ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି ହୋଇଛି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ନବୀନ ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଉପକୃତ ହେବେ ଅଧିକ ଚାଷୀ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବୀମା ପ୍ରିମିୟମ ସମ୍ପୂର୍ଣ୍ଣ ବହନ କରିବେ ରାଜ୍ୟ ସରକାର । ପୂର୍ବ ବର୍ଷ ୧୦ରୁ ୧୧ ଲକ୍ଷ ଚାଷୀ ପଞ୍ଜିକୃତ ହେଉଥିଲେ । ଚଳିତ ବର୍ଷ ଖରିଫରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ୨୩ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଛନ୍ତି । ପ୍ରଥମ ଥର ପାଇଁ ୧ ଟଙ୍କା ପ୍ରିମିୟମରେ ୫ ଏକର ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ ଟଙ୍କା ପ୍ରିମିୟମ୍‌ରେ ବୀମାଭୁକ୍ତ ହେବେ । ପ୍ରିମିୟମ ବାବଦ ଅର୍ଥ ସମ୍ପୂର୍ଣ୍ଣ ବହନ କରିବେ ରାଜ୍ୟ ସରକାର ।

ଚଳିତ ବର୍ଷଠାରୁ ଖରିଫରେ ଅଣଧାନ ଫସଲ ଯେପରିକି ଶସ୍ୟ, ଡାଲି ଜାତୀୟ, ତୈଳବୀଜ ଚାଷ ବାବଦରେ ବୀମାଭୁକ୍ତ ରାଶି ବାବଦରେ ଚାଷୀଙ୍କୁ ଦେବାକୁ ପଡ଼ିବ ମାତ୍ର ୨ ପ୍ରତିଶତ । ଅର୍ଥକରୀ ଫସଲ ପାଇଁ ବୀମାଭୁକ୍ତ ରାଶି ବାବଦରେ ଚାଷୀଙ୍କୁ ଦେବାକୁ ପଡ଼ିବ ମାତ୍ର ୫ ପ୍ରତିଶତ । ସେହିପରି ରବି ଋତୁ ପାଇଁ ଖାଦ୍ୟଶସ୍ୟ ଫସଲ ପାଇଁ ବୀମାଭୁକ୍ତ ରାଶି ବାବଦରେ ଚାଷୀ ଦେବେ ୧.୫ ପ୍ରତିଶତ ଓ ଅର୍ଥକରୀ ଫସଲ ବାବଦରେ ଚାଷୀ ପ୍ରିମିୟମ ବାବଦରେ ପ୍ରଦାନ କରିବେ ୫ ପ୍ରତିଶତ । ଅଦିନିଆ ବର୍ଷା ଜନିତ ବନ୍ୟା, ନିଅଣ୍ଟିଆ ବର୍ଷା ଜନିତ ମରୁଡ଼ି ଓ ବାତ୍ୟା ପରି ଦୁର୍ବିପାକରେ ଫସଲ ନଷ୍ଚ ହେଲେ ଚାଷୀ ପାଇବେ କ୍ଷତିପୂରଣ ।

ପୂର୍ବରୁ ରାଜ୍ୟରେ ଏତେ ସଂଖ୍ୟକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା କରୁନଥିଲେ । ହିସାବ ଅନୁଯାୟୀ ୫୦ ଲକ୍ଷ ଚାଷୀ ପରିବାର ଭିତରୁ ମାତ୍ର ୧୦ ବୀମା କରୁଥିଲେ । ମୋଟ ୪୫ ହେକ୍ଟର ଜମିରୁ ମାତ୍ର ୧୦ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତି ଭରଣା ପାଇଁ ବୀମାଭୁକ୍ତ ହେଉଥିଲା । କିନ୍ତୁ ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମବାୟ ବିଭାଗ ଓ ରାଜ୍ୟ ସରକାର ସଂସ୍କାରମୂଳକ ପଦକ୍ଷେପ ସ୍ବରୁପ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କର ୨ ହେକ୍ଟର ଜମି ପର୍ଯ୍ୟନ୍ତ ବୀମା ରାଶି ପ୍ରିମିୟମ୍‌ ସମ୍ପୂର୍ଣ୍ଣ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୩ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ପାଇଁ ଜୁଲାଇ ୩୧ ତାରିଖ ଧାର୍ଯ୍ୟ କରାଯାଇଥିଲା ।

କିନ୍ତୁ ଗରିବ ଚାଷୀଙ୍କ ସୁବିଧା ପାଇଁ ଏହାକୁ ଆଉ ଅଧିକ ୫ ଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର । ଚାଷୀଙ୍କ ପ୍ରିମିୟମ ବାବଦରେ ସରକାର ବହନ କରିବେ ୮୫୦ କୋଟି ଟଙ୍କା । ୨୦୧୬ରୁ ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ ହେବା ପରଠୁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ବହନ କରୁଥିବାବେଳେ ରାଜ୍ୟ ସରକାର ବହନ କରିଆସୁଛନ୍ତି ବାକି ୫୦ ପ୍ରତିଶତ । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଚଳିତବର୍ଷଠାରୁ ଉପକୃତ ହେବେ ୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହାସହିତ ୪ ଲକ୍ଷ ମହିଳା ଚାଷୀ ବୀମା କରିବାକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି । ଫସଲ ବୀମା ନେଇ ଚାଷୀଙ୍କ ଭିତରେ ସଚେତନତା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଓଡ଼ିଶାରୁ ଅଧିକରୁ ଅଧିକ ଚାଷୀ ବୀମାଭୁକ୍ତ ହେବ ବୋଲି ଆଶା ରଖିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।