ଲୋକସଭା ପରେ ରାଜ୍ୟସଭାରେ ପାସ୍ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ :  ରାଜ୍ୟସଭାରେ ପାସ ହେଲା ଦିଲ୍ଲୀ ସେବା ବିଲ୍ । ଲୋକସଭା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଭୋଟିଂ ମାଧ୍ୟମରେ ପାରିତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍ । ବିଲ୍ ସମର୍ଥନରେ ୧୩୧ଟି ଭୋଟ ପଡ଼ିଥିବାବେଳେ ବିରୋଧରେ ପଡ଼ିଥିଲା ୧୦୨ଟି ଭୋଟ୍ । ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।

ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। କେଜ୍ରିଓ୍ବାଲ କହିଛନ୍ତି କେନ୍ଦ୍ର ସରକାର ଅହଙ୍କାରୀ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ କେନ୍ଦ୍ର ସରକାର ମାନିଲା ନାହିଁ । ଆପକୁ ହରାଇବା ଅସମ୍ଭବ ବୋଲି ବିଜେପି ଜାଣିସାରିଛି । ଦିଲ୍ଲୀବାସୀ ୨୫ ବର୍ଷ ହେଲା ବିଜେପିକୁ ବନବାସରେ ରଖିଛନ୍ତି, ଏଣୁ ପଛ କବାଟ ଦେଇ ଦିଲ୍ଲୀର ଶାସନ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିବା କେଜ୍ରିଓ୍ବାଲ କହିଛନ୍ତି ।

ସେପଟେ ବିଲକୁ ଅସାମ୍ବିଧାନିକ କହି ବିଜେପି ଉପରେ ବର୍ଷିଥିଲା କଂଗ୍ରେସ । ଆଲୋଚନା ସମୟରେ ବିରୋଧୀ ଦଳର ସାଂସଦ ହଟଗୋଳ କରିଥିଲେ । ଦିଲ୍ଲୀରେ ବିଜେପି ସୁପର ସିଏମ ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ପ୍ରଥମ ଥର ଲାଗି ଏଭଳି ଏକ ନିୟମ ଲାଗୁ ହେବାକୁ ଯାଉଛି, ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀ ଦୁଇ ଜଣ ସଚିବଙ୍କ ତଳେ ରହିବେ । ଏହି ବିଲ ପାସ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୟ ସୃଷ୍ଟି କରିବା ବୋଲି କଂଗ୍ରେସ କହିଛି ।