ପୋଲିସ ଓ ଲୋକଙ୍କ ମଧ୍ୟରେ ଗଢ଼ି ଉଠୁଛି ସୁସଂପର୍କ, ଥାନା ପରିସରରେ ତିଆରି ହୋଇଛି ସୁନ୍ଦର ଉଦ୍ୟାନ

ନୂଆପଡ଼ା: ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଗଢ଼ି ଉଠୁଛି ସୁସଂପର୍କ । ଭୟ ନୁହେଁ ବନ୍ଧୁତା ଭିତରେ ପୋଲିସ ନିଭାଉଛି କାର୍ଯ୍ଯ । କେବଳ ମାଲି ମକଦ୍ଦମାରେ ଥାନା ଆସିବେନି ଲୋକ । ବରଂ ବ୍ୟସ୍ତତା ଭିତରେ ସମୟ ଅତିବାହିତ ପାଇଁ ଆସିବେ ପୋଲିସ ଷ୍ଟେସନ । ଥାନା ପରିସରରେ ତିଆରି ହୋଇଛି ସୁନ୍ଦର ଉଦ୍ୟାନ । ସକାଳୁ ସଂଧ୍ୟା ଯାଏ ପୋଲିସ ପାର୍କରେ ଲାଗୁଛି ଲୋକଙ୍କ ଗହଳି । ପୋଲିସ ଓ ଲୋକଙ୍କ ମଧ୍ୟରେ ଭଲ ସଂପର୍କ ଗଢିବାର ମାଧ୍ୟମ ସାଜିଛି ଏହି ଉଦ୍ୟାନ । ଥାନା ପରିସରରେ ଥିବା ଉଦ୍ୟାନକୁ ସ୍ଥାନୀୟ ମହିଳା ଓ ଛୋଟ ଛୋଟ ପିଲା ଆସୁଥିବା ବେଳେ ଏପରି ପରିବେଶକୁ ନେଇ ଖୁସି ପ୍ରକାଶ କରିଛନ୍ତି ।

ଘାସ ଗାଲିଚା ସହ ବିଭିନ୍ନ ପ୍ରକାର ସୁନ୍ଦର ଗଛ ଓ ଶହ ଶହ ଫୁଲରେ ସଜେଇ ହୋଇଛି ଉଦ୍ୟାନ । ଖେଳକୁଦ ପାଇଁ ମହିଳାମାନେ ଶିଶୁକୁ ଧରି ସକାଳ ଓ ସନ୍ଧ୍ୟାରେ ଭିଡ଼ ଜମାଉଛନ୍ତି । ପୋଲିସ ପ୍ରତି ଥିବା ଭୟ ଦୂର ହେବା ସହ ଶିଶୁମାନେ ପୋଲିସଙ୍କ ବିଷୟରେ ଅଧିକ ଜାଣିପାରୁଛନ୍ତି । ଯେଉଁ ଥାନାକୁ ଯିବା ପାଇଁ ଲୋକେ ଭୟ କରୁଥିଲେ ସେହି ଥାନା ପରିସରରେ ଶିଶୁମାନେ ମଜାମସ୍ତି କରୁଛନ୍ତି । ପୋଲିସର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ ।