spot_img
Home Blog Page 3183

୨୦୨୪ ଲାଗି ମେଗାପ୍ଲାନ; ଉଦ୍ଧବଙ୍କୁ ଭେଟିଲ ନୀତୀଶ କୁମାର ଓ ତେଜସ୍ବୀ ଯାଦବ

ମୁମ୍ବାଇ : ୨୦୨୪ ଲାଗି ମେଗାପ୍ଲାନ । ମୁମ୍ବାଇରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ତିନି ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଆଜି ପୂର୍ବାହ୍ନରେ ସେମାନେ ଉଦ୍ଧବଙ୍କୁ ତାଙ୍କ ବାସଭବନ ମାତୋଶ୍ରୀରେ ଭେଟିଛନ୍ତି ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ମଧ୍ୟରେ ଏକ ମେଣ୍ଟ ଗଠନ ଲାଗି ନୀତୀଶଙ୍କ ନେତୃତ୍ବରେ ଚାଲିଥିବା ଉଦ୍ୟମ କ୍ରମଶଃ ଦାନା ବାନ୍ଧିବାରେ ଲାଗିଛି । ସନ୍ଧ୍ୟାରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ସଭାପତି ଶରଦ ପାଓ୍ବାରଙ୍କୁ ଭେଟିବେ ନୀତୀଶ ଓ ତେଜସ୍ବୀ । ଗତବର୍ଷ ବିହାରରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଜାତୀୟ ସ୍ତରରେ ଏକ ବିଜେପି ବିରୋଧୀ ମେଣ୍ଟ ଗଠନ ଲାଗି ଜୋରଦାର ଉଦ୍ୟମ ଚାଲିଛି । ପୂର୍ବରୁ ନୀତୀଶଙ୍କ ସହ ୧୧ ତାରିଖରେ ଭେଟଘାଟ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ ପାଓ୍ବାର । ଗତମାସ ୨୪ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ଭେଟିଥିଲେ ନୀତୀଶ ଓ ତେଜସ୍ବୀ ।

ଏକନାଥ ସିନ୍ଦେ ଓ ତାଙ୍କ ସରକାରଙ୍କୁ ଆଶ୍ବସ୍ତି ; ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାକୁ ମନା କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ବିବାଦ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସରକାରଙ୍କୁ ଆଶ୍ବସ୍ତି। ସିନ୍ଦେ ଓ ତାଙ୍କର ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ଉଦ୍ଧବ ଠାକରେଙ୍କୁ ପୁଣି ସରକାରରେ ଅବସ୍ଥାପିତ କରିବା ଲାଗି କରାଯାଇଥିବା ଅନୁରୋଧକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ସଂଖ୍ୟା ଗରିଷ୍ଠତା ପ୍ରମାଣ ବଦଳରେ ଉଦ୍ଧବ ଇସ୍ତଫା ଦେଇଥିବାରୁ ତାଙ୍କ ଅନୁରୋଧକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ ।
ଆଜି ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । କହିଛନ୍ତି, ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତା ହରାଇଥିବା ନେଇ ରାଜ୍ୟପାଳ ବିଚାର କରିବା ଥିଲା ତ୍ରୁଟିଯୁକ୍ତ । ଦଳ ଭିତରେ ଅନ୍ତଃକନ୍ଦଳକୁ ନେଇ ଫୋରଟେଷ୍ଟକୁ ବ୍ୟବହାର କରାଯାଇପାରିବ ନାହିଁ । ଅନ୍ୟପଟେ  ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି, ଶିବସେନାର ସିନ୍ଦେ ଗୋଷ୍ଠୀର ଗୋଗାଓ୍ବାଲେଙ୍କୁ ହୁଇପ ଭାବେ ବାଚସ୍ପତି ନିଯୁକ୍ତି ଦେବା ଥିଲା ବେଆଇନ । ବିଧାୟକ ଗୋଗଓ୍ବାଲେଙ୍କୁ ହୁଇପ ଭାବେ ନିଯୁକ୍ତି ଦେବାର କୌଣସି ଯଥାର୍ଥତା ନଥିଲା । ରାଜନୈତିକ ଦଳ ଦ୍ବାରା ନିଯୁକ୍ତ ହୁଇପଙ୍କୁ ହିଁ ସ୍ବୀକୃତି ମିଳିବା ଯଥାର୍ଥ ।

ତେବେ ଆଗକୁ ମାମଲାର ଶୁଣାଣି କରିବେ ୭ ଜଣିଆ ବୃହତ୍ତର ଖଣ୍ଡପୀଠ । ସେପଟେ ବାଚସ୍ପତିଙ୍କ ଭୂମିକାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ଖଣ୍ଡପୀଠ । ସେପଟେ ଏହା ଏକ ନୈତିକ ବିଜୟ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଓ୍ୱତ । ଉଦ୍ଧବଙ୍କ ପକ୍ଷରୁ କପିଳ ସିବଲ, ଅଭିଷେକ ମନୁ ସିଙ୍ଘଭି, ଦେବଦତ୍ତ କମାତ ମାମଲା ପରିଚାଳନା କରୁଥିବାବେଳେ ସିନ୍ଦେଙ୍କ ଓକିଲ ଅଛନ୍ତି ଏନକେ କୌଲ, ମହେଶ ଜେଠମାଲାନି ଓ ମନିନ୍ଦର ସିଂ । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଲାଗି ପ୍ରତିନିଧିତ୍ବ କରୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।

ତାତିରେ ସନ୍ତୁଳି ହେଉଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା

ଭୁବନେଶ୍ୱର: ଗୋଟେପଟେ ବାତ୍ୟା। ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ଆଜି ଦିନ ୧୧.୩୦ ସୁଦ୍ଧା ୨ ସହରର ତାପମାତ୍ରା ୪୦ ପାର୍‌।

ସମ୍ବଲପୁରରେ ସର୍ବାଧିକ ୪୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୦, ହୀରାକୁଦରେ ୩୯, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬, ଭୁବନେଶ୍ୱରରେ ୩୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବାଲେଶ୍ୱରରେ ୩୪.୪,ଗୋପାଳପୁରରେ ୩୩.୪ ଡ଼ିଗ୍ରୀ, ପୁରୀରେ ୩୩, ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଦିଲ୍ଲୀ ସରକାରଙ୍କୁ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ । ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି।

କେନ୍ଦ୍ରର ଦଖଲରେ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି । ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଛନ୍ତି । ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ଅଲଗା ବୋଲି ଖଣ୍ଡପୀଠ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ଏବେ  ଉପରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀର ଅସଲ ବସ୍ ।

ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର । ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିାରପତିଙ୍କ ଖଣ୍ଡପୀଠ କହିଛନ୍ତି ।

ସବୁ ପ୍ରସଙ୍ଗରେ କେନ୍ଦ୍ରର ଦଖଲ ଯୋଗୁ ରାଜ୍ୟର କାର୍ଯ୍ୟ ପ୍ରଭାବିତ ହେଉଛି । ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ହେବ । ହେଲେ ପୋଲିସ, ସରକାରୀ ନିର୍ଦ୍ଦେଶନାମା ଓ ଜମି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ । ୨୦୨୧ରେ କେନ୍ଦ୍ର ସରକାର GNCTD ଆକ୍ଟରେ ସଂଶୋଧନ କରିଥିଲେ । ଏଥିରେ ଉପରାଜ୍ୟପାଳଙ୍କୁ ଅତିରିକ୍ତ ଅଧିକାର ମିଳିଥିଲା । ସଂଶୋଧନ ମୁତାବକ, ନିର୍ବାଚିତ ସରକାର କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହେଲେ ଦିଲ୍ଲୀ ଉପରାଜ୍ୟପାଳଙ୍କ ମତ ନେବା ନିହାତି ଆବଶ୍ୟକ । ଏହି ସଂଶୋଧନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଆମ ଆଦମୀ ପାର୍ଟି ।

ଡାକ୍ତର ପରିଚୟ ଦେଇ ଠକିନେଲେ ଆକ୍ବାଗାର୍ଡ ଓ ଏଲଇଡି

ଭୁବନେଶ୍ୱର: ରାଜଧାନୀରେ ମାତିଛି ସାତିର୍ ଚୋର। ନିଜକୁ ଡାକ୍ତରର ପରିଚୟ ଦେଇ ମିଛ ପେମେଣ୍ଟ ଦେଖାଇ ୨ଜଣ ଦୋକାନୀଙ୍କୁ ଠକି ଗୋଟେ ଆକ୍ବାଗାର୍ଡ ଓ ଗୋଟିଏ ଏଲଇଡି ଠକି ନେଇଛି ନକଲି ଡାକ୍ତର । ନାଁ କହୁଥିଲା ଡକ୍ଟର ବିକାଶ, ପିନ୍ଧିଥିଲା ସୁନା । ଲୁକ୍ସ ଓ ନାଁ ଚକ୍କରରେ ଅତି ସହଜରେ ଚୁନା ଲଗେଇ ଜିନିଷ ନେଇ ଚମ୍ପଟ ମାରିଛି ଏହି ଠକ । ଯାହାର ଏକ୍ସକ୍ଲୁସିଭ୍ ଭିଜୁଆଲ ଆପଣ ଦେଖୁଛନ୍ତି ।

ଚନ୍ଦ୍ରଶେଖରପୁରରେ ଥିବା ଏକ ୱାଟର ପ୍ୟୁରିଫାଏର ଦୋକାନକୁ ଆସିଥିଲେ ଜଣେ ଠକ ।  ନିଜକୁ ଡାକ୍ତର ବିକାଶ ବୋଲି ପରିଚୟ ଦେଇ water purifier କିଣିଲେ । ଟଙ୍କା ଦେଲା ବେଳକୁ କହିଲେ ଫୋନ୍ ପେ କରିବି । ସ୍କାନ କଲେ ସବୁ ଫେଲ୍ ଦେଖାଇବା ପରେ ଦୋକାନ ମାଲିକଙ୍କୁ କହିଲେ ଆକାଉଣ୍ଟରେ ସିଧା ପଠାଉଛି । ଦୋକାନରେ ଭିଡ଼ ଥିବା ବେଳେ ଟଙ୍କା ପଠାଇ ଦେଇଛି କହି ଖସି ପଳାଇଥିଲା ଠକ।

ସେପଟେ ଦୋକାନ ମାଲିକ ଆକାଉଣ୍ଟ ଦେଖିଲା ବେଳକୁ ଟଙ୍କା ଆସିନି । ପଛେ ପଛେ ଜଣେ ଉବର ଡ୍ରାଇଭର ସେହି ଦୋକାନକୁ ଆସି ଠକ ଡାକ୍ତରକୁ ଖୋଜିଥିଲେ। ତାଙ୍କ ଟଙ୍କା ନଦେଇ ଅନ୍ୟ ଗାଡ଼ିରେ ଜିନିଷ ଲୋଡ୍ କରି ଚମ୍ପଟ ମାରିଥିବା ସେ କହିଥିଲେ। ଆଉ ଏକ ଏଲଇଡି ଦୋକାନରେ ମଧ୍ୟ ଏଲଇଡ଼ି କିଣି ସମାନ ତରିକାରେ ଠକିଛି ଠକ ଡାକ୍ତର। ସେ ନିଜ ଠିକଣା ମୋବାଇଲ ନମ୍ବର ସବୁ ଭୁଲ୍ ଦେଇଥିବା ସୂଚନା ।

ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ମାରିଦେଲେ ମାଓବାଦୀ

ପୁଣି ସକ୍ରିୟ ଲାଲାବାହିନୀ । ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ମାରିଦେଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିର ଘଟଣା। ମୃତକ ହେଲେ ଫିରିଙ୍ଗିଆ ଥାନା ସମରବନ୍ଦ ପଞ୍ଚାୟତ ସାଉଲପଡ଼ାର ସୁବଳ କହଁର। ଘରେ ଥିବାବେଳେ ତିନିଜଣ ମାଓବାଦୀ ଘରୁ ଡାକି ନେଇ ଘରଠାରୁ ୨୦୦ ମିଟର ଦୂରରେ ୫ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି। କେଉଁ କାରଣରୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ, ଘଟଣାସ୍ଥଳରେ ଏନଆଇଏ ଟିମ୍

ଅମୃତସର: ପଞ୍ଜାବ ଅମୃତସରରେ ପୁଣି ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ଗୋଲ୍ଡେନ ଟେମ୍ପୁଲ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଗତ ୫ଦିନରେ ଏହା ତୃତୀୟ ଘଟଣା ।

ମାମଲାରେ ସମ୍ପୃକ୍ତି ସନ୍ଦେହରେ ଲୋକାଲ ଟେରର ନେଟଓ୍ବାର୍କ ସହ ଜଡ଼ିତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ପଞ୍ଜାବରେ ଶାନ୍ତି ଭଙ୍ଗ କରିବା ଓ ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ବିସ୍ଫୋରଣ କରାଯାଇଥିବା ପୋଲିସ କହିଛି। ବିସ୍ଫୋରଣ ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନଆଇଏ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଝାରସୁଗୁଡ଼ାରେ ଯୁବକଙ୍କୁ ବାଟୁଳିରେ ଆକ୍ରମଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ଯୁବକଙ୍କୁ ବାଟୁଳିରେ ଆକ୍ରମଣ। ଗତକାଲି ସନ୍ଧ୍ୟାରେୁ  କୋଲାବିରା ତରେଇକେଲା ଗୋଇନ୍ଦାପଡ଼ାର ପଙ୍କଜ ଖଡ଼ିଆଙ୍କୁ ବାଟୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନିଲମ୍ବିତ ପୁଲିସ କର୍ମଚାରୀ ବାଟୁଳି ମାଡ଼ କରି ଫେରାର ହୋଇଥିବା ସୂଚନା ମିଳିଛି।

ତାଙ୍କ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମ କୋଲାବିରା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ଘଟାଇଥିବା ନିଲମ୍ବିତ ପୋଲିସ କର୍ମଚାରୀ ଫେରାର ଥିବା ବେଳେ ଜମି ବାଡ଼ି ମାମଲାକୁ କେନ୍ଦ୍ର କରି ଘଟଣl ଘଟିଥିବା ପୋଲିସ କହିଛି। ଅଧିକ ତଦନ୍ତ ଜାରି ରଖିଛି କୋଲାବିରା ପୋଲିସ।

ରାଜଧାନୀର ଗଳି କନ୍ଦିରେ ଚେକିଂ, ସାବାଡ୍ ହେବେ ନିଶାଖୋର ବ୍ୟକ୍ତି

ଭୁବନେଶ୍ବର: ଭୁବନେଶ୍ବରରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ। ଗଳି କନ୍ଦିରେ ଚେକିଂ କରି ନିଶାଡିଙ୍କୁ ସାବାଡ଼ କରୁଛି ପୋଲିସ।  ଯେଉଁ ଜାଗାରେ ଖଟି ବା ରାସ୍ତା କଡରେ ମଦ୍ୟପାନ କରିଵାର ଦେଖା ଯାଉଛି ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ କଟାଯାଉଛି।

ଗତକାଲି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବାଇକ ପେଟ୍ରୋଲିଂ କରୁଛି ପୋଲିସ। ବିଭିନ୍ନ ଖଟି ଓ ନିଛାଟିଆ ସ୍ଥାନରେ ଖଟି କରୁଥିବା ନିଶାଡୀଙ୍କଠୁ ଫାଇନ ଆଦାୟ କରାଯାଉଛି। ଏହି ଭଳି ପ୍ରୟାସ ଦ୍ୱାରା ଚୋରି, ଛୀନତାଇ ଓ ଲୁଟ୍ ଆଦି କମିବ ବୋଲି କହିଛି କମିଶନରେଟ ପୋଲିସ।

ଅପରାହ୍ନ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ଦୋହରାଇବେ ନବୀନ । ଦିଲ୍ଲୀରେ ପହଞ୍ଚିବା ପରେ ନବୀନ କହିଛନ୍ତି ଓଡ଼ିଶାର ନ୍ୟାଯ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ । ୪ଦିନିଆ ଦିଲ୍ଲୀ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି। ବିଭିନ୍ନ ଯୋଜନାରେ କେନ୍ଦ୍ର ପାଖରେ ପଡ଼ିଥିବା ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି ରଖିବେ। ଲଗାତାର କେନ୍ଦ୍ର ସରକାର ଓଡିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ଯୋଗୁ ରାଜ୍ୟ ବିକାଶରେ ବାଧା ଉପୁଜିଛି । ଏସବୁ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ପାଇଁ ହକ୍ ମାଗିବେ । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ।