ଏଥର ମୌସୁମୀ କରିବ କଲବଲ, ଗୁଳୁଗୁଳିରେ କଟିବ ପୂରା ଋତୁ

ଭୁବନେଶ୍ୱର: ଏଥର ତାତି ଓ ଗୁଳୁଗୁଳିରେ କଟିବ ମୌସୁମୀ ସିଜିନ୍ । ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ ପାରଦ । ତେବେ ବର୍ଷା ସମୟରେ ସ୍ବାଭାବିକ ତାପମାତ୍ରା ରହିବ । ସମୁଦ୍ରର ତାପମାତ୍ରା ବଢୁଥୁବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ପ୍ରଶାନ୍ତ ମହାସାଗର, ଆଣ୍ଟଲାଣ୍ଟିକ ମହାସାଗର ଏବଂ ବଙ୍ଗୋପସାଗରର ତାପମାତ୍ରା ବୃଦ୍ଧି ପାଇଛି । ଜଳ ଓ ସ୍ଥଳର ତାପମାତ୍ରା ମିଶି ବିଶ୍ବକୁ ଉତ୍ତପ୍ତ କରୁଛି । ସମୁଦ୍ର ମଧ୍ୟରେ ହିଟଓ୍ବେଭ ପରିସ୍ଥିତି ଲାଗିରହିଥିବାବେଳେ ଆରମ୍ଭ ହେଲାଣି ଏଲନିନୋର ପ୍ରଭାବ ବୋଲି କହିଛନ୍ତି ସୁରେନ୍ଦ୍ର ନାଥ ପଶୁପାଳକ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଓଡିଶାରେ ବଡ଼ ବର୍ଷା ନାହିଁ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୩ଟି ଲଘୁଚାପ ସୃଷ୍ଟି ହେବା କଥା । ମାତ୍ର ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି । ଯେଉଁ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି ତାହା ଓଡ଼ିଶାଠାରୁ ଦୂରକୁ ଚାଲିଯାଉଥିବାରୁ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୫ ତାରିଖ ପରେ ବର୍ଷାର ପରିମାଣ ବଢିପାରେ କିନ୍ତୁ ଏହା ନିଅଣ୍ଟକୁ ଭରଣା କରିବାର ସମ୍ଭାବନା ନାହିଁ ବୋଲି ସୁରେନ୍ଦ୍ର କହିଛନ୍ତି । ଯେଉଁ ଜିଲ୍ଲାରେ ଭାରି ବର୍ଷା ହୋଇଛି ସେଠାରେ ଧାନ ବୁଣାବୁଣି କରିପାରିବେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ବର୍ଷା ପାଇଁ ଅନିଶ୍ଚିତତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନରେ ୬ ପ୍ରତିଶତ ନିଅଣ୍ଟ ଭରଣା ହୋଇଛି ।