spot_img
Home Blog Page 3092

ଆଜି କର୍ଣ୍ଣାଟକରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନ୍ତ୍ରୀ ଭାବେ ଶପଥ ନେବେ ୨୪ ବିଧାୟକ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୪ ବିଧାୟକ । ସିଦ୍ଧରମୈୟା ସରକାରରେ ୨୪ ବିଧାୟକ ମନ୍ତ୍ରୀ ଭାବେ ନେବେ ଶପଥ । ଏନେଇ ଦଳ ତରଫରୁ ତାଲିକା ଜାରି କରାଯାଇଛି । ଏଚ.କେ ପାଟିଲ, ରହିମ ଖାନ୍, ବି. ସୁରେଶଙ୍କ ସହ ୨୪ ନେତା ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ପୂର୍ବରୁ ୩୪ ମନ୍ତ୍ରୀଙ୍କ କଥା ଚର୍ଚ୍ଚା ହେଉଥିଲା । ୨୦ ମେ’ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଡେପୁଟି ସିଏମ୍ ଶିବକୁମାରଙ୍କ ସହ ୮ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଶପଥ ନେଇଥିଲେ । ଏବେ ସୁଦ୍ଧା ବିଭାଗ ବଣ୍ଟନ ହୋଇନି । ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିଛନ୍ତି ।

କାହାକୁ କେଉଁ ବିଭାଗ ମିଳିବ ସେନେଇ ହାଇକମାଣ୍ଡଙ୍କ ସହ ସମସ୍ତ ଆଲୋଚନା ଶେଷ ହୋଇଛି । ଆଜି ଶପଥ ଗ୍ରହଣ ପରେ ସଂଧ୍ୟା ସୁଦ୍ଧା ବିଭାଗ ବଣ୍ଟନ କରାଯିବ । ନୂଆ ମନ୍ତ୍ରୀଙ୍କ ମଧ୍ୟରେ କିଛି ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମର୍ଥକ ଥିବା ଜଣାପଡିଛି । କର୍ଣ୍ଣାଟକର ୨୨୪ଟି ଆସନରୁ ୧୩୫ ସିଟରେ ବିଜୟ ହୋଇ କଂଗ୍ରେସ ସରକାର ଗଠନ କରିଛି ।

ରାଜ୍ୟରେ ଆଉ ୪ ଦିନ ଖରା ବର୍ଷାର ଲୁଚକାଳି ଖେଳ, ଆଜି ୨୧ ଜିଲ୍ଲାକୁ କାଳବୈଶାଖି ସତର୍କତା

ଭୁବନେଶ୍ୱର: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଖରା ବର୍ଷାର ଲୁଚକାଳି ଖେଳ। ରାଜ୍ କରିବ କାଳବୈଶାଖୀ । ମଧ୍ୟାହ୍ନରେ ତାତି ରହିଲେ ମଧ୍ୟ ଅପରାହ୍ନରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ। ଏଥିପାଇଁ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ବିହାରଠାରୁ ଉତ୍ତର ଓଡ଼ିଶା ଦେଇ ଝାଡଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । କାଳବୈଶାଖୀକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି କାଳବୈଶାଖୀ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

 

ଖରା ତାତିଠୁ ବଳିଗଲାଣି ହାଣ୍ଡିଶାଳ ତାତି, ୩ ଗୁଣ ବଢିଛି ଅଦା ଓ ରସୁଣ ଦାମ

ଭୁବନେଶ୍ୱର: ଖରାର ତାତିଠାରୁ ବଳିଗଲାଣି ହାଣ୍ଡିଶାଳର ତାତି । ଡାଲି, ସୁଜି, ମଇଦାଠାରୁ ଆରମ୍ଭ କରି ଅଦା ଓ ରସୁଣ ପର୍ଯ୍ୟନ୍ତ ସବୁର ମୂଲ୍ୟ ଆକାଶଛୁଆଁ । କିଲୋ ପିଛା ରସୁଣ ମୂଲ୍ୟରେ ଦୁଇଗୁଣା ଓ ଅଦାରେ ୩ ଗୁଣା ବୃଦ୍ଧି ପ୍ରଥମ ଥର ପାଇଁ ହୋଇଛି। ହୋଲସେଲ ମାର୍କେଟରେ ରସୁଣ କିଲୋପିଛା ୧୦୦ ଟଙ୍କା । ସେହିଭଳି ଅଦାର ମୂଲ୍ୟ ୨୫୦ ଟଙ୍କା । ମାର୍ଚ୍ଚ ମାସରେ ଉଭୟ ରସୁଣ ଓ ଅଦାର ମୂଲ୍ୟ ଯଥାକ୍ରମେ କିଲୋ ପିଛା ୨୦ରୁ୩୦ ଓ ୫୫ରୁ୬୦ ଟଙ୍କା ରହୁଥିଲା। ମାତ୍ର ତାହା ବର୍ତ୍ତମାନ ଦୁଇରୁ ତିନିଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମୁଖ୍ୟତଃ ରସୁଣ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଏବଂ ଅଦା ବେଙ୍ଗାଳୁରୁ, ମହାରାଷ୍ଟ୍ର ଓ ସିଲିଗୁଡି ସମେତ ଓଡ଼ିଶାର କୋରାପୁଟ ଓ କନ୍ଧମାଳରୁ ଉତ୍ପାଦନ ହୋଇଥାଏ ।

ଚଳିତବର୍ଷ ବର୍ଷାର ଅଭାବ ଏବଂ ଖରା ଯୋଗୁ ବହୁଳଭାବରେ ଉତ୍ପାଦନ ହ୍ରାସ ପାଇଛି । ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଜନସାଧାରଣ । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀଙ୍କ ଚିନ୍ତାର କାରଣ ସାଜିଛି। ସେପଟେ ହରଡ଼ ଡାଲି ଓ ଗହମର ମୂଲ୍ୟବୃଦ୍ଧି ଅଧିକ ଚିନ୍ତା ବଢାଇଛି । ଗ୍ରୀଷ୍ମକାଳୀନ ମୂଲ୍ୟବୃଦ୍ଧି କେବଳ ଖାଉଟିଙ୍କ ସମସ୍ୟା ନୁହଁ ବରଂ ଏହି ସମୟରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ।

 

ଆଜି ନୀତି ଆୟୋଗ ବୈଠକ, ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ । ଦିଲ୍ଲୀରେ ହକ୍ ମାଗିବ ଓଡ଼ିଶା । ନୀତି ଆୟୋଗ ବୈଠକରେ ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶରେ ବାଟ ଓଗାଳୁଛି କେନ୍ଦ୍ରର ଅସହଯୋଗ । ପୂରଣ ହେଉନାହିଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କି ମିଳୁନାହିଁ ସ୍ବତନ୍ତ୍ର ଆର୍ଥିକ ସହାୟତା । ଓଡ଼ିଶାର ଟେଲିକମ, ବ୍ୟାଙ୍କିଙ୍ଗ ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବିଶେଷ ଦୃଷ୍ଟି ଦେଉନାହିଁ କେନ୍ଦ୍ର । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି  । ବତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି  ।

କେନ୍ଦ୍ରରେ ୮ ବର୍ଷରୁ ଅଧିକ ସମୟ ଧରି ବିଜେପି ସରକାର ଚାଲିଥିଲେ ମଧ୍ୟ ଓଡ଼ିଶାର ଏହି ହକକୁ ଅଣଦେଖା କରିଚାଲିଛି । ରାଜ୍ୟବାସୀଙ୍କ ଏସବୁ ଦାବିକୁ ନୀତି ଆୟୋଗ ବୈଠକରେ ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଏହି ନ୍ୟାର୍ଯ୍ୟ ଦାବିକୁ ନୀତି ଆୟୋଗ ଅନୁଧ୍ୟାନ କରି ଦାବିପୂରଣ କରିବାକୁ ଓଡ଼ିଶା ସ୍ବର ଉଠାଇବ ।

ମୁମ୍ବାଇକୁ ହରାଇ ଫାଇନାଲରେ ଗୁଜରାଟ, କାଲି ଚେନ୍ନାଇ ସହ ଟ୍ରଫି ପାଇଁ ହେବ ଲଢ଼େଇ

ଅହମଦାବାଦ: IPLରୁ ୫ ଥରର ଚାମ୍ପିଅନ ମୁମ୍ବାଇ ଆଉଟ୍ । ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଲା ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ଆଗରେ ହାର ମାନିଲା ମୁମ୍ବାଇ  । ମୁମ୍ବାଇକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଏବେ ରବିବାର ଫାଇନାଲରେ ଗୁଜରାଟ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ ଲଢ଼େଇ ।

ଗତକାଲି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମ ବ୍ୟାଟିଂ କରିଥିବା ଗୁଜରାଟ ମୁମ୍ବାଇ ସାମ୍ନାରେ ବିଶାଳ ସ୍କୋର ଛିଡ଼ା କରିଥିଲା । ଶୁଭମନ ଗିଲଙ୍କ ଧୁଆଁଧାର ଶତକ ଫଳରେ ହାର୍ଦ୍ଦିକ ଆଣ୍ଡ କୋ ମୁମ୍ବାଇ ସାମ୍ନାରେ ୨୩୪ ରନର ଟାର୍ଗେଟ ଦେଇଥିଲା । ତେବେ ୨୩୪ ରନର ଟାର୍ଗେଟକୁ ପଡ଼ିଆକୁ ଓହ୍ଲାଇଥିଲା ମୁମ୍ବାଇ । ଆରମ୍ଭରୁ ଓ୍ୱିକେଟ ପଡ଼ିଥିଲେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ଓ କେମରନ ଗ୍ରୀନଙ୍କ ପାର୍ଟନରସିପ୍ ମୁମ୍ବାଇକୁ ବିଜୟର ଏକ ଆଶା ଦେଇଥିଲେ । କିନ୍ତୁ ମୁମ୍ବାଇର ଏହି ଆଶାକୁ ଧୂଳିଶାତ୍ କରିଥିଲେ ମୋହିତ ଶର୍ମା । ମୁମ୍ବାଇର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ମୁମ୍ବାଇକୁ ବ୍ୟାକଫୁଟରେ ରଖିଥିଲେ । ଯାହାଫଳରେ ମୁମ୍ବାଇ ୧୮.୨ ଓଭରରେ ମାତ୍ର ୧୭୧ ରନ କରି ଆଲଆଉଟ ହୋଇଥିଲା ।

ଖରାକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ସର୍ଭେ ଅବଧି ଜୁନ୍ ୬କୁ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିଲା ପଛୁଆ ବର୍ଗ ସର୍ଭେ ଅବଧି । ଜୁନ ୬ ତାରିଖ ଯାଏ ସର୍ଭେ ଅବଧିକୁ ବଢାଇଛନ୍ତି ରାଜ୍ୟ ସରକା । ଖରାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଏନୁମୁରେଟରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ମେ ଏକ ତାରିଖରୁ ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେ ଆରମ୍ଭ ଜାରି ରହିଛି । ଆସନ୍ତାକାଲି ଏହି ସର୍ଭେ ଶେଷ ହୋଇଥାନ୍ତା । ମାତ୍ର ଖରାକୁ ଦୃଷ୍ଟିରେ ରଖି ଏହାର ଅବଧି ବଢାଇଛନ୍ତି ରାଜ୍ୟ ସରକାର ।

ଶୁବମନଙ୍କ ଧୂଆଁଧାର ଶତକ ବଳରେ ମୁମ୍ବାଇକୁ ୨୩୪ରନର ଟାର୍ଗେଟ ଦେଲା ଗୁଜରାଟ ଟାଇଟନ୍ସ

ଅହମ୍ମଦାବାଦ: ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ସେହିପରି ଆହ୍ୱାନ କ୍ରମେ ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରିଥିଲା । ଗୁଜରାଟର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କ ଦ୍ରୁତତମ ଶତକ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ୍ ସଂଗ୍ରହ କରିଛି ।

ଏବେ ମୁମ୍ବାଇକୁ ଜିତିବାକୁ ହେଲେ ୨୦ ଓଭରରେ ୨୩୪ ରନ୍ ସଂଗ୍ରହ କରିବାକୁ ହେବ । ଆଜିର ମ୍ୟାଚରେ ଗୁଜରାଟ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରିଦ୍ଧିମାନ ଶାହ ଏବଂ ଶୁବମନ ଗିଲ୍ କ୍ରୀଜକୁ ଓହ୍ଲାଇଥିଲେ । ରିଦ୍ଧିମାନ ଶାହ ୧୬ ଟି ବଲରେ ୧୮ ରନ୍ କରି ପିୟୁଶ ଚାୱଲାଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ହେଲେ ଶୁବମନ ଗିଲ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ସାଥ ଦେଇଥିଲେ ସାଇ ସୁଦର୍ଶନ । ଶୁବମନ ଗିଲ୍ ୬୦ ଟି ବଲ୍ ଖେଳି ୧୨୯ରନର ଚମତ୍କାର ଇନିଂସ ଖେଳିଥିଲେ । ସେହିପରି ସାଇ ସୁଦର୍ଶନ ୩୧ ଟି ବଲରେ ୪୩ ରନ୍ କରି ରିଟାର୍ଡ ଆଉଟ୍ ହୋଇଯାଇଥିଲେ ।

୨୦ ଓଭର ସରିବା ବେଳରେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଟି ବଲରେ ୨୮ ରନ୍ କରିଥିବାବେଳେ ରଶିଦ ଖାନ୍ ୨ଟି ବଲରେ ୫ ରନ୍ କରିଥିଲେ । ଦଳ ୨୦ ଓଭରରେ ୩ ୱିକେଟ୍ ବିନିମୟରେ ୨୩୩ ରନ୍ ସଂଗ୍ରହ କରିଛି । ମୁମ୍ବାଇ ପକ୍ଷରୁ ଆକାଶ ମଧୁୱାଲା ଏବଂ ପିୟୁଷ ଚାୱଲା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ମୁମ୍ବାଇକୁ ଆଜିର ମ୍ୟାଚ୍ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୨୩୪ରନର ବଡ଼ ଟାର୍ଗେଟକୁ ହାସଲ କରିବାକୁ ପଡ଼ିବ । ଆଜିର ମ୍ୟାଚ୍ ଯିଏ ଜିତିବ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହେବ । ଏବଂ ଅନ୍ୟ ଦଳ ବାଦ୍ ପଡ଼ିବ । ଆଜିର ବିଜୟୀ ଟିମ୍ ଆସନ୍ତା ୨୮ ତାରିଖରେ ଫାଇନାଲ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ ମ୍ୟାଚରେ ଶୁବମନଙ୍କ ଧୂଆଁଧାର ଶତକ

ଗୁଜରାଟ: ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଛି । ମୁମ୍ବାଇ ଟସ୍ ଜିତି ବୋଲିଂ କରୁଛି । ସେହିପରି ଗୁଜରାଟ ବ୍ୟାଟିଂ କରୁଛି । ଗୁଜରାଟର ପ୍ରାରମ୍ଭିକ ବ୍ୟାଟମ୍ସମ୍ୟାନ ଶୁବମନ ଗିଲ୍ ଦମଦାର ଶତକ ହାସଲ କରିଛନ୍ତି । ସେ ୪୯ ଟି ବଲରୁ ଏହି ଶତକ ହାସଲ କରିଛନ୍ତି । ଚଳିତ ଆଇପିଏଲ ସିଜିନରେ ଏହା ତାଙ୍କର ତୃତୀୟ ଶତକ ଅଟେ । ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହ ଏବଂ ଶୁଭମନ ଗିଲ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରୀଜକୁ ଓହ୍ଲାଇଥିଲେ । ରିଦ୍ଧମାସ ଶାହ ୧୬ ଟି ବଲରେ ୧୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଆସି ଗିଲଙ୍କୁ ସାଥ୍ ଦେଇଥିଲେ । ଦଳ ୧୬ ଓଭର ଚାଲୁଥିବାବେଳେ ୧୮୩ରନ୍ ସଂଗ୍ରହ କରିଛି । ଶୁବମନ ଗିଲ୍ ବ୍ୟକ୍ତିଗତ ୫୬ ଟି ବଲରେ ୧୨୩ ରନ୍ କରି ବ୍ୟାଟିଂ କରୁଥିବା ବେଳେ ସାଇ ସୁଦର୍ଶନ ୨୪ ଟି ବଲରେ ୩୬ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି । ଆଜିର ମ୍ୟାଚ୍ ଯିଏ ଜିତିବ ଆସନ୍ତା ୨୮ ତାରିଖରେ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।

ବାଇକରେ ଆସିଲେ ଦମ୍ପତିଙ୍କଠୁ ୪ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଦମ୍ପତିଙ୍କ ଠାରୁ ଝାମ୍ପି ନେଲେ ୪ଲକ୍ଷ ୫୦ହଜାର ଟଙ୍କା । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଲୁଟ୍ । ଦମ୍ପତିଙ୍କ ଘର ରଙ୍ଗେଇଲୁଣ୍ଡା ବ୍ଲକ ଆରୁଆପଲି ଅଞ୍ଚଳରେ । ଆଜି ୧୧ଟା ରେ ଉଭୟ ସ୍ବାମୀ ସ୍ତ୍ରୀ ବାଇକ୍ ରେ ଲାଞ୍ଜିପଲୀ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ସେଠାରେ ୫ଲକ୍ଷ ୩୦ ହଜାର ଟଙ୍କା ଉଠାଇଥିଲେ । ସ୍ତ୍ରୀଙ୍କ ଭ୍ୟାନିଟିରେ ୪ ଲକ୍ଷ ୫୦ହଜାର ଟଙ୍କା ରଖିଥିବା ବେଳେ ଅନ୍ୟ ଏକ ବ୍ୟାଗ୍ ରେ ୭୦ହଜାର ଟଙ୍କା ରଖି ବଳକା ୧୦ହଜାର ଟଙ୍କା ନିଜ ଝିଅ ଆକାଉଣ୍ଟରେ ଜମା କରିଥିଲେ ।

ସେଠାରୁ ବାଇକ୍ ଯୋଗେ ଆଙ୍କୁଲି ଓଭର ବ୍ରିଜ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ବ୍ୟାଙ୍କ୍ ନିକଟରୁ ଉଭୟଙ୍କୁ ବାଇକ୍ ରେ ପିଛା କରି ଆଙ୍କୁଳି ଓଭର ବ୍ରିଜ ନିକଟରେ ବାଇକ୍ କୁ ଧକ୍କା ଦେଇ ଭ୍ୟାନିଟି ଝାମ୍ପି ନେଇ ଥିଲେ । ଏନେଇ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ପରେ ପୋଲିସ ବ୍ୟାଙ୍କ୍ ଓ ରାସ୍ତାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍-୨୦୨୩ ଫାଇନାଲ୍ ପାଇଁ ପୁରସ୍କାର ରାଶି ଘୋଷିତ, ବିଜେତା ଟିମକୁ ମିଳିବ ଏତିକି ଟଙ୍କା….

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୭ ଜୁନରୁ ଇଂଲଣ୍ଡର ଓଭାଲରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ଖେଳାଯିବ । ଆଇସିସି ଏହି ମହାମୁକାବିଲାର ପ୍ରାଇଜ ମନିର ଘୋଷଣା କରିଛି । ଡବ୍ଲୁଟିସି ଫାଇନାଲ ଜିତିବା ଟିମକୁ ୧.୬ ମିଲିୟନ ଡଲାର (ପ୍ରାୟ ୧୩.୨୧ କୋଟି ଟଙ୍କା) ମିଳିବ । ସେହିପରି ରନରଅପ୍ ଟିମକୁ ୮ ଲକ୍ଷ ଡଲାର (ପ୍ରାୟ ୬.୬ କୋଟି ଟଙ୍କା) ମିଳିବ । ସେହିପରି ଟୁର୍ଣ୍ଣାମେଣ୍ଟର ମୋଟ ପ୍ରାଇଜ ମନି ଗତ ସାଇକିଲ (୨୦୧୯-୨୧) ବରାବର ୩.୮ ମିଲିୟନ ଡଲାର (ପ୍ରାୟ ୩୧.୩୯ କୋଟି ଟଙ୍କା) ହିଁ ରହିବ ।

ପ୍ରକାଶ ଥାଉକି, ଡବ୍ଲୁଟିସି ଫାଇନାଲ୍ ୭ରୁ ୧୧ ଜୁନ ପର୍ଯ୍ୟନ୍ତ ଚାଲିବ ଏବଂ ୧୨ ଜୁନ ରିଜର୍ଭ ଡେ ଭାବରେ ରହିବ । ପାକିସ୍ତାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଦ୍ୱିତୀୟ ସାଇକିଲରେ ସପ୍ତମ ସ୍ଥାନରେ ରହିଚି, ତାକୁ ପ୍ରାଇଜ ମନି ଆଧାରରେ ୧ ଲକ୍ଷ ଡଲାର (ପ୍ରାୟ ୮୨ ଲକ୍ଷ ଟଙ୍କା) ମିଳିବ । ଟିମ ଇଣ୍ଡିଆକୁ ଫାଇନାଲ ହାରିବା ସତ୍ତ୍ୱେ ପାକିସ୍ତାନଠୁ ୮ ଗୁଣା ଅଧିକ ପ୍ରାଇଜ ମନି ମିଳିବ । ବିଶ୍ୱ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସାଇକିଲର ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଖେଳାଯାଇଥିଲା । କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଭାରତକୁ ହରାଇଥିଲା ।

ଫାଇନାଲ ଜିତିଥିବା ନ୍ୟୁଜିଲାଣ୍ଡକୁ ୧୩.୨୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିଥିଲା । ଡବ୍ଲୁଟିସିର ଦ୍ୱିତୀୟ ସାଇକିଲରେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି । ତାକୁ ପ୍ରାଇଜ ମନି ଆଧାରରେ ୪.୫ ଲକ୍ଷ ଡଲାର ମିଳିବ । ସେହିପରି ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ୩.୫ ଲକ୍ଷ ଡଲାରର ପୁରସ୍କାର ରାଶି ମିଳିବ । ୫ମ ସ୍ଥାନରେ ଥିବା ଶ୍ରୀଲଙ୍କାକୁ ୨ ଲକ୍ଷ ଡଲାର (୧.୬୫ କୋଟି ଟଙ୍କା) ପୁରସ୍କାର ରାଶି ମିଳିବ । ସେହିପରି ଷଷ୍ଠ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ, ସପ୍ତମ ସ୍ଥାନରେ ଥିବା ପାକିସ୍ତାନ, ଅଷ୍ଟମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜକୁ ପ୍ରାଇଜ ମନି ଆଧାରରେ ଏକ ଲକ୍ଷ ଡଲାର ଲେଖାଏଁ ଦିଆଯିବ ।