spot_img
Home Blog Page 3080

ମେଧାବୀଙ୍କ ପାଦରେ ବେଡି ପକାଇପାରିବନି ଅଭାବ, ମାଲକାନଗିରିର କରମା ମୁଦୁଲିଙ୍କ ଦୁଃଖ ବୁଝିଲେ 5T ସଚିବ

ଭୁବନେଶ୍ୱର: ମାଲକାନଗିରିର ମେଧାବୀ ଛାତ୍ରୀ କରମା ମୁଦୁଲି ମଜୁରୀ ଲାଗିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ଘଟଣା । କରମାଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ସ୍କଲାରସିପ୍ ସହିତ ତାଙ୍କ ପରିବାରକୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, 5T ସଚିବଙ୍କ ନିର୍ଦ୍ଦେଶରେ କରମା ମୁଦୁଲିଙ୍କୁ ଭେଟି ଆଲୋଚନା କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ WEO । କରମା ଏବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ତାଙ୍କୁ ୧୩ ହଜାର ଟଙ୍କାର ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପ୍ରଦାନ କରାଯାଇଥିଲା । ବିଜୁ ଯୁବ ସଶକ୍ତିକରଣ ଯୋଜନା ମଧ୍ୟମରେ ସେ ଲାପଟପ ପାଇବା ପାଇଁ ମଧ୍ୟ ଚୟନ ହୋଇଛନ୍ତି  । ଏହାଛଡ଼ା ତାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଏବଂ IEC ଆକ୍ଟିଭିଟିଜ ଫଣ୍ଡରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ବଣ୍ଡା ଉନ୍ନୟନ ପାଣ୍ଠିରୁ ତାଙ୍କ ପରିବାରକୁ ସମସ୍ତ ସହାୟତା ପ୍ରଦାନ କରାଯାଉଛି । ତାଙ୍କ ବାପା ଓ ମାଆ ମଧୁବାବୁ ପେନସନ୍ ଯୋଜନାରେ ସହାୟତା ପାଉଛନ୍ତି । କରମାଙ୍କ କହିବା କଥା ତାଙ୍କ କଲେଜ ପାଇଁ ମାସିକ ୩ ହଜାର ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଅଧିକ ଅର୍ଥ ଦରକାର । ୨୦୨୧-୨୨ରେ ମାଲକାନଗିରି ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ଟପ୍ପର ହୋଇଥିଲେ ଖଇପୁଟ ବ୍ଲକ ପଦେଇଗୁଡ଼ା ଗାଁର କରମା ମୁଦୁଲି । ଛୁଟିରେ ଘରକୁ ଯାଇଥିବାବେଳେ ସେ ଗାଁର ମହିଳାଙ୍କ ସହିତ ମଜୁରୀ ଲାଗୁଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ କଲେଜକୁ ଫେରିବା ସହିତ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଦେଇଥିଲେ । ତାଙ୍କର ପାଠପଢା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଦୌଡୁଛି ଶିଳ୍ପାୟନ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରୋଟି ପ୍ରମୁଖ ଶିଳ୍ପ ୟୁନିଟ୍ ଉଦଘାଟନ କରିଛନ୍ତି । ଓଡ଼ିଶାର ନୂତନ ଶିଳ୍ପ ୟୁନିଟ୍ ପାଇଁ ଉଦଘାଟନୀ ସମାରୋହର ୧୭ ତମ ପର୍ଯ୍ୟାୟରେ ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପଗୁଡିକ ପାଇଁ ବିନିଯୋଗ ହେଉଛି ୩ ହଜାର ୬୦୦ କୋଟି ଟଙ୍କା । ଯାହାକି ୯ ହଜାର ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ଆକୃଷ୍ଟ କରିବାରେ ଓଡ଼ିଶା ଶୀର୍ଷ ରାଜ୍ୟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ନିବେଶକଙ୍କ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ସ୍ଥାନ କରିବା ପାଇଁ ତାଙ୍କ ସରକାରଙ୍କ ନିରନ୍ତର ଉଦ୍ୟମ ବର୍ତ୍ତମାନ ରୂପ ନେଉଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ 5T କାର୍ଯ୍ୟକ୍ରମ ପରେ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ସବୁବେଳେ ସମସ୍ୟା ମୁକ୍ତ ପରିବେଶ ଏବଂ ଏକ ତ୍ୱରିତ ବ୍ୟବସ୍ଥା ଯୋଗାଇବାକୁ ଚେଷ୍ଟା କରିଛୁ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଏକ ଉଲ୍ଲେଖନୀୟ ସଫଳତା ଥିଲା କାରଣ ଏହା ରାଜ୍ୟରେ ପ୍ରାୟ ଲକ୍ଷ ଚାକିରି ସୃଷ୍ଟି କରିପାରିବ । ଏହି ଅବସରରେ ସେ ସମସ୍ତ କମ୍ପାନୀ ଏବଂ ଓଡ଼ିଶାର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାରଙ୍କ ସହଯୋଗର ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ସେମାନଙ୍କର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ଏବଂ ଆମର ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହେବାକୁ ଉପସ୍ଥିତ ସମସ୍ତ ନିବେଶକଙ୍କୁ ନିବେଦନ କରିଥିଲେ ।

ଗଙ୍ଗାରେ ମେଡାଲ ଭସାଇଲେନି କୁସ୍ତିଯୋଦ୍ଧା, ୫ ଦିନ ମାଗିଲେ ସମୟ

ନୂଆଦିଲ୍ଲୀ: ଗଙ୍ଗାରେ ଆଜି ମେଡାଲ ଭସାଇଲେ ନାହିଁ କୁସ୍ତି ଯୋଦ୍ଧା । ହରିଦ୍ବାରରେ ପହଞ୍ଚି ଗଙ୍ଗାରେ ମେଡାଲ ଭସାଇବାକୁ ପ୍ରସ୍ତୁତି ହେଉଥିବା ବେଳେ ଚାଷୀ ନେତା ନରେଶ ଟିକାୟତ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କଠାରୁ ମେଡାଲ ନେଇ ନିଜ ପାଖରେ ରଖିଥିଲେ । ପାଞ୍ଚ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରେଶ ଟିକାୟତ  । ଆସନ୍ତା ଦୁଇ ଦିନ ମଧ୍ୟରେ ଖାପ ପଞ୍ଚାୟତଙ୍କ ବୈଠକ ବସିବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ  ।

ସେପଟେ ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବାକୁ ଘୋଷଣା କରିଛନ୍ତି ରେସଲର । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା । ଗତ ୨୮ ତାରିଖରେ ରେସଲରଙ୍କ ସଂସଦ ଭବନ ମାର୍ଚ୍ଚ ବେଳେ ଅନେକଙ୍କୁ ଗିରଫ କରିବା ସହ ଜନ୍ତରମନ୍ତରରେ ଧାରଣାସ୍ଥଳରୁ କୁସ୍ତିଯୋଦ୍ଧାଙ୍କ ଟେଣ୍ଟକୁ ପୋଲିସ କାଢ଼ି ନେଇଥିଲା । ଏହାପରେ ଜନ୍ତରମନ୍ତରରେ ଦିଲ୍ଲୀ ପୋଲିସ ୧୪୪ ଧାରା ଲାଗୁ କରିବା ଯୋଗୁ ରେସଲର ଇଣ୍ଡିଆ ଗେଟ ଆଗରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ, ସକାଳ ୯ଟା ୩୦ରୁ ୧୧ଟା ୩୦ ଯାଏଁ ଚାଲିବ ସ୍ନାନ

ପୁରୀ: ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ମଙ୍ଗଳାର୍ପଣ ରାତି ୩ଟା ୩୦ରେ ହେବାକୁ ଥିବା ବେଳେ ୪ ଟାରୁ ୬ଟା ମଧ୍ୟରେ ଡେରିଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ। ମଙ୍ଗଳ ଆଳତି ୬ଟା ୩୦ରେ ହେବା ପରେ ମଇଲମ, ତଡପଲାଗି, ଅଧରପୋଛା, ଅବକାଶ, ବେଶ ଶେଷ ନୀତି କରାଯିବ। ସେହିପରି ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଜଳବିଜେ ପୂଜା କରାଯିବ । ସ୍ନାନ ୯ଟା ୩୦ରୁ ୧୧ଟା ୩୦ ଯାଏଁ ଚାଲିବ ।

ଏହାସହ ମଇଲମ ମେକାପ ଓ ନୂଆଲାଗି ବେଶ ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଶେଷ ହେବ । ସେହିପରି ୧୨ଟା ୧୫ ରୁ ୧୨ ୪୫ ମଧ୍ୟରେ ସରିବ ଛେରାପହଁରା ନୀତି । ୧୨ଟା ୪୫ ଓ ୨ଟା ୩୦ ମଧ୍ୟରେ ହାତୀବେଶ, ୩ଟା ୧୫ ମଧ୍ୟରେ ମହନ୍ତ ଶାଢୀ ବନ୍ଧା, ୩ଟା ୩୦ରୁ ୫ଟା ମଧ୍ୟରେ ଘଣ୍ଟଛତା ସକାଳ ଧୂପ ନୀତି ସମାପନ ହେବ । ସଂଧ୍ୟା ୬ଟାରୁ ୯ଟା ୩୦ ମଧ୍ୟରେ ସାହାଣମେଲା ହେବ । ୧୦ଟାରୁ ଗୋଟାଏ ମଧ୍ୟରେ ହେବ ବାହୁଡ଼ା ପହଣ୍ଡି ।

ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା । ସମନ୍ୱୟ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା । ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ । ରଥ ଗଡ଼ିବାରେ ସମସ୍ୟା ସାଜିବ ଅଧା ଖୋଳା ରାସ୍ତା । ଜୁନ୍ ୨୦ରେ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ, ଗମନାଗମନ, ଆଲୋକୀକରଣ, ଆଇନଶୃଙ୍ଖଳା ରକ୍ଷା ପ୍ରସଙ୍ଗରେ ଏକ ସମନ୍ୱୟ ବୈଠକ ପୋଲିସ ସେବା ଭବନଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ଵ ଦେବା ସହ ବିଭିନ୍ନ ରଥ କମିଟିର ସୁବିଧା ଅସୁବିଧା ନେଇ ବିସ୍ତୃତ ଆଲୋଚନା ହୋଇଛି । ରାଜଧାନୀ ଓ ଉପକଣ୍ଠରେ ଚଳିବର୍ଷ ୫୭ଟି ରଥଯାତ୍ରା ହେଉଥିବା ବେଳେ ଇସ୍କନରେ ଲକ୍ଷାଧିକ ଲୋକଙ୍କ ସମାଗମ ଆଶା ରହିଛି। ଏଣୁ ପୋଲିସ, ବିଏମସି, Watco, R and B, ଓଡ୍ରାଫ ଆଦିର ସମନ୍ୱୟରେ କିଭଳି ରଥଯାତ୍ରା ହେବ ସେ ନେଇ ସହଯୋଗ ଲୋଡିଛନ୍ତି ବିଭିନ୍ନ ରଥ କମିଟିର କର୍ମକର୍ତ୍ତା ।

ଆଲୋଚନା ସମୟରେ ରାଜଧାନୀର ଖୋଳା ହୋଇଥିବା ରାସ୍ତା ନେଇ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ମୁକୁଳା ଡ୍ରେନ ମରାମତି, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସ୍ଥାନ, ଆମ୍ବୁଲାନ୍ସ, ଗଛ କାଟିବା, ପାଣି ସିଞ୍ଚନ କରିବା ଆଦି ଦିଗକୁ ଫୋକସ କରାଯାଇଥିଲା । ସେହିପରି ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲେଡିଜ୍ ପୋଲିସ ମୁତୟନ ହେବେ ଓ କମିଟି ସଦସ୍ୟ ଯେଉଁମାନେ ରଥ କର୍ଡନ ଭିତରେ ରହିବେ । ସେମାନଙ୍କ ନିର୍ଦ୍ଦିଷ୍ଟ ପରିଚୟ ପତ୍ର ରହିବାକୁ ଗୁରୁତ୍ୱ ଦେଇଥିଲେ ଡିସିପି । ଗୁଣ୍ଡିଚା, ବାହୁଡା ଓ ସୁନାବେଶ ହେଉଥିବା ସ୍ଥାନରେ ଅପରାଧ ନିୟନ୍ତ୍ରଣ ମୂଖ୍ୟତଃ ପକେଟମାରଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ରହିବେ ପୋଲିସ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ । ସକାଳ ୬ଟାରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ନୀତି କରାଯିବ । ଏହାପରେ ଦ୍ବାରପାଳ ପୂଜା, ବେଶ ଶେଷ ହେବ । ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ସାଢେ ୯ଟାରେ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ଅପରାହ୍ନ ୨ଟା ୩୦ରୁ ସାଢେ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ । ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ। ପରେ ୪ଟାରୁ ରଥ ଟଣା ହେବ । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛନ୍ତି । ଆସନ୍ନ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବ୍ୟାପକ ସ୍ଥାନାନ୍ତର କରିବା ତଥା ଶୂନ୍ୟ ପ୍ରାଣହାନି ସହିତ ସରକାରୀ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷାକରି ସଫଳତାର ସହ ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମ ରାଜ୍ୟ ସମ୍ମାନଜନକ ” ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ” ୨୦୨୩ ପୁରସ୍କାର ପାଇଛି । ନାଗରିକମାନଙ୍କୁ ବିପର୍ଯ୍ୟୟ ଗୁଡିକ ବିଷୟରେ ଆଗରୁ ସଜାଗ କରିବା ତଥା SMS ଦ୍ବାରା ସତର୍କ ବାର୍ତ୍ତା ପଠାଇବା ପାଇଁ ଉପକୂଳବର୍ତୀ ୧୨୨ ଟି ସ୍ଥାନରେ ଆଲର୍ଟ ସାଇରନ୍ ଟାୱାର ଗୁଡିକ ସ୍ଥାପିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ DAMPS ପୋର୍ଟାଲ ଦ୍ବାରା DBT ମାଧ୍ୟମରେ ଖୁବଶୀଘ୍ର ପ୍ରଦାନ କରାଯାଇପାରୁଛି । ଅଦ୍ୟାବଧୂ ଏହା ମାଧ୍ୟମରେ ୯ , ୮୧୬ ପରିବାରଙ୍କୁ ୩୮୭ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ( ODRP ) ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ CSR ପାଣ୍ଠି ଅଧୀନରେ ୫୯ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା ( ରାଜନଗର ତହସିଲ ) ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମଠାରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଗୃହ ସହିତ ୨୦ ଟି ODRAF ୟୁନିଟକୁ ସଶକ୍ତ କରାଯାଇଛି । ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସାରେ ସହାୟତା ପାଇଁ ୩୨, ୬୩୩ ସଂଖ୍ୟକ ସ୍ଵେଚ୍ଛାସେବୀ ତାଲିମପ୍ରାପ୍ତ ହୋଇଛନ୍ତି । ବିପର୍ଯ୍ୟୟ ସମ୍ବନ୍ଧୀୟ ସତର୍କତା ପାଇଁ ‘ SATARK ‘ ମୋବାଇଲ୍ ଆପ୍ ବିକଶିତ ହୋଇଛି । ୧୦,୦୦୦ ଗ୍ରାମରେ ଗୋଷ୍ଠୀ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ତାଲିମ ଦେବା ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ‘ ସ୍ବୟଂସିଦ୍ଧା ‘ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ମିଶନ୍ ଶକ୍ତି ବିଭାଗର ସହଯୋଗରେ ଏହା ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରାଯିବ ।

ଶହେ ଫୁଟିଆ ରାସ୍ତା ପାଇଁ ଫିଟିଲା ବାଟ, ମାଟିରେ ମିଶିଲା ଗାଡ଼କଣ ସାଇନାଥ ବସ୍ତିର ୧୫୦ ପରିବାରର ଘର

ଭୁବନେଶ୍ୱର: ମାଟିରେ ମିଶିଲା ଗାଡ଼କଣ ସାଇନାଥ ବସ୍ତିର ୧୫୦ ବଖରା ଘର । କ୍ଷତିଗ୍ରସ୍ତ ପରିବାରଙ୍କୁ ଟ୍ରାଞ୍ଜିଟ ହାଉସରେ ଥଇଥାନ ବ୍ୟବସ୍ଥା । ଡାହାଣ ପାର୍ଶ୍ବ ୧୦୦ ଫୁଟିଆ ରାସ୍ତା ନିର୍ମାଣ ପାଇଁ ଫିଟିଲା ବାଟ । ଦୂର ହେବ ଜୟଦେବ ବିହାର ଓ ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା । ହାଇକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ବିଡିଏ । ଗାଡ଼କଣ ସ୍ଥିତ ସାଇନାଥ ବସ୍ତିରେ ବୁଲିଲା ବୁଲ ଡୋଜର । ଦୁଇ ଦିନରେ ମାଟିରେ ମିଶିଲା ବସ୍ତିର ୫୦ଟି ପରିବାରର ୧୩୬ ବଖରା ଘର । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରରେ କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ନୀଳାଦ୍ରିବିହାର ସ୍ଥିତ ଟ୍ରାଞ୍ଜିଟ ହାଉସରେ କରାଯାଉଛି ଥଇଥାନ । ଉଛେଦକୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଥିଲେ ସୁଦ୍ଧା ପୋଲିସ ମୁତୟନ କରି ସମ୍ପନ୍ନ ହୋଇଛି ଉଛେଦ । ସେପଟେ ଜୟଦେବବିହାରଠାରୁ ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ପ୍ରସ୍ତାବିତ ଡାହାଣ ପାର୍ଶ୍ଵ ୧୦୦ ଫୁଟିଆ ସମାନ୍ତରାଳ ରାସ୍ତା ପାଇଁ ଫିଟିଛି ବାଟ । ଦୀର୍ଘ ୨ ବର୍ଷ ପରେ ତ୍ୱରାନ୍ୱିତ ହୋଇଛି ଡମଣା ଛକ ଠାରୁ ଗୁରୁ କେଳୁଚରଣ ପାର୍କ ଓ ଗାଡ଼କଣ ଦେଇ ସୈନିକ ସ୍କୁଲ ପର୍ଯ୍ୟନ୍ତ ଅଧାରେ ଅଟକିଥିବା ୬ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ।

୧୫ ବର୍ଷରୁ ଅଧିକ କାଳ ହେବ ପାଖାପାଖି ୨ ଶହରୁ ଅଧିକ ପରିବାର ସରକାରୀ ଜମିକୁ ଜବରଦଖଲ କରି ଗାଡ଼କଣ ସ୍ଥିତ ସାଇନାଥ ବସ୍ତିରେ ବସବାସ କରୁଥିଲେ । ତେବେ ୧୦୦ ଫୁଟିଆ ରାସ୍ତା ନିର୍ମାଣରେ ବସ୍ତିର ୫୦ଟି ପରିବାରର ୧୩୬ ବଖରା ବାଧକ ସାଜିଥିଲା । ବହୁ ବାଦବିବାଦ ପରେ ଉଛେଦ ହୋଇଛି । କ୍ଷତିଗ୍ରସ୍ତଙ୍କୁ ଯଦିଓ ଟ୍ରାଞ୍ଜିଟ କ୍ୟାମ୍ପରେ ସବୁ ସୁବିଧା ସହ ଥଇଥାନ କରାଯାଇଛି, ତଥାପି କ୍ୟାମ୍ପରେ ରହିବା ମୁସ୍କିଲ ଥିବା ଦର୍ଶାଇ ଅଧିକାଂଶ ପରିବାର ଅନ୍ୟତ୍ର ଚାଲି ଯାଇଛନ୍ତି । ଜୟଦେବବିହାର ଠାରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଅର୍ଥାତ ବାମ ପାର୍ଶ୍ଵରେ ୨ ଶହ ଓ ଡାହାଣ ପାର୍ଶ୍ବରେ ଶହେ ଫୁଟିଆ ୬ ଥାକିଆ ପ୍ରଶସ୍ଥ ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର । ଟ୍ରାନ୍ସଜେଣ୍ଡରମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । ସେମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ସହଜ ରାଶି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି କୃଷି ଉଦ୍ୟୋଗ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରାଯାଇଛି । ଏହି କ୍ରମରେ କୃଷି ଉଦ୍ୟୋଗରେ ପୁଞ୍ଜିନିବେଶ ସବସିଡି ରାଶି ୫୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ସମ୍ଭାବନାକୁ ଦୃଷ୍ଟିରେ ରଖି ୫୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ୨୦ କୋଟି ଟଙ୍କାର ପ୍ରକଳ୍ପ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଥିଲା । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ବିପୁଳ କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ବାରା କୃଷି ଏବଂ ଆନୁଷଙ୍ଗିକ କୃଷି ସହିତ ଜଡିତ କୃଷକମାନଙ୍କର ଆୟବୃଦ୍ଧି ଘଟିବା ସହିତ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି । ଏହି ମାର୍ଗଦର୍ଶିକା ୨୦୨୩ ମସିହା ଅପ୍ରେଲ ୧ ତାରିଖଠାରୁ ଅନଲାଇନରେ ଆବେଦନ କରିଥିବା ଉଦ୍ୟୋଗୀଙ୍କ ନିମନ୍ତେ ଲାଗୁ କରାଯାଇଛି ।

ବିଶ୍ୱ ମାନଚିତ୍ରରେ ଶ୍ରୀକ୍ଷେତ୍ର ପାଇବ ସ୍ୱତନ୍ତ୍ର ପରିଚୟ, ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ୧୧ ଶହ ୪୨ ଏକର ଜମି ଚିହ୍ନଟ

ପୁରୀ: ବିଶ୍ବ ମାନଚିତ୍ରରେ ଶ୍ରୀକ୍ଷେତ୍ର ପାଇବ ସ୍ବତନ୍ତ୍ର ପରିଚୟ । ସାକାର ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସେଥିମଧ୍ୟରୁ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏକ ପ୍ରମୁଖ ଓ ମହତ୍ୱପୂର୍ଣ୍ଣ ପ୍ରକଳ୍ପ । ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ବେଳେ ଇତି ମଧ୍ୟରେ ପ୍ରି ଫିଜିବିଲିଟି ରିପୋର୍ଟ ପ୍ରଦାନ ସହିତ ଅବଷ୍ଟାକଲ ସର୍ଭେ ମଧ୍ୟ ସରିଛି । ବିମାନ ବନ୍ଦର ପାଇଁ ୧ ହଜାର ୧୪୨ ଏକର ଜମି ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୨୧ ଏକର ଜମି ଅଧିଗ୍ରହଣ ନେଇ ଜଣ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଆଜି ସିପ ସରୁବାଲି ମୌଜାର ୧୫୩ ଏକର ଜମି ଅଧିଗ୍ରହଣକୁ ନେଇ ଜଣ ଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ଭାଗ ନେଇ ମତାମତ ପ୍ରଦାନ କରିବା ସହ ବିମାନ ବନ୍ଦର ନିର୍ମାଣକୁ ସ୍ବାଗତ କରିଛନ୍ତି ଲୋକେ । ଆସନ୍ତାକାଲି  ଷଣ୍ଢପୁର ମୌଜାର ବାକି ଏକର ଜମିର ଜନ ଶୁଣାଣି ଅନୁଷ୍ଠିତ ହେବ।

ଏୟାରପୋର୍ଟ ପ୍ରତିଷ୍ଠା ହେଲେ ପର୍ଯ୍ୟଟନର ବିକାଶ ହେବା ସହ ଗମନାଗମନ ସୁବିଧା ହେବ । ବିଶ୍ବ ମାନଚିତ୍ରରେ ପୁରୀ ଏକ ବିକଶିତ ସହରର ମାନ୍ୟତା ପାଇବ । ରାଜ୍ୟ ସରକାରଙ୍କ ଏହି ଯୋଜନା ବିଶ୍ୱ ସହ ଶ୍ରୀକ୍ଷେତ୍ରକୁ ଯୋଡିବାରେ ସହଯୋଗ କରିବ । ତେଣୁ ଏପରି ବିକାଶକୁ ନେଇ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିବା ବେଳେ ଏହି ପ୍ରକଳ୍ପ ନେଇ ନିଜ ଭିଟାମାଟି ଦେଇଥିବାରୁ ଗର୍ବ ଅନୁଭବ କରିଛନ୍ତି । ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦିଗରେ ପ୍ରଶାସନିକ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରିରହିଥିବା ବେଳେବେଳେ ବିମାନବନ୍ଦର ନେଇ ଚିହ୍ନଟ ଜମିରେ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି ।