ଦୁଇ ଦିନିଆ ପୁରୀ ଗସ୍ତରେ ଯାଇ ଗ୍ରାଉଣ୍ଡରେ ବିକାଶ କାର୍ଯ୍ୟରେ ସମୀକ୍ଷା କରିଛନ୍ତି 5T ସଚିବ

1 min read

ପୁରୀ: ପିପିଲିରେ ଚମକିବ ଚାନ୍ଦୁଆ ଶିଳ୍ପ । ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ । ଏହାର ବିକାଶ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ପାଣ୍ଡିଆନ୍‌। ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହ ଆସନ୍ତା ୭ଦିନ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦିନେ ଦୁଇଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ । ସେହିଭଳି ବ୍ରହ୍ମଗିରି ବ୍ଲକ୍ କେରାଣ୍ଡିଆ ପଡ଼ିଆରେ ଆୟୋଜିତ ଜନଶୁଣାଣିରେ ଲୋକଙ୍କ ଦୁଃଖ ବୁଝିଲେ ଫାଇଭ-ଟି ସଚିବ । ଜନଶୁଣାଣିରେ ନିର୍ବାଚନମଣ୍ଡଳୀର ୧୦ ହଜାରରୁ ଅଧିକ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ । ମା’ମାନଙ୍କଠାରୁ ଆଶୀର୍ବାଦ ନେଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ୭ ଦିନ ଭିତରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ।

ସ୍ବଚ୍ଛତାର ସହ ପ୍ରଥମ ପର୍ଯ୍ୟାୟ ଟଙ୍କା ଖର୍ଚ୍ଚ କଲେ ଆହୁରି ଅନୁଦାନ ଦିଆଯିବ ବୋଲି କହିବା ସହ ପାନୀୟ ଜଳ ସମସ୍ୟା କାଲି ସୁଦ୍ଧା ସମାଧାନ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରାସଦ ବ୍ଲକ ପରିଦର୍ଶନ କରିଥିଲେ ଫାଇଭ-ଟି ସଚିବ । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ କମଳେଶ୍ବର ମହାଦେବ ମନ୍ଦିରରେ ପହଞ୍ଚି ଆଶିର୍ବାଦ ନେବା ସହ ମନ୍ଦିରର ଉନ୍ନତି ପାଇଁ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପରେ ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ 2ଶହ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

ଏହି ପାନୀୟ ଜଳ ପ୍ରକଳ୍ପ ଡିସେମ୍ବର ମାସ ସୁଦ୍ଧା କରାଯିବ । ପୁରୀକୁ ସଂଯୋଗ କରିବା ଲାଗି ଚିଲିକା ହ୍ରଦରେ ସେତୁ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ମିଳିଲେ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି 5ଟି ସଚିବ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ପୁରୀ ଭୂଦାନ ପଡିଆରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି 5T ସଚିବ । ଲୋକଙ୍କ ପାଖକୁ ଯାଇ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଚାଷୀ ମାନଙ୍କ ଦରଖାସ୍ତକୁ ପ୍ରାଧାନ୍ୟ ଦିଆଯିବ । ଜମି ସମସ୍ୟା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବି ବୋଲି ପାଣ୍ଡିଆନ କହିଛନ୍ତି । ଆସନ୍ତା ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ।

ପିଇବା ପାଣି ସମସ୍ୟା ତୁରନ୍ତ ସମାଧାନ ହେବ । କାଲି ସକାଳେ ଯନ୍ତ୍ରୀ ଲୋକଙ୍କ ଘରକୁ ଯିବେ । ଆଜି ଠାରୁ ପୁରୀ ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ଫାଇଭ-ଟିରେ ସାମିଲ କଲେ ମୁଖ୍ୟମନ୍ତ୍ରୀ । ପୁରୀର ବିକାଶ କାମ ମୁଖ୍ୟମନ୍ତ୍ରୀ ନିଜ ହାତକୁ ନେଇଛନ୍ତି । ଯାହା 500 ବର୍ଷରେ ହୋଇ ନଥିଲା, ତାହା ଆଉ ହଜାରେ ବର୍ଷ ଯାଏ କରିବାକୁ ପଡିବ ନାହିଁ ବୋଲି ପାଣ୍ଡିଆନ୍‌କହିଛନ୍ତି । ସମସ୍ୟା ବୁଝିବା ପାଇଁ ଲୋକଙ୍କ ପାଖକୁ ସିଏମଓକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଯୋଗୁଁ ସମସ୍ୟାର ସମାଧାନ ତୁରନ୍ତ ହେବା ସହ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚି ପାରୁଛି ।