ମହଙ୍ଗା ମାଡ଼ରେ ବେହାଲ ଖାଉଟି, ପୁଣି ବଢ଼ିଲା ଡାଲି ଦର

ନନ୍ଦିଘୋଷ ବ୍ୟୁରୋ: ଚାଉଳ ମହଙ୍ଗା, ଗହମ ମହଙ୍ଗା, ଜିରା ମହଙ୍ଗା, ପିଆଜ ମହଙ୍ଗା । ପେଟ୍ରୋଲ ଡିଜେଲ କଥା ନକହିଲେ ଭଲ। ମହଙ୍ଗା ମାଡ଼ରେ ବେହାଲ ଖାଉଟି। ଆଉ ଏବେ ପୁଣି ବଢିଲା ଡାଲି ଦର। ୧୩୦ଟଙ୍କାରେ ବିକ୍ରି ହେଉଥିବା ଡାଲି ଏବେ ୧୪୫ ଟଙ୍କା। ସେହିପରି ୧୪୫ ଟଙ୍କାରେ ମିଳୁଥିବା ଡାଲିର ଭେରାଇଟି ଏବେ ମିଳୁଛି ୧୫୫ ଟଙ୍କାରେ। କିଲୋ ପ୍ରତି ବଢିଛି ୧୫ଟଙ୍କା। ଖାଉଟି କଣ କିଣିବ, କେମିତି ଚଳିବ ଜାଣିପାରୁନି । ବେପାରୀ ବି ମୁଣ୍ଡରେ ହାତ ଦେଲେଣି। କେନ୍ଦ୍ର ସରକାରଙ୍କ ବେଫିକର ନୀତି ଆଉ ସହି ହେଉନି। ଖୋଦ୍ ବ୍ୟବସାୟୀ ମହାସଂଘ ବି ତାଜୁବ।

୮ଦିନ ତଳେ ଡାଲିର ୩୦କେଜିଆ ପ୍ୟାକେଟ୍ ଦର ଥିଲା ୪ ହଜାର୧୪୩ ଟଙ୍କା । ଏବେ ହେଲାଣି ୪ହଜାର ୧୫୩ ଟଙ୍କା । ଏହା କେନ୍ଦ୍ର ସରକାରଙ୍କ ଆଚ୍ଛେଦିନର ପ୍ରଭାବ ବୋଲି କଂଗ୍ରେସ କହିଛି। ରାଜ୍ୟ ସରକାର ଗରିବଙ୍କ ମୁଣ୍ଡ ପିଛା ଆୟ ଦେଢ଼ ଲକ୍ଷ ଟଙ୍କା କଲେଣି। ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି ଓଡ଼ିଶା । ୨୦୩୦ ସୁଦ୍ଧା ଲୋକଙ୍କ ଆୟ ଦୁଇଗୁଣରୁ ଅଧିକ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

କିନ୍ତୁ ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଯେପରି ବିଫଳ ହୋଇଛନ୍ତି ତାହା ରାଜ୍ୟ ସରକାରଙ୍କ ବିକାଶ ଲକ୍ଷ୍ୟକୁ ବାଟବଣା କରିବ ବୋଲି ଅଭିଯୋଗ ହୋଇଛି । ସବୁ ବର୍ଗର ଲୋକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ମହିଳାଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତି ଆୟୋଗ ରିପୋର୍ଟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ଦାରିଦ୍ର୍ୟମୁକ୍ତ ହେଉଛି । କିନ୍ତୁ ଦରଦାମ ବୃଦ୍ଧି ଅନୁଶୀଳନରୁ ଜଣାପଡୁଛି କେନ୍ଦ୍ର ସରକାର ଚାହୁଁନାହାନ୍ତି, ସାଧାରଣ ଗରିବ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠନ୍ତୁ।