ଉତ୍ତରରୁ ପଶ୍ଚିମ ଭାରତ ସବୁଠି ଜଳପ୍ରଳୟ, ବୁଡ଼ିଛି ଘର ଓ ରାସ୍ତାରେ ଭାସୁଛି କାର୍

1 min read

ନୂଆଦିଲ୍ଲୀ: ପଶ୍ଚିମରୁ ଉତ୍ତର ସବୁଠି ଜଳ ପ୍ରଳୟର ଚିତ୍ର । ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ । ଗୁଜରାଟରୁ ମହାରାଷ୍ଟ୍ର, ଦିଲ୍ଲୀରୁ ଜାମ୍ମୁ-କାଶ୍ମୀର ସବୁ ଆଡ଼େ ବନ୍ୟା ବିପତ୍ତି । ବର୍ଷା ପରେ ଗୁଜରାଟ ଅଧିକାଂଶ ଜିଲ୍ଲା ଜଳମଗ୍ନ । ସହରରୁ ଗାଁ ସବୁଠି ଜଳାର୍ଣ୍ଣବ ସ୍ଥିତି । ବୁଡ଼ିଛି ଘର, ରାସ୍ତାରେ ଭାସୁଛି ଶହ ଶହ କାର୍ । ଲଗାଣ ବର୍ଷା ଯୋଗୁ ରାଜକୋଟ, ସୁରଟ, ଗିରି ସୋମନାଥ ଆଦି ଜିଲ୍ଲାରେ କିଛି ଘଣ୍ଟାରେ ୩ ଶହ ମିମି ବର୍ଷା ପରେ ଓ୍ବାଟରଲଗିଂ ସ୍ଥିତି ଉପୁଜିଛି । ଆଜି ସୌରାଷ୍ଟ୍ର ସମେତ ଅନ୍ୟ କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରେସ୍କ୍ୟୁ ପାଇଁ ଏନଡିଆରଏଫ ଓ ଏସଡିଆରଏଫ୍ ଟିମକୁ ଆଲର୍ଟରେ ରଖାଯାଛି ।

ସେପଟେ ଯମୁନା ଜଳସ୍ତର ବୃଦ୍ଧି ଯୋଗୁ ତାଜମହଲ ପାଚେରି ଛୁଇଁଛି ବନ୍ୟାଜଳ । ପର୍ଯ୍ୟଟକମାନେ ତାଜମହଲ ଉପରେ ବନ୍ୟାପାଣିର ଫଟୋ ଉଠାଉଥିବା ଦେଖାଯାଛି । ମହାରାଷ୍ଟ୍ରରେ ବି ପ୍ରବଳ ବର୍ଷା ଯୋଗୁ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଅନ୍ୟପଟେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-କାଶ୍ମୀରରେ ସ୍ଥିତି ଗମ୍ଭୀର ହୋଇଛି । ପ୍ରବଳ ବର୍ଷା ପରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । କାଠୁଆ ଜିଲ୍ଲାରେ ୬ରୁ ଅଧିକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି । ସାରମୋଲିଠାରେ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-ଶ୍ରୀନଗର ହାଇଓ୍ବେର ଗୋଟିଏ ପଟେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ସପ୍ତାହେ ପରେ ଦିଲ୍ଲୀରେ ବନ୍ୟାସ୍ଥିତିରେ ସୁଧାର ଆସିଛି । ପାଣି ଛାଡ଼ିବା ପରେ ଅଧିକାଂଶ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହୋଇଛି । ଆସାମର କିଛି ଜିଲ୍ଲା ଏବେ ବି ପାଣିଘେରରେ ରହିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଯୋଗାଣ ସହ ରେସ୍କ୍ୟୁ ଅପରେସନ ଜାରି ରହିଛି ।