ଢେଙ୍କାନାଳ ଜିଲ୍ଲାରେ ବଢ଼ୁଛି ଦନ୍ତା ଆତଙ୍କ, ଜଙ୍ଗଲଠୁ ରାସ୍ତା ଘାଟ ସବୁଠି ଗୋଡ଼ାଇ ମାରୁଛି ହାତୀ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧୀନରେ ଥିବା ୮ଟି ରେଞ୍ଜରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି । ଯାହାକୁ ପାଉଛି ତାକୁ ଗୋଡ଼ାଇ କଚାଡ଼ି ମାରୁଛି ହାତୀ । ଖାଲି ଜଙ୍ଗଲ ଭିତରେ ନୁହେଁ ରାସ୍ତା ଉପରେ, ଗାଁ ଭିତରେ ଏପରିକି ଘର ଭିତରେ ଶୋଇଥିବା ଅବସ୍ଥାରେ ଲୋକଙ୍କୁ ଆକ୍ରମଣ କରୁଛି ଦନ୍ତା । ୮ଟି ରେଞ୍ଜରେ ଏବେ ୨୨୪ଟି ହାତୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୫୪ଟି ରହିଛନ୍ତି ଗୋଠଛଡ଼ା ଦନ୍ତା । ଯାହା ଅତି ମାରାତ୍ମକ । ହିନ୍ଦୋଳ ରେଞ୍ଜରେ ୧୯ଟି ଓ ସଦର ରେଞ୍ଜରେ ୧୬ଟି ଦନ୍ତା ବିଚରଣ କରୁଛନ୍ତି । ଗତ ୪୫ ଦିନ ଭିତରେ କେବଳ ଦନ୍ତା ହାତୀ ହାବୁଡ଼ରେ ପଡି ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏଥିପାଇଁ ବନବିଭାଗ ତରଫରୁ ଚାଲିଛି ଦନ୍ତାଙ୍କ ପ୍ରୋଫାଇଲ୍ ସଂଗ୍ରହ ।

ଢେଙ୍କାନାଳ, ଆଠଗଡ଼, ସାତକୋଶିଆ, ଅନୁଗୁଳ ଓ ଆଠମଲ୍ଲିକରେ ରାଜ୍ୟର ଏକ ତୃତୀୟାଂଶ ଦନ୍ତା ହାତୀ ଅଛନ୍ତି । ଏଭଳି ଅମାନିଆ ହାତୀଙ୍କ ପ୍ରୋଫାଇଲ୍ ସଂଗ୍ରହ ପାଇଁ ସ୍ବତନ୍ତ୍ର ଟ୍ରାକରର ବନ୍ଦୋବସ୍ତ କରାଯାଇଛି । ଯେଉଁ କର୍ମଚାରୀମାନେ ଏଥିରେ ଯୋଗଦେବେ ସେମାନେ ସତର୍କତା ସହ ଦନ୍ତାଗୁଡ଼ିକୁ ଟ୍ରାକିଂ କରିବା ପାଇଁ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସୀମାରେ ଥିବା ହାତୀଗୁଡିକ ଏବେ ଢେଙ୍କାନାଳ ମୁହାଁ ହେଉଥିବା ବେଳେ ଚିନ୍ତାରେ ସ୍ଥାନୀୟ ଲୋକ ।