ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଡିଏଲଏସ୍ ପଦ୍ଧତିରେ ୨ ରନରେ ଜିତିଲା ଟିମ୍ ଇଣ୍ଡିଆ

1 min read

ଡବଲିନ: ଭାରତ ଆୟରଲ୍ୟାଣ୍ଡକୁ ବର୍ଷା ଦ୍ୱାରା ପ୍ରଭାବିତ ପ୍ରଥମ ଟି-୨୦ ମ୍ୟାଚରେ ଡକୱର୍ଥ ଲୁଇସ୍ (ଡିଏଲଏସ) ପଦ୍ଧତିରେ ୨ ରନରେ ପରାଜିତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୯ରନ କରିଥିଲା । ଆୟରଲ୍ୟାଣ୍ଡ ପକ୍ଷରୁ ବାରି ମାକ୍କାର୍ଥି ସର୍ବାଧିକ ୫୧ରନ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ଜଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ରବି ବିଷ୍ଣୋଇ ୨ ଟିଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୧୪୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ଏବଂ ଋତୁରାଜ ଗାୟକ୍ୱାଡ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ଜୟସ୍ୱାଲ ୨୩ ବଲରେ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲା । ତାଙ୍କ ସ୍ଥାନରେ ତିଲକ ବର୍ମା କ୍ରୀଜକୁ ଓହ୍ଲାଇଥିଲେ ହେଲେ ସେ ଖାତା ଖୋଲି ନପାରି କ୍ରେଜ ୟଙ୍ଗ ଓଭରରେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଭାରତ ପକ୍ଷରୁ ଋତୁରାଜ ଗାୟକ୍ୱାଡ ଏବଂ ସଞ୍ଜୁ ସାମସନ ବ୍ୟାଟିଂ କରୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ୬.୫ ଓଭର ଚାଲିଥିବା ବେଳେ ଭାରତ ୨ ୱିକେଟ୍ ବିନିମୟରେ ୪୭ ରନ୍ କରିଥିଲା । ଲଗାଣ ବର୍ଷା କାରଣରୁ ଅମ୍ପାୟାର ଡିଏଲଏସ୍ ପଦ୍ଧତିରେ ଭାରତକୁ ବିଜୟୀ ଘୋଷିତ କରିଥିଲେ ।