spot_img
Home Blog Page 3093

ମଦ ପିଇବାକୁ ଓ ଜୁଆ ଖେଳିବାକୁ ମଙ୍ଗଳସୂତ୍ର ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ !

କେନ୍ଦ୍ରାପଡ଼ା: ମଦ ପିଇବାକୁ ଏବଂ ଜୁଆ ଖେଳିବାକୁ ମଙ୍ଗଳ ସୁତ୍ର ନଦେବାରୁ ସ୍ତ୍ରୀକୁ ପିଟି ପଟି ମାରିଦେଲା ସ୍ବାମୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ମଧ୍ୟମ ଜମ୍ବୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମାନସ ସୁର ନାମକ ଜଣେ ଯୁବକ ତାଙ୍କର ସ୍ତ୍ରୀ କଳ୍ପନା ଗିରିକୁ ପିଟିପଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା। ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିଙ୍କୁ ପ୍ରାୟ ଚାରିବର୍ଷ ତଳେ ଜମ୍ବୁ ଗାଁର ଅନିଲ ସୁରଙ୍କ ପୁଅ ମାନସ ଗିରି ବିବାହ କରିଥିଲେ ।

ଆଗରୁ କଳ୍ପନାଙ୍କ ସ୍ବାମି ମାନସ ଜୁଆ ଓ ମଦ ପିଇ ବାରମ୍ବାର ସ୍ତ୍ରୀ କଳ୍ପନାଙ୍କୁ ମାର ଧର କରୁଥିଲେ । ଗତକାଲି କଳ୍ପନାକୁ ସ୍ବାମୀ ବାଡେଇ ବାଡେଇ ମାରିଦେଇଥିବା ସାମୁଦ୍ରିକ ଥାନା ଜମ୍ବୁରେ ଲିଖିତ ଅଭିଯୋଗ କରିଛନ୍ତି ମୃତ କଳ୍ପନାଙ୍କ ବାପା । କଳ୍ପନାଙ୍କୁ ମଦ ଓ ଜୁଆ ଖେଳିବା ପାଇଁ ମଙ୍ଗଳସୁତ୍ର ମାଗିଥିଲେ । କଳ୍ପନା ମଙ୍ଗଳସୁତ୍ର ନଦେବାରୁ କଳ୍ପନାକୁ ପିଟି ପିଟି ମାରିଦେଇଥିବା ପ୍ରତିକ୍ରିୟା ଦେଇଛନ୍ତି କଳ୍ପନାଙ୍କ ଭାଇ ଗୌତମ । ଘଟଣା ସ୍ଥଳରେ ଜମ୍ବୁ ପୋଲିସ ସହିତ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ କରିବା ସହିତ ମୃତ ମହିଳାଙ୍କ ସ୍ବାମୀ ଓ ଶଶୁରକୁ ଅଟକ ରଖିଛି ।

ଢେଙ୍କାନାଳରେ ମାଟି ମାଫିଆଙ୍କ ଦୌରାତ୍ମ୍ୟ, ରେଡ୍ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ମାଟି ମାଫିଆଙ୍କ ଦୌରାତ୍ମ୍ୟ । ରେଡ କରିବାରୁ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଦୁଇଜଣଙ୍କ ଆକ୍ରମଣରେ ତହସିଲଦାର ସିରିୟାଲ ଶୁଭ୍ର ପଟେଲ ଗୁରୁତର ହୋଇଛନ୍ତି । ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପଥରଖମ୍ବ ଗାଁ ନିକଟରେ ବେଆଇନ ଭାବେ ଜେସିବି ଲଗାଇ ମାଟି ଖୋଳୁଥିବା ସମୟରେ ରେଡ୍ କରିଥିଲେ ତହସିଲଦାର । ଏହି ସମୟରେ ତହସିଲଦାରଙ୍କ ଗାଡ଼ି ଚଢାଇ ଦେଇଥିଲେ ଅଭିଯୁକ୍ତ । ପରଜଙ୍ଗ ଆରଆଇ ଆଲୋକ ଲେଙ୍କା ଓ ତହସିଲର କନିଷ୍ଠ କିରାଣୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଅଭିଯୁକ୍ତ ।

ରାଜ୍ୟ ପାଠାଗାର ପରିଦର୍ଶନ କଲେ 5T ସଚିବ, ପିଲାଙ୍କ ଫିଡବ୍ୟାକ୍ ନେଇ ସମସ୍ୟାର କଲେ ସମାଧାନ

ଭୁବନେଶ୍ୱର: ୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ହେବ ରୂପାନ୍ତରଣ । ଓ୍ବାଇଫାଇ ସହିତ ମିଳିବ ଫୁଡ୍କୋଟ ସୁବିଧା । କୃତୀତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ବ ମାନଙ୍କ ଦ୍ବାରା ଆୟୋଜନ କରାଯିବ କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ । ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏଣୁ ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ । ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ କରି ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ । ଲାଇବ୍ରେରୀ ପ୍ରାଙ୍ଗଣର କରାଯିବ ଲ୍ୟାଣ୍ଡ ସ୍କେପିଂ ।

ତା ସହିତ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଫୁଡକୋର୍ଟ ଓ ମିଶନ ଶକ୍ତି ପକ୍ଷରୁ କାଫେଟେରିଆ ମଧ୍ୟ କରାଯିବ । ଏତଦବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ। ଲାଇବ୍ରେରୀରେ ପର୍ଯ୍ୟାପ୍ତ କମ୍ପେଟେଟିଭ୍ ମାଗାଜିନ ରଖାଯିବ । ସଂପୂର୍ଣ୍ଣ ଲାଇବ୍ରେରୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା ପରିଚାଳିତ କରାଯିବ। ଅନ୍ୟପଟେ ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ । ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ।

ରାହୁଲଙ୍କ ପାସପୋର୍ଟ ବିବାଦ; ୩ ବର୍ଷ ପାଇଁ NOC ପ୍ରଦାନ କଲେ କୋର୍ଟ

ନୂଆଦିଲ୍ଲୀ: ରାହୁଲଙ୍କ ପାସପୋର୍ଟ ବିବାଦ। ତିନି ବର୍ଷ ପାଇଁ NOC ପ୍ରଦାନ କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ରାହୁଲ ଗାନ୍ଧୀ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିବା ବେଳେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କୋର୍ଟରେ ଏହାକୁ ବିରୋଧ କରିଥିଲେ। ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ଏନଓସି ନ ଦେବାକୁ ସେ ବିରୋଧ କରିଥିଲେ। ଯଦି ରାହୁଲ ଗାନ୍ଧୀଙ୍କୁ ବିଦେଶ ଯିବାକୁ ଦିଆଯାଏ ତାହେଲେ ଏହା ନ୍ୟାସନାଲ ହେରାଲଡ଼ ମାମଲାର ତଦନ୍ତ ଉପରେ ପ୍ରଭାବ ପକାଇପାରନ୍ତି ବୋଲି ସେ ଯୁକ୍ତି ରଖିଥିଲେ।

ନ୍ୟାସନାଲ ହେରାଲଡ ମାମଲାରେ ୨୦୧୫ ମସିହାରେ ରାହୁଲଙ୍କୁ ବେଲ ମିଳିଥିବା ବେଳେ ତାଙ୍କ ଉପରେ ନୋ ଟ୍ରାଭେଲ କଟକଣା ଜାରି ହୋଇଥିଲା । ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ସେ ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ଜମା ଦେଇଥିଲେ। ରାହୁଲ ବିଦେଶ ଗଲେ କେନ୍ଦ୍ରର ପୋଲ୍‌ ଖୋଲୁଥିବାରୁ ତାଙ୍କ ପାସପୋର୍ଟ ପାଇଁ ଏନଓସି ଦେବାକୁ ବିଜେପି ନେତା ବିରୋଧ କରୁଛନ୍ତି କଂଗ୍ରେସ କହିଛି ।

ସରକାରଙ୍କ ପ୍ରତିନିଧି, ବରିଷ୍ଠ ଅଫସରଙ୍କ ଡିପ୍ଲୋମାଟିକ ପାସପୋର୍ଟ ଦିଆଯାଇଥାଏ । ଏହି ପାସପୋର୍ଟଧାରୀଙ୍କ ପାଇଁ ଏମବାସିଠାରୁ ଆରମ୍ଭ କରି ବିଦେଶରେ ଯାତ୍ରା ବେଳେ ଅନେକ ସୁବିଧା ଦିଆଯାଇଥାଏ । ଏହାସହ ଇମିଗ୍ରେସନ ମଧ୍ୟ ସାଧାରଣ ଲୋକଙ୍କ ତୁଳନାରେ ଶୀଘ୍ର ହୋଇଯାଇଥାଏ । ରାହୁଲଙ୍କ ସଂସଦ ପଦ ଯିବା ପରେ ସେ ଏହି ପାସପୋର୍ଟ ଜମା ଦେଇ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିଲେ ।

ଜୁନ୍ ୪ ସୁଦ୍ଧା କେରଳ ଛୁଇଁବ ମୌସୁମୀ: IMD

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ । ତେବେ ଆସନ୍ତା ୪ ଜୁନ ସୁଦ୍ଧା ମୌସୁମୀ କେରଳ ଛୁଇଁବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଞ୍‌ଚିବାର ସମ୍ଭାବନା ନାହିଁ । ତେବେ ଜୁନରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ଆଇଏମଡି ସୂଚନା ଅନୁସାରେ ଆସନ୍ତା ୩ ସପ୍ତାହ ଯାଏ ଆରବ ସାଗରରେ କୌଣସି ସାଇକ୍ଲୋନ ହେବାର ସମ୍ଭାବନା ନାହିଁ ।

ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା, ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା । ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଚାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ ଜେ.କେ. ମାହେଶ୍ବରୀ ଓ ଜଷ୍ଟିସ ପିଏସ ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବାକୁ ମନା କରିବା ସହ ପିଟିସନକୁ ଖାରଜ କରିଦେଇଛନ୍ତି ।

କେନ୍ଦ୍ର ସରକାର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି ବୋଲି ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ସି.ଆର. ଜୟ ସୁକିନ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରି ସଂସଦର ଲୋକସଭା ସଚିବ ସାମ୍ବିଧାନିକ ନିୟମ ଭଙ୍ଗ କରିଛନ୍ତି ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା । ଆସନ୍ତା ୨୮ରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ଜୁନରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ଡିପିଆର ପ୍ରସ୍ତୁତ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ

ଭୁବନେଶ୍ୱର: ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବଙ୍କ ସୂଚନା । ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରି ଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କେଉଁ ରୁଟରେ ମେଟ୍ରୋ ଟ୍ରେନ୍ ଯିବ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ୍ ଯିବା ପାଇଁ ଯୋଜନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ ।

ଶିଖରଚଣ୍ଡୀ ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୨୫କୋଟି

ଭୁବନେଶ୍ୱର: ବଦଳିବ ରୂପରେଖ, ସୁନ୍ଦର ହେବ ଶିଖରଚଣ୍ଡୀ। ଭୁବନେଶ୍ବର ଉପକଣ୍ଠ  ଶିଖରଚଣ୍ଡୀ ପାହାଡର ସୌନ୍ଦର୍ଯ୍ୟକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇଛନ୍ତି । ପୂର୍ବରୁ ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ  ଅନୁମୋଦନ କରିଥିଲେ। ଶିଖରଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି କରି ଏହାକୁ ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତିକରଣ କରାଯିବ।

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ କରାଯିବ। ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରାକିଂ ରୁଟ ରହିବ। ଜୋନ-୩ ଓ ୪ରେ ମନୋରଞ୍ଜନ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧା କରାଯିବ ।

ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଗୁଜରାଟ ଓ ମୁମ୍ବାଇ

ଅହମଦାବାଦ: ଆଜି ଆଇପିଏଲ ସିଜିନ-୧୬ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚରେ ବିଜୟଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ ଦୁଇ ଦଳ । ଆଜି ସନ୍ଧ୍ୟା ସାଢ଼େ ୭ଟା ବେଳେ ଖେଳାଯିବ ଏହି ବ୍ଲକବଷ୍ଟର ମ୍ୟାଚ୍ । ଏହି ହାଇଭୋଲଟେଜ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଚଳିତବର୍ଷ ପ୍ରିମିୟର ଲିଗ୍ ସିଜିନ ଆରମ୍ଭରୁ ମୁମ୍ବାଇର ପ୍ରଦର୍ଶନ ଭଲ ନଥିବା ବେଳେ ଏବେ ପୂରା ଟିମ୍ ଫର୍ମରେ ରହିଥିବା ଦେଖାଯାଉଛି ।

ସେପଟେ ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲରେ ପହଞ୍ଚିବାକୁ ସବୁପ୍ରକାର ଚେଷ୍ଟା କରିବ ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲ ଓ ବିଜୟ ଶଙ୍କର ପ୍ରଦର୍ଶନ ଗୁଜରାଟର ବ୍ୟାଟିଂ ଲାଇନ ଅଫକୁ ସୁଦୃଢ଼ କରିଛି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । ସେହିପରି ମହମ୍ମଦ ସାମି, ମୋହିତ ଶର୍ମା ଓ ରସିଦ ଖାନଙ୍କ ବୋଲିଂ ଉପରେ ମଧ୍ୟ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନିର୍ଭର କରିବ । ହେଲେ ପୂର୍ବରୁ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ହୋଇଥିବା ତିନିଟି ମ୍ୟାଚରେ ରୋହିତଙ୍କ ଟିମର ପ୍ରଦର୍ଶନ ବେଶ ଭଲ ରହିଛି । ଦୁଇଟି ମ୍ୟାଚରେ ମୁମ୍ବାଇ ବାଜିମାତ କରିଥିବା ବେଳେ ଗୋଟିଏରେ ଗୁଜରାଟ ବିଜୟୀ ହୋଇଥିଲା ।

ନୂଆ ସଂସଦ ଭବନ ଉଦଘାଟନୀ ଅବସରରେ ୭୫ ଟଙ୍କିଆ କଏନ ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ: ଜାରି ହେବ ୭୫ ଟଙ୍କିଆ କଏନ । ନୂଆ ସଂସଦ ଭବନ ଉଦଘାଟନୀ ଅବସରରେ ୭୫ ଟଙ୍କିଆ କଏନ ଜାରି କରିବ କେନ୍ଦ୍ର । ଏନେଇ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କଏନେଜ୍‌ ରୁଲସ ୨୦୨୩ ଅନୁଯାୟୀ ଏହି ସ୍ମାରକୀ ମୁଦ୍ରା ଜାରି କରାଯିବ । ଏହାର ନିର୍ମାଣ ଟଙ୍କାଶାଳରେ କରାଯିବ। ରୂପା, ତମ୍ବା, ନିକେଲ୍‌ ଓ ଦସ୍ତା ଧାତୁ ମିଶ୍ରଣରେ ତିଆରି କରାଯିବ ୭୫ ଟଙ୍କିଆ କଏନ ।

ଗତକାଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାଏ ନେଇ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି । ଏହି ୭୫ ଟଙ୍କିଆ କଏନର ଓନଜ ୩୫ ଗ୍ରାମ ରହିବ ଏବଂ ଏଥିରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ କପର ଏବଂ ୫-୫ ପ୍ରତିଶତ ନିକେଲ ଏବଂ ଜିଙ୍କ ରହିବ । ସଂସଦ ଭବନର ଚିତ୍ର ତଳେ ୨୦୨୩ ମଧ୍ୟ ଲେଖାଯିବ । ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ ଲେଖାଯିବ । ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ଲେଖାରହିବ । ସମ୍ମୁଖ ପାର୍ଶ୍ବରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଙ୍କେତ ସିଂହ ରହିବ । ସିଂହ ତଳକୁ ଭାରତୀୟ ଟଙ୍କାର ସଙ୍କେତ ଏବଂ ଇଂରାଜୀ ସଂଖ୍ୟାରେ ୭୫ ଉଲ୍ଲେଖ କରାଯିବ ।