spot_img
Home Blog Page 3184

ଜଳ ପରିଚାଳନାରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା

ଗଞ୍ଜାମ: ଜଳ ପରିଚାଳନାରେ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଓଡ଼ିଶା । ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହାସହ ଦକ୍ଷ ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ବିବେଚିତ ହୋଇଛି ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଜାତୀୟ ଜଳ ପୁରସ୍କାର ପାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଏକ ଉଲ୍ଲେଖନୀୟ ସଫଳତା, ଗଞ୍ଜାମ ଜିଲ୍ଲାର ଏହି ସଫଳତା ସବୁ ଜିଲ୍ଲା ପ୍ରଶାସନକୁ ଜଳ ସମ୍ବଳ ପରିଚାଳନା ଓ ସଂରକ୍ଷଣରେ ଉତ୍କର୍ଷତା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୩.୨ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ଆଜି ରାଜ୍ୟକୁ ଦେଇଛି ସଫଳତା ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବରିଷ୍ଠ ରାଜସ୍ୱ ସହାୟକ

ବାରିପଦା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ରାମଚନ୍ଦ୍ର ସେନ । ଗତକାଲି ଏକକାଳୀନ ୫ଟି ସ୍ଥାନରେ ହୋଇଥିଲା ରେଡ୍ । କୁଳିଆନା ପଢ଼ିଆରିପୁରରେ ଥିବା ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଥିଲା । ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରାପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ । ରାମଚନ୍ଦ୍ର ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।

ଆଜି ମହାପ୍ରଭୁଙ୍କ ଅନବସରର ଅନ୍ତିମ ଦିନ, ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ଅନବସରରେ ଅନ୍ତିମ ଦିନ । ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଆସନ୍ତାକାଲି ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଆସନ୍ତା ମଙ୍ଗଳବାର ରଥାରୂଢ ହୋଇ ଗୁଣ୍ଡିଚା ଯିବେ ମହାବାହୁ ।

ସେପଟେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ରଥଯାତ୍ରା ବେଳେ ପୁରୀକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସହର ଉପରେ ରଖାଯିବ ତୀକ୍ଷ୍ଣ ନଜର । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି । ରେଳବାଇ ଓ ତଟ ସୁରକ୍ଷା ସହ, ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ରୁ ଉର୍ଦ୍ଧ ଅଧିକାରୀ ମୁତୟନ କରାଯିବ । ଅନ୍ୟପଟେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ କରାଯାଇଛି ।

ପାରାଦୀପ କୁଜଙ୍ଗରେ ଡବଲ ମର୍ଡର, ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା

ପାରାଦୀପ: ପାରାଦୀପ କୁଜଙ୍ଗରେ ଡବଲ ମର୍ଡର । ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା । କୁଜଙ୍ଗ ଏକ୍ସପ୍ରେସ ଓ୍ବେ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦୁଇ ମହିଳା ହେଲେ ନିର୍ମଳା ଲେଙ୍କା ଓ ଅନିତା ରାଉତ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଯୁବକଙ୍କୁ ଗିରଫ କରିଛି କୁଜଙ୍ଗ ପୋଲିସ । ସୂଚନା ଅନୁସାରେ, ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁନାଥ ନାମକ ଜଣେ ଯୁବକ ସେହି ଗ୍ରାମର ଦୁଇ ଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ରରେ ଅତିନିର୍ମମ ଭାବେ ହତ୍ୟା କରିଛି । ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଣାର ତଦନ୍ତ କରୁଛି । ଦୁଇ ମହିଳାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ନାଟୋ ରାଷ୍ଟ୍ର ବିରୋଧରେ ଋଷର ମେଗାପ୍ଲାନ, ପଡୋଶୀ ବେଲାଋଷରେ ମୁତୟନ କଲା ଆଣବିକ ଅସ୍ତ୍ର

ନୂଆଦିଲ୍ଲୀ: ନାଟୋ ରାଷ୍ଟ୍ର ବିରୋଧରେ ଋଷର ମେଗାପ୍ଲାନ୍ । ପଡୋଶୀ ବେଲାଋଷରେ ମୁତୟନ କଲା ଆଣବିକ ଅସ୍ତ୍ର । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି- ପାଶ୍ଚାତ୍ୟ ରାଷ୍ଟ୍ରକୁ ଚେତାବନୀ ଦେବା ସକାଶେ ଏହି କୌଶଳଗତ ଅସ୍ତ୍ର ମୁତୟନ କରାଯାଇଛି । କୌଣସି ସ୍ଥିତିରେ ଯେପରି ଋଷର ପରାଜୟ ହେବ ନାହିଁ ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଇକୋନୋମିକ ଫୋରମ ବୈଠକରେ ଯୋଗ ଦେଇ ପୁଟିନ କହିଛନ୍ତି- ବର୍ତ୍ତମାନ ଋଷ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଚାହେଁ ନାହିଁ । ଋଷର ସୀମା କିମ୍ବା ରାଷ୍ଟ୍ରର ସାର୍ବଭୌମତ୍ବ ଉପରେ ଆଞ୍ଚ ଆସିଲେ ହିଁ ଋଷ ଏହି ସବୁ ଅସ୍ତ୍ରର ବ୍ୟବହାର କରିବ । ବହୁ ବର୍ଷ ଧରି ଋଷର ଘନିଷ୍ଠ ରାଷ୍ଟ୍ର ଭାବେ ବେଲାଋଷ ରହିଆସିଛି ଏବଂ ଗତବର୍ଷ ଫେବ୍ରୁଆରୀରେ ୟୁକ୍ରେନ ଆକ୍ରମଣ ପରଠାରୁ ବେଲାଋଷକୁ ଲଞ୍ଚପ୍ୟାଡ ଭାବେ ବ୍ୟବହାର କରିଆସିଛି ଋଷ । ସେ କହିଛନ୍ତି- ଆଣବିକ ଅସ୍ତ୍ର ପ୍ରସଙ୍ଗରେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ଆଲୋଚନା ହୋଇଛି ଏବଂ ବେଲାଋଷର ସୀମାନ୍ତରେ ଏହାକୁ ମୁତୟନ କରାଯାଇଛି ।

ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ହେବା ପରେ ସମଗ୍ର ନାଟୋ ଲାଗି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଏହି ୩ ନାଟୋ ସଦସ୍ୟ ରାଷ୍ଟ୍ର ସହ ବେଲାଋଷର ସୀମା ପ୍ରାୟ ୧୨୫୦ କିଲୋମିଟର ଯାଏ ଲମ୍ବିଛି । କିଛିଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ- ବେଲାଋଷରେ ଋଷ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ କରାଯିବା ଲାଗି ବ୍ୟବସ୍ଥା ଜୁଲାଇ ୧ ସୁଦ୍ଧା ଶେଷ ହେବ । ଏହା ସହ ଆଣବିକ ଅସ୍ତ୍ର ପରିବହନ କରିବାକୁ ବେଲାଋଷର ଯୁଦ୍ଧବିମାନଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ସେ କହିଥିଲେ ।

ନାଇଜେରିଆରେ ପୁଣି ମାତିଲେ ବୋକୋ ହାରାମ ଜିହାଦି, ୧୧ କୃଷକଙ୍କ ଗଳା କାଟି ହତ୍ୟା

ନୂଆଦିଲ୍ଲୀ: ନାଇଜେରିଆରେ ପୁଣି ମାତିଲେ ବୋକୋ ହାରାମ ଜିହାଦି । ଉତ୍ତରପୂର୍ବ ନାଇଜେରିଆରେ ୧୧ କୃଷକଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ବୋର୍ଣ୍ଣୋ ପ୍ରଜାତନ୍ତ୍ର ରାଜଧାନୀ ମାଇଦୁଗୁରୀରେ ବୋକୋ ହାରାମ ଗୋଷ୍ଠୀର ସଦସ୍ୟମାନେ ଘଟାଇଛନ୍ତି ଅମାନବୀୟ କାର୍ଯ୍ୟ । ପ୍ରଥମେ କୃଷକଙ୍କ ହାତ ବାନ୍ଧି ଦେବା ପରେ ସେମାନଙ୍କ ଗଳା କାଟି ଦେଇଥିବା ସୂଚନା ମିଳିଛି । ଜିହାଦିଙ୍କ ଆକ୍ରମଣରୁ ବର୍ତ୍ତିବା ଲାଗି ଶହ ଶହ ଲୋକ କିଛି ମାସ ତଳେ ମାଇଦୁଗୁରୀ ଅଞ୍ଚଳ ତ୍ୟାଗ କରି ପଳାୟନ କରିଥିଲେ । ସେମାନେ ଫେରିବା ପରେ ପୁଣି ଆତଙ୍କ ରଚିଛନ୍ତି ବୋକୋ ହାରାମ ସଂଗଠନ ସଦସ୍ୟ । ବୋକୋ ହାରାମ ଓ ଇସଲାମିକ ଷ୍ଟେଟ ଓ୍ବେଷ୍ଟ ଆଫ୍ରିକା ପ୍ରୋଭିନ୍ସ ବା ଆଇଏସଡବ୍ଲୁଏପି ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷରେ ଚାଷୀ, ଧୀବର, ଗୋପାଳକମାନଙ୍କୁ ଟାର୍ଗେଟ କରାଯାଉଛି । ସେମାନେ ମିଲିଟାରୀ ଓ ସ୍ଥାନୀୟ ଆତଙ୍କବାଦୀ ସଂଗଠନକୁ ଗୋପନ ସୂଚନା ଦେବା ଅଭିଯୋଗରେ ସେମାନଙ୍କୁ ଟାର୍ଗେଟ କରାଯାଉଛି ।

ଗତ ମାସରେ ବି ବୋର୍ଣ୍ଣୋ ପ୍ରଜାତନ୍ତ୍ରର ବାଙ୍କୀ ଜିଲ୍ଲାରେ ୭ ଜଣ କୃଷକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଦୀର୍ଘ ବର୍ଷର ସଂଘର୍ଷରେ ନାଇଜର, ଚାଦ ଓ କାମେରୁନରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେ ୪୦ ହଜାର ଲୋକ, ବିସ୍ଥାପିତ ହେଲେଣି ପ୍ରାୟ ୨୦ ଲକ୍ଷ ଲୋକ । ଏକ ବିଶୁଦ୍ଧ ଇସଲାମିକ ରାଷ୍ଟ୍ର ଗଠନ ଆଭିମୁଖ୍ୟ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ରକ୍ତାକ୍ତ ଅଭିଯାନ ଜାରି ରଖିଛି ବିଶ୍ବର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ବୋକୋ ହାରାମ । ୨୦୧୬ରେ ସଂଗଠନ ବିଭାଜିତ ହେବା ପରେ ଗଠିତ ହୋଇଥିଲା ଇସଲାମିକ ଷ୍ଟେଟ ଓ୍ବେଷ୍ଟ ଆଫ୍ରିକା ପ୍ରୋଭିନ୍ସ ବା ଆଇଏସଡବ୍ଲୁଏପି ।

ଉଗାଣ୍ଡାରେ ସବୁଠାରୁ ବଡ଼ ଗଣହତ୍ୟା, ୪୧ ଜଣଙ୍କୁ ହତ୍ୟା କଲା ଆଲାଏଡ ଡେମୋକ୍ରାଟିକ ଫୋର୍ସ

ନୂଆଦିଲ୍ଲୀ: ଉଗାଣ୍ଡାରେ ଚଳିତ ଦଶନ୍ଧିରେ ସବୁଠାରୁ ବଡ଼ ଗଣହତ୍ୟା । ୪୧ ଜଣଙ୍କୁ ହତ୍ୟା କରିଛନ୍ତି ଆଲାଏଡ ଡେମୋକ୍ରାଟିକ ଫୋର୍ସ । ମୃତକଙ୍କ ମଧ୍ୟରେ ଅଛନ୍ତି ୩୮ଜଣ ସ୍କୁଲ ଛାତ୍ରଛାତ୍ରୀ । ଉଗାଣ୍ଡାର ସୀମାନ୍ତ ମୋନ୍ଦଓ୍ବେ ଅନ୍ତର୍ଗତ ଲୁବିରିହା ସେକେଣ୍ଡାରୀ ସ୍କୁଲରେ ଘଟିଛି ଏହି ନରସଂହାର । ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଜଗୁଆଳୀ ଓ ଦୁଇ ଜଣ ସାଧାରଣ ଲୋକ । ଆଲାଏଡ ଡେମୋକ୍ରାଟିକ ଫୋର୍ସ ସହ ଇସଲାମିକ ଷ୍ଟେଟ ଗ୍ରୁପର ସମ୍ପର୍କ ରହିଛି । ଏଡିଏଫର ଆକ୍ରମଣକୁ ପ୍ରତିହତ କରିବା ଲାଗି ଉଗାଣ୍ଡା ଓ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ପରୁ ମିଳିତ ସମରାଭ୍ୟାସ କରିବାର କିଛି ଦିନ ପରେ ଏହି ଗଣହତ୍ୟା ଘଟିଛି ।

ଇଣ୍ଟରକଣ୍ଟିନେଣ୍ଟାଲ କପ୍: ଆଜି ଭାରତ-ଲେବନାନ୍ ଫାଇନାଲ

ଭୁବନେଶ୍ୱର: ଆଜି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଲେବାନନ୍ । ଭାରତ ଫାଇନାଲ ପୂର୍ବରୁ ଜୋରଦାର ଅଭ୍ୟାସ କରିଛି । ଲେବାନନକୁ ହରାଇ ଚାମ୍ପିଅନ ହେବାକୁ କରିଛି ସ୍ବତନ୍ତ୍ର ରଣନୀତି । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏରେ ଡ୍ର’ ରହି ଟେବୁଲରେ ଶୀର୍ଷରେ ରହିଛି ।

ଏହାସହ ପ୍ରତିଯୋଗିତାରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଗୋଟିଏ ବିଜୟ ଓ ଦୁଇଟି ଡ୍ର’ ସହ ଲେବାନନ୍ ଟେବୁଲରେ ଦ୍ବିତୀୟରେ ରହି ଫାଇନାଲ ଟିକେଟ ହାତେଇଛି । ଜୁନ ୯ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା  ଇଣ୍ଟରକଣ୍ଟିନେଣ୍ଟାଲ କପ୍ ।

ସାରା ରାଜ୍ୟରେ ନିଆଁ ବର୍ଷା, କାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ନିଆଁ ବର୍ଷା । ସୂର୍ଯ୍ୟ ଉଇଁଲେ ଉପାନ୍ତରୁ ଉପକୂଳ ସବୁଠି ଜାରି ହେଉଛି ତାତିର ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜଧାନୀରେ ପ୍ରବଳ ଗୁଳୁଗୁଳି । ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୬ ଡ଼ିଗ୍ରୀ ଏବଂ ଆଦ୍ରତା ୯୦% ରେକର୍ଡ ହୋଇଛି । ଲଗାତାର ୧୫ ଦିନରୁ ଅଧିକ ସମୟ ଧରି ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କଟକ, ନୟାଗଡ଼, ଖୋର୍ଦ୍ଧା ଏବଂ ବଲାଙ୍ଗୀରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ସ୍ବାଭାବିକଠାରୁ ୬.୫ ଡିଗ୍ରୀରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ସିଭିୟର ହିଟଓ୍ବେଭ୍ ସମୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୨୧ ତାରିଖ ପରେ ରାଜ୍ୟରେ ବଦଳିପାରେ ପାଗ ।

ଖୋର୍ଦ୍ଧାରେ ଅପରାଜିତାଙ୍କୁ ଦଳୀୟ କର୍ମୀଙ୍କ ଜୋରଦାର ବିରୋଧ, ଗୋ ବ୍ୟାକ୍ ନାରା ପରେ ବୈଠକସ୍ଥଳ ଛାଡ଼ି ଚାଲିଗଲେ ସାଂସଦ

ଖୋର୍ଦ୍ଧା: ସାଂସଦଙ୍କୁ ଖୋଦ୍ ନିଜ ଦଳରେ ବିରୋଧ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋରଦାର ବିରୋଧ କରିଛନ୍ତି ଦଳୀୟ କର୍ମୀ । ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଓଳସିଂ ଗ୍ରାମରେ ସାଂସଦ ଅପରାଜିତଙ୍କୁ ବିରୋଧ କରିଛନ୍ତି ବିଜେପି କର୍ମୀ । ଏପରିକି ପଥର ପକାଇ ସାଂସଦଙ୍କ ବାଟ ଓଗାଳିଥିଲେ କର୍ମୀ । ସାଂସଦଙ୍କୁ ବିରୋଧ କରି କର୍ମୀମାନେ ରାସ୍ତା ଉପରେ ବସିବା ସହ ସାଂସଦଙ୍କୁ ବିରୋଧ କରିଥିଲେ । ବିହାରୀ ଅପରାଜିତା ଗୋ ବ୍ୟାକ୍ ନାରା ଦେବା ସହ ସାଂସଦଙ୍କୁ ଜୋରଦାର ବିରୋଧ କରିଥିଲେ କର୍ମୀ ।

କିଛି କର୍ମୀ ବି କହିଥିଲେ- ୪ ବର୍ଷ ପରେ ଆସିଛନ୍ତି କୁଆଡ଼େ? ଦଳୀୟ କର୍ମୀ ମାନଙ୍କୁ ଅଣଦେଖା କରି ଆସିଥିବାରୁ କର୍ମୀମାନେ ସାଂସଦଙ୍କୁ ବିରୋଧ କରିଥିଲେ । ଦଳୀୟ କର୍ମୀଙ୍କ ପ୍ରବଳ ବିରୋଧ ପରେ ଶେଷରେ ବାଧ୍ୟ ହୋଇ ଫେରିଯାଇଥିଲେ ସାଂସଦ ଅପରାଜିତା । ସାଂସଦଙ୍କ ସାଥୀରେ ଥିବା ବିଜେପି ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର ବି ଫେରିଯାଇଥିଲେ ।