AAPକୁ ଝଟକା, ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାରିତ

1 min read

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାରିତ । ଗୋଟିଏ ପଟେ ଆମ ଆମଦୀ ପାର୍ଟିକୁ ବଡ଼ ଝଟକା ଲାଗିଥିବା ବେଳେ ବିରୋଧୀ ଏକତା ମେଣ୍ଟ INDIA ମଧ୍ୟ ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି । ରାଜ୍ୟସଭାରେ ସୋମବାର ଆଗତ ହୋଇଥିବା ଦିଲ୍ଲୀ ସେବା ବିଲ୍ ବହୁମତରେ ପାରିତ ହୋଇଯାଇଛି । ଦିଲ୍ଲୀ ସେବା ବିଲ୍ ସମର୍ଥନରେ ମୋଟ ୧୩୧ ଭୋଟ୍ ପଡ଼ିଥିଲା । ସେହିପରି ବିରୋଧରେ ୧୦୨ ଭୋଟ୍ ପଡ଼ିଥିଲା । ଅଟୋମେଟିକ ମେସିନ ଖରାପ ହେବା କାରଣରୁ ଚିଟ୍ ଜରିଆରେ ଭୋଟିଂ କରାଯାଇଥିଲା । ଏଥିରେ କେନ୍ଦ୍ର ପକ୍ଷରୁ ଆଗତ ବିଲ୍ ସମର୍ଥନରେ ଅଧିକ ଭୋଟ ପଡ଼ିଥିଲା । ଦିଲ୍ଲୀରେ ଗ୍ରୁପ-ଏ ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ପ୍ରଥମେ ଲୋକସଭା ଏବଂ ଏବେ ରାଜ୍ୟସଭାରେ ଏହା ଆଗତ କରାଯାଇଥିଲା ।

ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି । ଏବେ କେବଳ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଯିବ । ରାଜ୍ୟସଭାରେ ବିଲ୍ ଆଗତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ସହ ସମ୍ବନ୍ଧିତ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରକାଶଥାଉଖି, ଏନଡିଏ ମେଣ୍ଟ ପାଖରେ ରାଜ୍ୟସଭାରେ ଏହି ବିଲ୍ ପାରିତ କରିବା ପାଇଁ ସଂଖ୍ୟା ଗରିଷ୍ଠତା ନଥିଲା । ଏହାପରେ ବିଜେଡି ଏବଂ ୱାଇଏସଆର୍ କଂଗ୍ରେସ ଦିଲ୍ଲୀ ବିଲ୍ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେବା ନେଇ ଘୋଷଣା କରିଥିଲେ । ଉଭୟ ୱାଇଏସଆର୍ କଂଗ୍ରେସ ଓ ବିଜେଡିର ରାଜ୍ୟସଭାରେ ୯ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଏହି ୧୮ ଜଣ ସଦସ୍ୟଙ୍କ ସମର୍ଥନ କେନ୍ଦ୍ରକୁ ମିଳିଥିଲା । ଯାହାଫଳରେ ବିଲ୍ ବହୁମତରେ ପାରିତ ହୋଇଛି ।

ବିଲ ଆଗତ ହେବା ପରେ ଚର୍ଚ୍ଚା ସମୟରେ ଏହାକୁ ଅସାମ୍ବିଧାନିକ କହି ବିଜେପି ଉପରେ ବର୍ଷିଥିଲା କଂଗ୍ରେସ । ଆଲୋଚନା ସମୟରେ ବିରୋଧୀ ଦଳର ସାଂସଦ ହଟଗୋଳ କରିଥିଲେ । ଦିଲ୍ଲୀରେ ବିଜେପି ସୁପର ସିଏମ ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ପ୍ରଥମ ଥର ଲାଗି ଏଭଳି ଏକ ନିୟମ ଲାଗୁ ହେବାକୁ ଯାଉଛି, ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀ ଦୁଇ ଜଣ ସଚିବଙ୍କ ତଳେ ରହିବେ । ଏହି ବିଲ ପାସ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୟ ସୃଷ୍ଟି କରିବା ବୋଲି କଂଗ୍ରେସ କହିଛି ।