spot_img
Home Blog Page 3015

ବିରୋଧୀ ଏକତାକୁ ଝଟକା; ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ସମର୍ଥନ ନଦେଲେ ବୈଠକକୁ ବହିଷ୍କାର କରିବ ଏଏପି

ନୂଆଦିଲ୍ଲୀ: ବିଜେପି ବିରୋଧରେ ଲୋକସଭା ନିର୍ବାଚନରେ ଏକଜୁଟ ହେବାପାଇଁ ପ୍ରୟାସରେ ଲାଗିଥିବା ବିରୋଧୀ ଦଳଗୁଡ଼ିକର ବୈଠକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ପାଟନାରେ ଡକାଇଛନ୍ତି । ହେଲେ ଏହାର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଏକ ସର୍ତ୍ତ ରଖି ବହିଷ୍କାର ଧମକ ଦେଇଛି । ସର୍ବପ୍ରଥମେ ଅଧ୍ୟାଦେଶ ଉପରେ ଚର୍ଚ୍ଚା ଚାହୁଁଥିବା ଏଏପି କହିଛି ଯେ ଯଦି କାଲି ସୁଦ୍ଧା କଂଗ୍ରେସ ଦଳ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନର ଘୋଷଣା ନକରେ ତେବେ ସେ ବୈଠକର ବହିସ୍କାର କରିବ । ଏଏପିରର ଜଣେ ସୂତ୍ର କହିଛନ୍ତି ଆପ୍ ଦଳ ତାର ଆଭିମୁଖ୍ୟ ବିରୋଧୀ ଦଳଗୁଡ଼ିକ ସାମ୍ନାରେ ସ୍ପଷ୍ଟ କରିଛି ।

ଯଦି କଂଗ୍ରେସ ରାଜ୍ୟସଭାରେ ଅଧ୍ୟାଦେଶ ଉପରେ ସମର୍ଥନ କରିବାର ଆଶ୍ୱାସନା ନଦିଏ ତେବେ ବିରୋଧୀଙ୍କ ବୈଠକକୁ ବହିଷ୍କାର କରାଯିବ । ସେହିପରି କଂଗ୍ରେସ ସହ ସମ୍ବନ୍ଧିତ ଜଣେ ସୂତ୍ର କହିଛନ୍ତି ଯେ ବିରୋଧୀଙ୍କ ବୈଠକରେ ଅଧ୍ୟାଦେଶ ପ୍ରସଙ୍ଗ ହିଁ ନାହିଁ, ବରଂ ବିଜେପିକୁ ହରାଇବା ଉପରେ ଚର୍ଚ୍ଚା ହେବ । ଏହା ପୂର୍ବରୁ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ ବିରୋଧୀ ନେତାଙ୍କୁ ଚିଠି ଲେଖି ଏହି ଦାବି ରଖିଥିଲେ ଯେ ବୈଠକରେ ସର୍ବପ୍ରଥମେ ଦିଲ୍ଲୀକୁ ନେଇ ଅଣାଯାଇଥିବା କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ଚର୍ଚ୍ଚା ହେଉ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେଜରିୱାଲ କହିଥିଲେ ଯେ ପାଟନା ବୈଠକରେ ସବୁ ଦଳ କଂଗ୍ରେସକୁ ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ କହିବା ଆବଶ୍ୟକ ।

କେଜରିୱାଲ ଅଧ୍ୟାଦେଶକୁ ଆଇନ ରୂପ ଦେବା ପାଇଁ ମୌସୁମୀ ଅଧିବେଶନରେ ସମ୍ଭାବିତ ବିଲକୁ ରାଜ୍ୟସଭାରେ ରୋକିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତମାତ ବିରୋଧୀଦଳ ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି । କେଜରିୱାଲ ମଇ ମାସ ଶେଷ ଭାଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ସୁଦ୍ଧା ନା ଭେଟଘାଟର ସମୟ ଦେଇଛି ନା ଅଧ୍ୟାଦେଶ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏପରି ସ୍ଥିତିରେ ଯଦି ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ କୁ କଂଗ୍ରେସ ସମର୍ଥନ ନଦିଏ ତେବେ ଦଳ ବିରୋଧୀ ଏକତାରୁ ଅଲଗା ହେବାର ଆଶଙ୍କା ଅଧିକ ଦେଖା ଦେଇଛି ।

ନିଖୋଜ ବୁଡ଼ାଜାହଜରେ ମାତ୍ର କିଛି ଘଣ୍ଟାର ଅମ୍ଳଜାନ ବାକି ଅଛି, ଶେଷ ପ୍ରୟାସ କରୁଛନ୍ତି ଉଦ୍ଧାରକାରୀ ଦଳ

ନନ୍ଦିଘୋଷ ବ୍ୟୁରୋ: ସରୁଛି ସମୟ । ବଢୁଛି ବିପଦ । ଟାଇଟାନିକ ଭଗ୍ନାଂଶ ଦେଖିବାର ନିଶା ଏବେ ସାଜିବାରେ ଲାଗିଛି ଭୟଙ୍କର । ସବମେରିନରେ ଅମ୍ଳଜାନ ପରିମାଣ ଶେଷ ଅବସ୍ଥାକୁ ଆସୁଥିବେଳେ ସେଥିରେ ଥିବା ୫ ଯାତ୍ରୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ସମୟ ଆଉ ମାତ୍ର ୨ ଘଣ୍ଟା ଥିବା ସତ୍ତ୍ବେ ସବମେରିନରୁ ମିଳୁନି ସନ୍ଧାନ । ଟାଇଟାନିକ ଦେଖିବାକୁ ଆମେରିକୀୟ କମ୍ପାନୀ ଓସିଆନ ଗେଟର ସ୍ବତନ୍ତ୍ର ମିଶନରେ ତ୍ରୁଟି ଥିବାରୁ ଏକ ବଡ଼ ଅଘଟଣର ଶିକାର ହୋଇଛି ବୁଡାଜାହାଜ । ରେସ୍କ୍ୟୁ ଅପରେସନରେ ଆମେରିକା ଓ କାନାଡାର କୋଷ୍ଟଗାର୍ଡ ଟିମ୍ ସାମିଲ ଅଛନ୍ତି ।

୫ ପର୍ଯ୍ୟଟକଙ୍କ ନେଇ ୧୩ ହଜାର ଫୁଟ ସମୁଦ୍ର ତଳେ ଦବି ରହିଥିବା ଟାଇଟାନିକର ଭଗ୍ନାଂଶ ଦେଖିବାକୁ ସ୍ପେଶାଲ ଟୁରର ଆୟୋଜନ କରିଥିଲା ଆମେରିକୀୟ କମ୍ପାନୀ ଓସିଆନ ଗେଟ । ବିଶ୍ବର ନାମୀ ଆରବପତି ଏହି ମିଶନରେ ସାମିଲ ହୋଇଥିଲେ । ଏହି ଟୁର ପାଇଁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୨କୋଟି ଲେଖାଏଁ ଟଙ୍କା ନେଇଛି କମ୍ପାନୀ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା ।

ସୋନାର ଟେକ୍ନୋଲୋଜୀ ଜରିଆରେ ଟାଇଟାନିକ ପାର୍ଶ୍ବରେ କିଛି ଶବ୍ଦ ହେଉଥିବା ଡିଭାଇସ୍ ଡିଟେକ୍ଟ କରିଥିଲେ ବି ସନ୍ଧାନ ମିଳିପାରିନାହିଁ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ନିୟୋଜିତ ହୋଇଛି । ସବମେରିନରେ ରହିଥିବା ଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ବ୍ରିଟିଶ ଅର୍ବୁଦପତି ହାମିଶ ହାର୍ଡିଂ, ପାକିସ୍ତାନୀ କୋଟିପତି ସାହାଜାଦ ଦାଉଦ ଓ ନାବାଳକ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗେଲୋଟ ।

ରାଜ୍ୟ ଆହାର ସୋସାଇଟିକୁ ୨୦କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଆହାର ସୋସାଇଟିକୁ ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ । ସହର ମାନଙ୍କରେ ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି ।

5T ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ, ୨.୪୯ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: 5T ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ଗତ ୨ ତାରିଖରେ ବାହାନଗା ରେଳ ଷ୍ଟେସନରେ ଭୟାବହ ରେଳ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ 5T କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ.ପାଣ୍ଡିଆନ ମଧ୍ୟ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଲୋକପ୍ରତିନିଧି, ସ୍କୁଲ ପରିଚାଳନା କମିଟି ତଥା ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ମତାମତ ନେଇଥିଲେ।

ଜାତୀୟ ପେନସନଧାରୀଙ୍କୁ ପଞ୍ଚାୟତରେ ଭତ୍ତା ଦେବା ବ୍ୟବସ୍ଥା କରନ୍ତୁ କେନ୍ଦ୍ର ସରକାର

ଭୁବନେଶ୍ୱର: ପଞ୍ଚାୟତସ୍ତରରେ ଭତ୍ତା ପାଉଛନ୍ତି ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ। ୨୦୦୮ରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ। ଏଥରେ ୨୮ଲକ୍ଷ ହିତାଧିକାରୀ ରହିଛନ୍ତି। ସେମାନେ ପଞ୍ଚାୟତ ଅଫିସରୁ ଭତ୍ତା ପାଉଛନ୍ତି। ହେଲେ ଜାତୀୟ ପେନସନ ଯୋଜନାରେ ଥିବା ୨୦ଲକ୍ଷ ହିତାଧିକାରୀ ଭତ୍ତା ପାଇଁ ଅର୍ଥ ଖର୍ଚ୍ଚ କରି ସହରର ବ୍ୟାଙ୍କକୁ ଯାଆନ୍ତି।

ଓଡ଼ିଶାରେ ବ୍ୟାଙ୍କିଂ ନେଟଓ୍ବର୍କ ବଢାଇବାକୁ କେନ୍ଦ୍ର ପାଖରେ ବାରମ୍ବାର ଦାବି କରାଯାଇଛି। ଏପର୍ଯ୍ୟନ୍ତ ୬୦% ଗାଁରେ ବ୍ୟାଙ୍କିଂ ସୁବିଧା ନାହିଁ। ହେଲେ ଓଡ଼ିଶାର ବିଜେପି ସାଂସଦ ରାଜ୍ୟ ସ୍ବାର୍ଥ ପାଇଁ ସ୍ୱର ଉଠାଇବା ପରିବର୍ତ୍ତେ ନିରବଦ୍ରଷ୍ଟା ପାଲଟିଛନ୍ତି। ସେହିପରି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ସ୍ୱର ଉଠାଇ ନାହାନ୍ତି। ଜାତୀୟ ପେନସନ ଯୋଜନାରେ ହିତାଧିକାରୀ ରାଜ୍ୟରୁ ୫୦% ଓ କେନ୍ଦ୍ରରୁ ୫୦% ପାଆନ୍ତି। କେନ୍ଦ୍ର ବ୍ୟାଙ୍କିଂ ସୁବିଧା ଦେଉନଥିବାରୁ ମଧୁବାବୁ ପେନସନ ପରି ଜାତୀୟ ପେନସନ୍ ପଂଚାୟତ ଅଫିସରେ ଦେଲେ ଲୋକେ ଉପକୃତ ହେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।

ଓଡ଼ିଶା ପ୍ରତି ଐତିହାସିକ ଅବହେଳା ହୋଇ ଆସୁଛି। ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ବିରୋଧୀ ମନୋଭାବ ଦେଖାଇ କିଛି ସ୍ୱର ଉଠାଉ ନାହାନ୍ତି। ଜଗତସିଂହପୁରର ଜଣେ ବୃଦ୍ଧ ବ୍ୟାଙ୍କ ଯାଇଥିଲେ। ହେଲେ ବ୍ୟାଙ୍କ ବନ୍ଦ ଥିବାରୁ ଖରାରେ ତାଙ୍କ ପ୍ରାଣ ଯାଇଛି। ଅଧିକ ବ୍ୟାଙ୍କ ସୁବିଧା କରିବା ଆବଶ୍ୟକତା ରହିଛି। ନହେଲେ ମଧୁବାବୁ ପେନସନ ପରି ଏହାକୁ ପଞ୍ଚାୟତ ସହ ଯୋଡିବାକୁ ବିଜେଡି ଦାବି କରିଛି ।

ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଯାଞ୍ଚ ହେବ ଗର୍ଭଗୃହ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍ ମଧ୍ୟ ସାମିଲ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ଉପସ୍ଥିତ। ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ଯାଞ୍ଚ କରାଯିବ। ଏଥିସହ ସିଂହଦ୍ୱାର ରୂପା ଛାଉଣୀ କାର୍ଯ୍ୟ କରାଯିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରାରେ ବାହାରିବା ପରେ କାମ ଚାଲିଛି ।

ସିଂହଦ୍ବାରରେ ଲାଗିଥିବା ପିତ୍ତଳ କବାଟ ହଟାଯାଇ ରୂପା ଦ୍ବାରର ଅବିକଳ ଏକ କବାଟ ଲାଗିଛି । ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ଲାଗିସାରିଛି । ରୂପା କବାଟ ପାଇଁ ଫ୍ରେମ୍ ଆସିଯାଇଥିବା ବେଳେ ଶୀଘ୍ର ରୂପା କବାଟ ସିଂହଦ୍ବାରରେ ଲାଗିବ । ମୁମ୍ବାଇର ଜଣେ ଦାତା ରୂପା ପ୍ରଦାନ କରିଛନ୍ତି। ସେଥିରେ ବର୍ମାଟିକ କାଠରେ ନୂତନ ଦ୍ବାରା ନିର୍ମାଣ କରାଯାଇଛି ଯାହାକୁ ଲଗାଯିବ।

ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ବାର ଆଦିକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ବାରା କରାଯାଇଛି।

ଆଜି ବିରଳ ମହାଜାଗତିକ ଦୃଶ୍ୟ, ଚନ୍ଦ୍ରଙ୍କ ଅତି ନିକଟତର ହେବେ ଶୁକ୍ର ଓ ମଙ୍ଗଳ

ନୂଆଦିଲ୍ଲୀ: ଆଜି ବିରଳ ମହାଜାଗତିକ ଦୃଶ୍ୟ। ଚନ୍ଦ୍ରର ଅତି ନିକଟତର ହେବେ ଶୁକ୍ର ଓ ମଙ୍ଗଳ । ରାତି ୭ରୁ ୮ଟା ଯାଏ ଦୃଶ୍ୟମାନ ହେବ ଏହି ଦୃଶ୍ୟ । ପଶ୍ଚିମ ଆକାଶରେ ଶୁକ୍ର ଉଜ୍ଜ୍ବଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ରହିବ। କୌଣିକ ଦୂରତା ୨ରୁ ୪ ଡିଗ୍ରୀ ରହିବ । ୨୩ ତାରିଖରେ ଚନ୍ଦ୍ର ସହ ଏହି ଦୁଇ ଗ୍ରହର କୌଣିକ ଦୂରତା ବଢ଼ିଯାଇ ୧୫ରୁ ୧୭ ଡିଗ୍ରୀ ହେବ । ପଶ୍ଚିମ ଆକାଶରେ ଘଣ୍ଟାଏ ଯାଏ ଏହି ଦୃଶ୍ୟ ଅବଲୋକନ ହୋଇପାରିବ ।

ଗତକାଲି ଚନ୍ଦ୍ରର ନିକଟତର ମଙ୍ଗଳ ଓ ଶୁକ୍ର ହୋଇଥିବାବେଳେ ବାଇନୋକୁଲାର ବିନା ମଙ୍ଗଳ ଦୃଶ୍ୟମାନ ସମ୍ଭବ ହୋଇ ନଥିଲା । ଆଜି ଅର୍ଦ୍ଧଚନ୍ଦ୍ର ୨୧ ପ୍ରତିଶତ ଅଧିକ ଉଜ୍ଜ୍ବଳ ହେବା ସମ୍ଭାବନା ଥିବାବେଳେ ମଙ୍ଗଳ ଓ ଶୁକ୍ରର ଅଧିକ ନିକଟତର ହେବ । ଚଳିତ ମାସ ଶେଷ ସପ୍ତାହରୁ ଜୁଲାଇ ୩୦ ଯାଏ ପ୍ରତିଦିନ ସନ୍ଧ୍ୟା ୭ଟାରୁ ରାତି ୮ଟା, ଯାଏ ଶୁକ୍ରକୁ ପଶ୍ଚିମ ଆକାଶରେ ଖାଲି ଆଖିରେ ଦେଖାଯାଇପାରିବ। ଏହାଠାରୁ ଅଳ୍ପ ଦୂରରେ ମଙ୍ଗଳ ଗ୍ରହ ଦୃଶ୍ୟମାନ ହେବ।

ସାପକୁ ଡବାରେ ଧରି ମେଡିକାଲରେ ପହଞ୍ଚିଲେ ୬୦ ବର୍ଷୀୟା ବୃଦ୍ଧା, ଜାଣନ୍ତୁ କାହିଁକି?

ମହାକାଳପଡ଼ା: ବିଷଧର ସାପକୁ ଡବାରେ ଧରି ଡାକ୍ତରଖାନାରେ ପହଞ୍ଚିଲେ ୬୦ ବର୍ଷୀୟା ବୃଦ୍ଧା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣି ମାଠିଆ ଗାଁର କଳ୍ପନା ନାୟକ ରାତିରେ ଘରର ବାରିପଟକୁ ଶୌଚ ପାଇଁ ଯାଉଥିବା ବେଳେ ଏକ ବିଷାକ୍ତ ସାପ ଉପରେ ତାଙ୍କ ଗୋଡ଼ ପଡ଼ିଯାଇଥିଲା । ଯାହାପରେ କଳ୍ପନାଙ୍କୁ କାମୁଡ଼ି ଦେଇଥିଲା ବିଷାକ୍ତ ସାପ ।

କଳ୍ପନା ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ସାପ କାମୁଡ଼ିଥିବା ଗୋଡ଼ର ଉପର ଅଂଶକୁ ଏକ ଲୁଗାଧଡ଼ିରେ ଭିଡ଼ିକରି ବାନ୍ଧି ଦେଇଥିଲେ। ପରେ ସାପକୁ ଧରି ଏକ ଡବାରେ ପୂରାଇ ଥିଲେ। ପରିବାର ଲୋକ ଜାଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଳ୍ପନା ଏବଂ ଡବାରେ ଥିବା ସାପକୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ କଳ୍ପନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ କଳ୍ପନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ ପ୍ରଶଂସା କରାଯାଇଛି ।

‘ଦୁର୍ଘଟଣା ସମୟରେ ବାହାନଗା ଗ୍ରାମବାସୀ ପାଲଟିଥିଲେ ଦେବଦୂତ’

ବାହାନଗା: ସେବାକୁ ସମ୍ମାନ, ସମର୍ପଣକୁ ପ୍ରୋତ୍ସାହନ। ଟ୍ରେନ ଟ୍ରାଜେଡିର ଦେବଦୂତ ବାହାନଗାବାସୀଙ୍କୁ ବଡ଼ ଉପହାର। ମଣିଷପଣିଆର ମଡେଲ ସାଜିଥିବା ବାହାନଗା ସାଜିବ ଦେଶରେ ଶ୍ରେଷ୍ଠ। ଜୁନ ୨ତାରିଖ କାଳରାତିରେ ଶହଶହ ଜୀବନ ବଞ୍ଚାଇଥିବା ଜନସାଧାରଣଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ଫାଇଭ-ଟି ସଚିବ। ଏହି ଅବସରରେ ବାହାନଗାକୁ ରାଜ୍ୟ ସରକାରଙ୍କ ବଡ଼ ଭେଟି ସମ୍ପର୍କରେ ଘୋଷଣା କରିଛନ୍ତି ଫାଇଭ-ଟି ସଚିବ। ବାହାନଗାରୁ ଆରମ୍ଭ ହେଉଛି ପ୍ରାଥମିକ ଓ ଏମଇ ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଢେଇ କୋଟି ଟଙ୍କା ମଞ୍ଜୁରୀ ପତ୍ରକୁ ମଞ୍ଚ ଉପରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଫାଇଭ-ଟି ସଚିବ। ଏହାଛଡ଼ା ବାହାନଗାକୁ ଦେଶର ମଡେଲ ପଞ୍ଚାୟତ ରୂପେ ଗଢି ତୋଳିବା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ମିଳିଛି ନିର୍ଭର ପ୍ରତିଶ୍ରୁତି।

ଏଥିସହ ବାହାନଗା ସ୍କୁଲର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି ଟଙ୍କା। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ମଞ୍ଜୁରୀ ପତ୍ରକୁ ଜିଲ୍ଲାପାଳଙ୍କୁ ଦେଲେ ଭିକେ ପାଣ୍ଡିଆନ୍‌। ଏଥିସହ ସେ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ହୋଇଥିବା ନିବେଦନକୁ ନେଇ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ ବୋଲି କହିଛନ୍ତି।

ବାଲେଶ୍ବର ଗସ୍ତରେ ଥିବା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ ବାହାନଗାରେ ପହଞ୍ଚି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଟ୍ରେନ୍‌ ଟ୍ରାଜେଡି ବେଳେ ଦେବଦୁତ ସାଜିଥିଲେ ସ୍ଥାନୀୟ ଲୋକେ। ସେଦିନ କାଳରାତିର କଥା ମନେ ପକାଇଥିଲେ ଫାଇଭ ଟି ସଚିବ। ଏଥିସହ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ବହୁତ ଲୋକ ଟ୍ରେନ ଟ୍ରାଜେଡିରୁ ବଞ୍ଚିଯାଇଥିଲେ । ଏଥିପାଇଁ ସାରା ରାଜ୍ୟ ଆପଣଙ୍କ ନିକଟରେ ଚିର ଋଣୀ ବୋଲି 5T ସଚିବ କହିଛନ୍ତି ।

ଆମେରିକା ଗସ୍ତରେ ମୋଦି, ବାଇଡେନ୍ ଦମ୍ପତ୍ତିଙ୍କୁ ଦେଲେ ୭.୫ କ୍ୟାରେଟର ସବୁଜ ହୀରା

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହ୍ୱାଇଟ୍ ହାଉସରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍। ହ୍ୱାଇଟ୍ ହାଉସରେ ରାତ୍ରୀକାଳୀନ ଭୋଜି ମଧ୍ୟ ଆୟୋଜିତ ହୋଇଛି । ଏହି ଅବସରରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ପରସ୍ପରଙ୍କୁ ବିଭିନ୍ନ ପ୍ରକାର ଉପହାର ମଧ୍ୟ ପ୍ରଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ହସ୍ତ ନିର୍ମିତ ପ୍ରାଚୀନ ଆମେରିକୀୟ ପୁସ୍ତକକୁ ଉପହାର ସ୍ୱରୂପ ମୋଦିଙ୍କୁ ଭେଟି ଦେଇଛନ୍ତି । ଏହାବ୍ୟତୀତ ବାଇଡେନ୍ ଏକ ବିଣ୍ଟେଜ୍ ଆମେରିକୀୟ କ୍ୟାମେରା, ଜର୍ଜ ଇଷ୍ଟମେନ୍ ଙ୍କ ପ୍ରଥମ କୋଡକ କ୍ୟାମେରାର ପେଣ୍ଟେଣ୍ଟର ଏକ ଅଭିଲେଖୀୟ ପ୍ରତିକୃତି ଏବଂ ଆମେରିକୀୟ ବନ୍ୟଜନ୍ତୁ ଫଟୋଗ୍ରାଫିର ଏକ ହାର୍ଡକବର ପୁସ୍ତକ ଉପହାର ଦେଇଛନ୍ତି ।

ସେହିପରି ବାଇଡେନ ଦମ୍ପତିଙ୍କୁ ୭.୫ କ୍ୟାରେଟ୍‌ର ସବୁଜ ହୀରା ମୋଦି ଉପହାର ସ୍ୱରୂପ ଭେଟି ଦେଇଛନ୍ତି । ରାଜସ୍ଥାନ କାରିଗରଙ୍କ ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି । କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । ଏହାବାଦ ପଞ୍ଜାବରୁ ଆଣିଥିବା ଘିଅ ଦାନ କରିଥିବା ବେଳେ ଝାଡ଼ଖଣ୍ଡରୁ ଆଣିଥିବା ଟସର ସିଲ୍କର କପଡ଼ା ପ୍ରଦାନ କରିଥିଲେ। କେବଳ ଏତିକି ନୁହଁ ଉତ୍ତରାଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି ।