ବାହାନଗା ଟ୍ରେନ୍ ଟ୍ରାଜେଡି; ସିବିଆଇ କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଗିରଫ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ପେଶାଲ ସିବିଆଇ କୋର୍ଟରେ ହାଜର କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ତିନି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର  କରାଯାଇଛି । ତିନି ଅଭିଯୁକ୍ତଙ୍କୁ ୧୫ ଦିନ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ । ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ଦୁର୍ଘଟଣାର ଠିକ୍ ୩୫ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ସିଆରପିସି ୩୦୪ ଓ ୨୦୧ ଧାରାରେ ସେମାନଙ୍କୁ ଗିରଫ କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏହ ପ୍ରଥମ କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଗୁରୁତର ଅବହେଳାରୁ ସଙ୍ଗୀନ ଦୁର୍ଘଟଣା ଏବଂ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ରହିଛି ।

ସିଗନାଲିଂ ତ୍ରୁଟି ଯୋଗୁଁ ଏଭଳି ଘଟଣା ଘଟିପାରେ ବୋଲି ତିନି ଅଭିଯୁକ୍ତ ପୂର୍ବରୁ ଜାଣିଥିଲେ । ତଥାପି ଏହାର ଠିକ୍ ପରିଚାଳନା ନେଇ ଦାୟିତ୍ବବାନ ନଥିଲେ । ଜୁନ ୨ରେ ସଂଧ୍ୟା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ସିଗନାଲିଂ ଭୁଲ ଥିବାରୁ ଏକ ମାଲଗାଡିକୁ ଧକ୍କା ଦେଇଥିଲା ଟ୍ରେନ୍ । ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶର ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଅତି ଭୟଙ୍କର ଥିଲା । ଏଭଳି ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ସୁପାରିସ କରିଥିଲା । ତାପରଠାରୁ ସିବିଆଇ ବାହାନଗା ଆସିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିଲା ।