି ଯାଦବ, ଲେଫ୍ଟନାଣ୍ଟ ପିୟସ ମୁଦଗିଲ ଓ ଲେଫ୍ଟନାଣ୍ଟ ଆକାଂକ୍ଷା । ଚେନ୍ନାଇରେ ସେମାନେ ଅଫିସର୍ସ ଟ୍ରେନିଂ ଆକାଡେମିରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।

ଭାରତୀୟ ସେନାବାହିନୀର ଏକ ଲଢୁଆ ବାହିନୀ ହେଉଛି ରେଜିମେଣ୍ଟ ଅଫ ଆର୍ଟିଲେରୀ । ଏହାର ମୋଟ ୨୮୦ଟି ୟୁନିଟ ଥିବାବେଳେ ସେମାନେ ବୋଫର୍ସ ହାଓଜିର, ଧନୁଷ, ଏମ-୭୭୭ ହାଓଜିର ଓ କେ-୯ ବଜ୍ର ଆଦି ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥାନ୍ତି । ଏହି ସମସ୍ତ ଅସ୍ତ୍ରଶସ୍ତ୍ରର ସଫଳ ବ୍ୟବହାର କରିବା କ୍ଷେତ୍ରରେ ୫ ଜଣ ମହିଳା ଅଫିସର ସକ୍ଷମ ହୋଇଛନ୍ତି । ସେମାନଙ୍କ ନିଯୁକ୍ତି ଭାରତୀୟ ସେନା ଲାଗି ଉଦାହରଣ ପାଲଟିଛି । ବିଭିନ୍ନ ଆର୍ଟିଲେରି ୟୁନିଟରେ ମହିଳା ଅଫିସରଙ୍କୁ ସାମିଲ କରିବା ଲାଗି ଗତ ଜାନୁଆରୀରେ ଘୋଷଣା କରିଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନାରେ ମହିଳା ଅଫିସରଙ୍କୁ ନିଯୁକ୍ତି ପ୍ରକ୍ରିୟା ବିଗତ ୨୦୧୯ରୁ ଆରମ୍ଭ ହୋଇଛି ।

ଆସୁଛି ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ, ଆସନ୍ତାକାଲିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା:  କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । ୧ ମେ’ ରୁ ଜୁଲାଇ ୩୧ ଯାଏ କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଉଦ୍ୟାନରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ  ନିଷ୍ପତ୍ତି ନିଆଯାଇଛି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ । ଏହି ପ୍ରଜନନ ଋତୁ ସମୟରେ ଉଭୟ ପୁରୁଷ ଓ ମାଆ କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି । ଏହି ସମୟ ଭିତରେ ମାଆ କୁମ୍ଭୀର ଅଣ୍ଡା ଦାନ ପକ୍ରିୟା ଶେଷ କରିଥାନ୍ତି ।

ଉଭୟ ମାଆ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢେଇରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି । ନଦୀ କୂଳଠାରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି । ଏହି ବସାରେ ମାଆ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ଏହି ସମୟରେ ସେମାନଙ୍କର ପ୍ରଜନନ ପକ୍ରିୟା ଠୁଁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ପକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କୁ ବନ୍ଦ କରାଯାଇଛି ।

ଗଞ୍ଜେଇ ଖାଇବାକୁ ପଇସା ନଦେବାରୁ ବାପାକୁ ହତ୍ୟା କଲା ପୁଅ

ଆଠଗଡ଼: ଗଞ୍ଜେଇ ଖାଇବାକୁ ପଇସା ନଦେବାରୁ ବାପାକୁ ହତ୍ୟା କଲା ପୁଅ । ପୁଅ ହାତରେ ଗଲା ବାପର ଜୀବନ । ରଡରେ ପିଟିପିଟି ବୃଦ୍ଧ ବାପାକୁ ହତ୍ୟା କଲା ପୁଅ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ବାପାକୁ ବାଡ଼େଇ ବାଡ଼େଇ ହତ୍ୟା କରିଛି ପୁଅ । ମୃତକ ହେଲେ ୭୫ ବର୍ଷୀୟ ବାଲୁଙ୍କେଶ୍ୱର ମହାନ୍ତି। ଅଭିଯୁକ୍ତ ପୁଅ ଅପର୍ତି ମହାନ୍ତିକୁ ଅଟକ ରଖ ତଦନ୍ତ କରୁଛି ଆଠଗଡ଼ ପୋଲିସ।

ଅପର୍ତି ମାନସିକ ରୋଗୀ ହୋଇଥିବାରୁ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। ନିଶାଦ୍ରବ୍ୟ ଖାଇବା ପାଇଁ ପଇସା ମାଗିଥିଲେ ପଇସା ନଦେବାରୁ ବାପାକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଆସନ୍ତା ୪ ଦିନ ଜାରି ରହିବ କାଳବୈଶାଖୀ ତାଣ୍ଡବ, ଆଜି ୬ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର ତାଣ୍ଡବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିପରି ଘଡ଼ଘଡ଼ି ବିଜୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ମେ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବା ସହ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରାଯାଇଛି ।

ମେ ୫ ତାରିଖରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ଅନ୍ୟପଟେ ମେ ୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୁତ ହେବା ସମ୍ଭାବନା ରହିଛି । ଏହା ବାତ୍ୟାର ରୂପ ନେବ କି ନାହିଁ ସ୍ପଷ୍ଟ ହୋଇନି । ମେ ମାସରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଇଏମ୍ଡି ଆକଳନ କରିବା ପରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ଆଦାନୀ-ହିଣ୍ଡେନବର୍ଗ ମାମଲା: ତଦନ୍ତ କରିବାକୁ ଆଉ ୬ ମାସ ସମୟ ମାଗିଲା ସେବି

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ତଦନ୍ତ କରିବାକୁ ୬ ମାସ ସମୟ ମାଗିଲା ସେବି । ଏନେଇ ସୁପ୍ରିମକୋର୍ଟରେ ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ତରଫରୁ ଆବେଦନ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ସେବି ପାଇଥିବା ତଥ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି । ଆଦାନୀ କେଉଁ ନିୟମର ଉଲ୍ଲଘଂନ କରିଛି ସେନେଇ ବିସ୍ତୃତ ରିପୋର୍ଟ ଦିଆାଇଛି । କର୍ପୋରେଟ ଗଭର୍ଣ୍ଣାନ୍ସ, ଅଂଶଧନ ମୂଲ୍ୟରେ ହେରଫେର, ପିଏଫଆଇ ରେଗୁଲେସନରେ ହେରଫେର, ଅନ୍ତରୀଣ ବାଣିଜ୍ୟ ନିୟମ, ସର୍ଟ ସେଲିଂ ନିୟମ ଆଦି ଉଲଂଘନ ସମ୍ପର୍କରେ ସେବି ତଥ୍ୟ ଦେଇଥିବା ସୂଚନା ମିଳିଛି ।

ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ତାଲିକାଭୁକ୍ତ ୭ଟି କମ୍ପାନୀକୁ ସମସ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଦାନୀ ଆର୍ଥିକ ନେଣଦେଣ, ସେୟାର ପ୍ରାଇସରେ ହେରଫେର କରିଥିବା ନେଇ ରିପୋର୍ଟ ପ୍ରକାଶ କରିଥିଲା ହିଣ୍ଡେନବର୍ଗ । ଏହାପରେ କମ୍ପାନୀର ସେୟାର ଦ୍ରୁତ ହ୍ରାସ ଘଟିଥିଲା । ୨ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ତଦନ୍ତ ପାଇଁ ୬ ମାସ ସମୟ ମାଗିଛି ସେବି ।

କ୍ୟାମ୍ପେନରେ କମ୍ପୁଛି ଝାରସୁଗୁଡ଼ା, ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପ୍ରତି ବଢୁଛି ଜନସମର୍ଥନ

ଝାରସୁଗୁଡ଼ା: ଯେତିକି ଯେତିକି ଦିନ ପାଖଉଛି ଝାରସୁଗୁଡ଼ାରେ ସେତିକି ଜମୁଛି ଉପନିର୍ବାଚନ ପ୍ରଚାର । ଭୋଟ ହାତେଇବାକୁ ସବୁ ଉଦ୍ୟମ କରୁଛନ୍ତି ରାଜନୈତିକ ଦଳ । ତିନି ପ୍ରମୁଖ ଦଳର ପ୍ରାର୍ଥୀ କରୁଛନ୍ତି ଡୋର ଟୁ ଡୋର କ୍ୟାମ୍ପେନ୍ । ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ବ୍ଲକରୁ ବ୍ଲକକୁ ଯାଇ ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସବୁଠି ଦୀପାଳିଙ୍କ ପ୍ରତି ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି । ଜନସମୁଦ୍ର ଭିତରେ ପାଛୋଟି ନେଉଛନ୍ତି ଜନସାଧାରଣ । ଦୀପାଳିଙ୍କ ସହ ବିଜେଡିର ଷ୍ଟାର ପ୍ରଚାରକ କ୍ୟାମ୍ପେନ କରୁଛନ୍ତି ।

ଝାରସୁଗୁଡ଼ାରେ ସ୍ବର୍ଗତ ନବ କିଶୋର ଦାସ କରିଥିବା ଉନ୍ନତିମୂଳକ କାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ସାମଗ୍ରିକ ବିକାଶକୁ ଅସ୍ତ୍ର କରିଛି ଦଳ । ବିଜେଡି ସରକାରର ଜନହିତକର ଯୋଜନାକୁ ଆୟୁଧ କରି ଦଳ ଭୋଟ ମାଗୁଛି । ଝାରସୁଗୁଡାରେ ଦୀପାଳି ବୃହତ ବ୍ୟବଧାନରେ ବିଜୟୀ ହେବେ ବୋଲି ବରିଷ୍ଠ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଚାରରେ ପଛରେ ନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଘର ଘର ବୁଲିବା ସହିତ ବିଭିନ୍ନ ସ୍ଥାନରେ ସଭା କରି ଭୋଟ ମାଗୁଛନ୍ତି ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ।