‘ଇଣ୍ଡିଆ’ର ଗାଇଡଲାଇନ, ବିରୋଧୀ ଦଳ ନେତାଙ୍କୁ ଲାଲୁ କହିଲେ ଗୋଡ଼ ଟଣାଟଣି ବନ୍ଦ ହେଉ

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକ ସରିବା ପରେ ମହାମେଣ୍ଟକୁ ଏକ ନୂଆ ନାଁ ମିଳିଯାଇଛି  । ନାଁ  ମିଳିବା ପରେ ବିରୋଧୀ ମେଳି ପରସ୍ପର ପାଇଁ କିଛି ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି  । ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ମେଳି ପରସ୍ପରକୁ କଟାକ୍ଷ କରିବା ଘଟଣା ଅତୀତରେ ଦେଖିବାକୁ ମିଳିଛି  । ପରସ୍ପରକୁ ଟାର୍ଗେଟ କରିବା ଘଟଣା ଏବେ ଏନଡିଏକୁ ପାୱାର ଯୋଗାଇବା ଲକ୍ଷ୍ୟ କରି କିଛି ନୂଆ ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ।

ବିରୋଧୀ ମେଳିର ନାଁ ଇଣ୍ଡିଆ ରଖାଯାଇଥିବାବେଳେ ପରସ୍ପର ସହ ସମନ୍ବୟ ଓ ସହଯୋଗ ରଖିବା ପାଇଁ ଜଣେ ସଂଯୋଜକଙ୍କୁ ଦାୟିତ୍ବ ଦେବାପାଇଁ ନିଷ୍ପତ୍ତି ହୋଇଛି  । ସୋନିଆ ଗାନ୍ଧୀ କିମ୍ବା ନିତିଶ କୁମାରଙ୍କ ମଧ୍ୟରୁ କାହାକୁ ବି ଏହି ଦାୟିତ୍ବ ମିଳିପାରେ  । ସୋନିଆ ଗାନ୍ଧୀଙ୍କୁ ସମର୍ଥନ ଦେବାରେ କୌଣସି ବିରୋଧୀ ଦଳଙ୍କ ଆପତ୍ତି ନଥିବା  ଜଣାପଡୁଛି  ।

ସେହିପରି ବିରୋଧୀ ଦଳ ପରସ୍ପର ମଧ୍ୟରେ ଥିବା ତିକ୍ତତାକୁ ଭୁଲି ଯେପରି ଟାର୍ଗେଟ ନ କରିବେ ସେ ନେଇ ବୈଠକରେ ନିଷ୍ପତ୍ତି ହୋଇଛି  । ବୈଠକରେ ବରିଷ୍ଠ ନେତା ଲାଲୁ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭରପୁର ସମର୍ଥନ କରିଛନ୍ତି  । କଂଗ୍ରେସ ଓ ତାର ନେତାମାନେ ମମତାଙ୍କ ବିରୋଧରେ ବୟାନ ନ ଦେବାକୁ ସେ ନିବେଦନ କରିଛନ୍ତି  । ବାମଦଳକୁ ବି ସେ ମଧ୍ୟ ସମାନ ଅନୁରୋଧ କରିଛନ୍ତି  ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ଏହି ବୈଠକରେ ସୋନିଆ ଗାନ୍ଧୀ ଓ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି  । ବୈଠକରେ ଉଭୟଙ୍କୁ ୨୦ ମିନିଟ ଧରି କଥା ହେଉଥିବା ଦେଖିବାକୁ ମିଳିଛି  । ବାମଦଳ ଓ କଂଗ୍ରେସ ମେଣ୍ଟ ସହ ଲଢେଇ କରି ମମତାଙ୍କ ଟିଏମସି ପଞ୍ଚାୟତ ନିର୍ବାଚନରେ ବାଜିମାତ କରିଛି  ।