ରାଜ୍ୟ କଂଗ୍ରେସକୁ ଏଆଇସିସିର ଅଣଦେଖା, ନୂଆ ସିଡବ୍ଲୁସିରେ ନାହିଁ ଓଡ଼ିଆ ନେତାଙ୍କ ନାଁ

1 min read

ଭୁବନେଶ୍ୱର: କଂଗ୍ରେସ ନେତାଙ୍କ ମନ ଉଣା । ସିଡବ୍ଲୁସିରେ ନାହିଁ କାହାର ନାଁ । ଏଆଇସିସିରେ କମିଛି କି ଶରତଙ୍କ ପତିଆରା? ଏଆଇସିସିର ଫୋକସରେ ନାହିଁ ଓଡ଼ିଶା କଂଗ୍ରେସ । ଆଗକୁ ବଡ଼ ପରିବର୍ତ୍ତନର ମିଳୁଛି କି ସଂକେତ ? … ଅଖିଳ ଭାରତ କଂଗ୍ରେସର କାର୍ଯ୍ୟକାରୀ କମିଟିରେ ଓଡ଼ିଶାର କୌଣସି ନେତା ସ୍ଥାନ ପାଇନାହାନ୍ତି । ସିଡବ୍ଲୁସିର ୩୯ ଜଣିଆ ତାଲିକାରେ ଓଡ଼ିଶାକୁ ଏଆଇସିସି ଅଣଦେଖା କରିଛି । ଯାହାକୁ ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ଝାଡ଼ିଛନ୍ତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ନୂଆ କାର୍ଯ୍ୟକାରୀ କମିଟିରେ ଓଡ଼ିଶାର କୌଣସି ନେତାଙ୍କୁ କାହିକିଁ ସ୍ଥାନ ଦେଲେ ନାହିଁ, ତାକୁ ନେଇ ରାଜ୍ୟ କଂଗ୍ରେସରେ ମାନସମନ୍ଥନ ଆରମ୍ଭ ହୋଇଛି ।

ସିଡବ୍ଲୁସିରେ ଓଡ଼ିଶାର କୌଣସି ନେତା ସ୍ଥାନ ନପାଇବାର କିଛିଟା ପ୍ରମୁଖ ସମ୍ଭାବ୍ୟ କାରଣ ଉପରେ ନଜର ପକାନ୍ତୁ….
 ୧- ଏଆଇସିସିର ଏହି ଆଭିମୁଖ୍ୟ ସ୍ପଷ୍ଟ ସଙ୍କେତ ଦେଇଛି ଯେ ଏଆଇସିସିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କର ସମ୍ଭବତଃ ପତିଆରା ନାହିଁ ।
 ୨- ସମ୍ଭବତଃ ଏଆଇସିସି ଭାବିଛି ଯେ, ଓଡ଼ିଶାକୁ ପ୍ରତିନିଧିତ୍ବ ଦେଇ ଲାଭ ନାହିଁ । କାରଣ ଓଡ଼ିଶାରେ ବିଜେପିର ବି’ ଟିମ୍‌ ଭାବେ କଂଗ୍ରେସ କାମ କରୁଛି ।
 ୩- ରାଜ୍ୟ କଂଗ୍ରେସରେ ବିଶୃଙ୍ଖଳା ମଧ୍ୟ ଏଆଇସିସିକୁ ବାଧ୍ୟ କରିଛି ଅଣଦେଖା କରିବା ପାଇଁ ।
 ୪- ନିକଟରେ ଉତ୍ତର ପ୍ରଦେଶ ସହ କିଛି ରାଜ୍ୟର କଂଗ୍ରେସ ସଭାପତି ପରିବର୍ତ୍ତନ କରାଯାଇଛି । ସେହି ଢାଞ୍ଚାରେ ଓଡ଼ିଶାରେ ଆଗକୁ ପରିବର୍ତ୍ତନର ହେବାର ସମ୍ଭାବନା ଅଛି । ତେଣୁ ସିଡବ୍ଲୁସିରେ କାହାକୁ ପ୍ରତିନିଧିତ୍ବ ଦିଆଯାଇନାହିଁ ।
ପିସିସି ସଭାପତି ହଟାଅ ଅଭିଯାନ ଜୋରଦାର ହେବା ବେଳେ ଏଆଇସିସିର ନୂଆ ଟିମରେ ଓଡ଼ିଶା ନେତା ସ୍ଥାନ ନପାଇବା ରାଜ୍ୟ କଂଗ୍ରେସ ରାଜନୀତିକୁ ଗୋଳମାଳିଆ କରିଛି । ଖୁବଶୀଘ୍ର ଏନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବେ କଂଗ୍ରେସ ନେତା । ଏଆଇସିସି କାହିଁକି ଓଡ଼ିଶାକୁ ଫୋକସ କରୁନାହିଁ ଓ ଏଥିପାଇଁ କିଏ ଦାୟୀ, ସେନେଇ କଂଗ୍ରେସ ନେତାମାନେ ରାଜ୍ୟ ନେତୃତ୍ବ ପ୍ରତି ଅଙ୍ଗୁଳି ଉଠାଇଛନ୍ତି ।

ରାଜ୍ୟ କଂଗ୍ରେସ ଓ ଏଆଇସିସିକୁ ନେଇ ଦଳର ହେଭିଓ୍ବେଟ୍‌ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଅକଳରେ ପଡ଼ିଛନ୍ତି ପିସିସି ସଭାପତି । ଖୁବଶୀଘ୍ର ଦିଲ୍ଲୀଯାଇ ହାଇକମାଣ୍ଡଙ୍କ ଶରଣ ନେବାକୁ ମନସ୍ଥ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶେଷଥର ପାଇଁ ଦଳର ପୁରୁଖା ନେତା ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ ଓ ସୁଶୀଳା ତରିଆ ସିଡବ୍ଲୁସିରେ ସ୍ଥାନ ପାଇଥିଲେ । ଏବେ ବିଜେପି ଇସାରାରେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଚାଲୁଥିବାରୁ ନେତୃତ୍ବ ପରିବର୍ତ୍ତନ ସହ ଦକ୍ଷ ନେତାଙ୍କୁ ସିଡବ୍ଲୁସିରେ ସାମିଲ କରିବା ଦାବି ଜୋରଦାର ହୋଇଛି ।