ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଅଧିବେଶନ ପାଇଁ ହେବ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦ ମୌସୁମୀ ଅଧିବେଶନ । ସୁରୁଖୁରୁରରେ ଗୃହ ପରିଚାଳନା ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିରୋଧୀ ଦଳ ସାଂସଦମାନେ ଯୋଗଦେବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଆଜି ବୈଠକରେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏବଂ ରାଜ୍ୟସଭା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଉପସ୍ଥିତ ରହିବେ ।

ସେପଟେ ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଦରବୃଦ୍ଧି, ରେଳ ସୁରକ୍ଷା ଓ ମଣିପୁର ହିଂସା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀରେ କେନ୍ଦ୍ର ଆଣିଥିବା ନୂଆ ଅଧ୍ୟାଦେଶ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀ ଏକ ହୋଇ ବିରୋଧ କରିବାକୁ ମଧ୍ୟ ରଣନୀତି କରାଯାଇଛି । ଏଥର ମନସୁନ ସେସନରେ ୨୧ଟି ନୂଆ ବିଲ ପାରିତ କରିବାକୁ ଶାସକ ଦଳ ଯୋଜନା କରିଛନ୍ତି । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ପାର୍ଲାମେଣ୍ଟରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି ।