spot_img
Home Blog Page 3016

ଆସାମରେ ପ୍ରଳୟଙ୍କରୀ ବନ୍ୟା, ୨୦ ଜିଲ୍ଲାର ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ

ଆସାମ: ଆସାମରେ ପ୍ରଳୟଙ୍କରୀ ବନ୍ୟା। ୨୦ ଜିଲ୍ଲାର ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ । ଚାରିଆଡେ ପାଣି ଆଉ ପାଣି । ଲକ୍ଷାଧିକ ଲୋକ ବନ୍ୟାପାଣି ଘେରରେ ରହିଥିବା ବେଳେ NDRF, SDRF ଓ ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । କିଛିସ୍ଥାନରେ ବ୍ରହ୍ମପୁତ୍ର ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ବହୁଥିବା ବେଳେ ପୁଥିମାରୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ବକ୍ସା ଜିଲ୍ଲାରେ ବନ୍ୟା ସ୍ଥିତି ଅତି ଗମ୍ଭୀର ହୋଇଛି ।

ସେହିପରି ନଲବାରୀ, ଧୁବ୍ରି, ବରପେଟା ଆଦି ଜିଲ୍ଲାର ଅଧିକାଂଶ ଅଞ୍ଚଳ ବନ୍ୟାଜଳରେ ବୁଡ଼ି ରହିଛି । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ଡଙ୍ଗା ସାହାଯ୍ୟରେ ସୁରକ୍ଷିତସ୍ଥାନକୁ ନିଆଯାଉଥିବା ବେଳେ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ରେସ୍କ୍ୟୁ କରାଯାଇଛି। ଏବେସୁଦ୍ଧା ୭୮୦ ଗାଁରେ ବନ୍ୟାଜଳ ଭରିରହିଛି । ବନ୍ୟା ଯୋଗୁ ଲକ୍ଷାଧିକ ଟଙ୍କାର ଭିତ୍ତିଭୂମି କ୍ଷିତିଗ୍ରସ୍ତ ହୋଇଛି । ଆଗାମୀ ଦୁଇ ଦିନ ଯାଏଁ ଆସାମର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରାକ୍ ମୗେସୁମୀ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ବର୍ଷା। ଭୁବନେଶ୍ୱରର ରାଜମହଲ, ସୁନ୍ଦରପଦା, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସେପଟେ ମୌସୁମୀ ଲାଗି ପାଗ ଅନୁକୂଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ତେଣେ ଆସନ୍ତା ୩ ଘଣ୍ଟା ଲାଗି ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ। ଭୁବନେଶ୍ୱର ଲାଗି ବି ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

ଚୀନର ଇନଚୁଆନ ସ୍ଥିତ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୩୧ ମୃତ

ଇନଚୁଆନ: ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୩୧ଜଣଙ୍କ ମୃତ୍ୟୁ। ଚୀନର ଇନଚୁଆନ ପ୍ରାନ୍ତରେ ଥିବା ରେଷ୍ଟୁରାଷ୍ଟରେ ଅଘଟଣ। ରେଷ୍ଟୁରାଣ୍ଟ ଭିତରେ ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ ନିଆଁ ଲାଗିଯାଇଥିଲା। ଏଥିରେ ୩୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି ଆଖପାଖ ଦୋକାନ ମଧ୍ୟ ଜଳିଯାଇଥିବା ଜଣାପଡ଼ିଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ୩୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।

ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି। ଦିନେ ଦୁଇ ଦିନ ମଧ୍ୟରେ ଏହାର ପରିମାଣ ବଢିବା ନେଇ ଆକଳନ କରାଯାଇଛି। କିଛି ଜିଲ୍ଲାରେ ହୋଇଥିବା ପ୍ରାକ୍ ମୌସୁମୀ ବର୍ଷା ଓ ପବନ ଯୋଗୁ ମୌସୁମୀ ଅନୁକୂଳ ପାଗ ଦେଖାଦେଇଛି। ଏହା ମୌସୁମୀ ଆଗମନ ପାଇଁ ଅନୁକୂଳ ପାଗ ବୋଲି କୁହାଯାଉଛି।

ସେହିପରି ଆଜିଠୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ କାଲି ଓ ୨୪ରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ। ଜୁନ ମାସରେ ଅତି କମରେ ୧୫୧ ଦଶମିକ ୬ ମିଲିମିଟର ବର୍ଷା ହେବା କଥା। ହେଲେ ଜୁନ ୨୧ ସୁଦ୍ଧା ମାତ୍ର ୩୧ ଦଶମିକ ୨ ମିଲିମିଟର ବର୍ଷା ହୋଇଛି । ଯାହା ୭୯ ଦଶମିକ ୪ ପ୍ରତିଶତ କମ୍ ରହିଛି।

୭ ଦିନ ମଧ୍ୟରେ ହେବ ସବୁ ସମସ୍ୟାର ସମାଧାନ, ପ୍ରତିଶ୍ରୁତି ଦେଲେ 5T ସଚିବ

ବାଲେଶ୍ୱର: ୭ ଦିନ ମଧ୍ୟରେ ସବୁ ସମସ୍ୟାର ହେବ ସମାଧାନ। ବାଲେଶ୍ୱର ଜିଲ୍ଲା କୁପାରୀ ପଞ୍ଚାୟତ ପଡ଼ିଆରେ ଜନସାଧାରଣ ଓ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ କମ୍ୟୁନିଷ୍ଟି ସେଣ୍ଟର ପାଇଁ ଲୋକେ କରିଥିବା ଅନୁରୋଧକୁ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି କହିଛନ୍ତି  ସଚିବ।

ଏଥିସହ ଚାଷୀ ଭାଇ ଭଉଣୀଙ୍କ ସମସ୍ୟାର ମଧ୍ୟ ସମାଧାନ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଶିକ୍ଷାନୁଷ୍ଠାନର ରୂପାନ୍ତରୀକରଣ ଜାରି ରହିବ। ମାଆ ମାନଙ୍କୁ ରୋଜଗାରକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ସବୁ ବେଳେ ମାଆ ମାନେ କିପରି ଦୁଇ ପାଦ ଆଗୁଆ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରୟାସରତ। ଆଗକୁ ଚାଷୀଙ୍କ ପାଇଁ ସ୍ଥାନୀୟ କେନାଲରେ ପାଣି ଆସିବ। ଏଥିରେ ୨୭ ହେକ୍ଟର ଚାଷଜମିକୁ ଜଳ ମିଳିବ।

ଆଜି ରୂପାନ୍ତରଣ ଫର୍ଦ୍ଦରେ ସାମିଲ ହୋଇଛି ବାଲେଶ୍ୱର। ଗ୍ରାଉଣ୍ଡ ଜିରୋକୁ ଯାଇ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ। ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଯାଇଛନ୍ତି ଫାଇଭ-ଟି ସଚିବ। ପରେ ଜାମୁଝାଡ଼ି ନିକଟରେ ବାମ୍ବୋ ପ୍ରୋସେସିଂ ୟୁନିଟ ପରିଦର୍ଶନ ସହ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ।

ସୋର ୟୁଏନ କଲେଜରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସିଏଚସି ଗସ୍ତ କରି ବିକାଶ କାମର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ। ସେଠାରୁ ସନ୍ତରାଗଡ଼ିଆ ଯାଇ ସାଳନ୍ଦୀ କେନାଲ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ। ପରେ ବାହାନଗା ହାଇସ୍କୁଲ ପରିଦର୍ଶନ କରିବା ସହ ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ପ୍ରଦାନ କରିବେ। ଏହାପରେ ଦିନତମାମ ଏକାଧିକ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ।

ଭାରସାମ୍ୟ ହରାଇ ହରିଣପାର୍କ ବସ୍ତିରେ ମାଡିଗଲା CMCର ମଇଳା ଟାଙ୍କି ଗାଡି

କଟକ : ଭାରସାମ୍ୟ ହରାଇ ବସ୍ତି ଭିତରକୁ ପଶିଗଲା କଟକ ମହାନଗର ନିଗମର ମଇଳା ଟାଙ୍କି ସଫା କରୁଥିବା ଗାଡ଼ି । ଭାରାସାମ୍ୟ ବସ୍ତି ଭିତରକୁ ମାଡିଯାଇଥିଲା ଗାଡି। କଟକ କ୍ୟାଣ୍ଟନମେଣ୍ଟ ଥାନା ହରିଣପାର୍କ ବସ୍ତିରେ ଘଟିଛି ଦୁର୍ଘଟଣା । ଫଳରେ ବସ୍ତିରେ ଥିବା ଏକ ଘର ଓ ଦୋକାନ ଘର ଭାଙ୍ଗି ଯାଇଛି। ଦୁର୍ଘଟଣାରେ ଜଣେ ବସ୍ତିବାସିନ୍ଦା ଆହତ ହୋଇଥିବା ବେଳେ ଆଉ କିଛି ଲୋକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଡ୍ରାଇଭରଙ୍କ ଆହତ ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ଭୋର ସମୟରେ ଘଟିଛି ଘଟଣା ।

ଶ୍ରୀମନ୍ଦିର ସିଂହଦ୍ଵାରର ନୂତନ ରୂପାଦ୍ବାର ସ୍ଥାପନ ନିମନ୍ତେ ପ୍ରସ୍ତୁତି ଆରମ୍ଭ

ପୁରୀ : ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ବାର ସ୍ଥାପନ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହେବ। ସେହି ନିଷ୍ପତ୍ତି ଅନୁସାରେ ସିଂହଦ୍ବାରରେ କାମ ଆରମ୍ଭ ହୋଇଛି। ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି। ଏହାପରେ ସିଂହଦ୍ବାରରେ ଥିବା ପିତ୍ତଳ ଦ୍ବାରକୁ ଖୋଲାଯିବ। ତାପରେ ନୂଆକରି ନିର୍ମିତ ରୂପା ଦ୍ବାରା ଲଗାଯିବ। ମୁମ୍ବାଇର ଜଣେ ଦାତା ରୂପା ପ୍ରଦାନ କରିଛନ୍ତି। ସେଥିରେ ବର୍ମାଟିକ କାଠରେ ନୂତନ ଦ୍ବାରା ନିର୍ମାଣ କରାଯାଇଛି ଯାହାକୁ ଲଗାଯିବ। ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ବାରା ଆଦି ଦ୍ବାରାକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ବାରା କରାଯାଇଛି। ଏହାସହ ଗର୍ଭଗୃହର ମଧ୍ୟ ଯାଞ୍ଚ ହେବ । ମହାପ୍ରଭୁଙ୍କ ଏହି ଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ କରାଯାଏ । ଏଏସଆଇର ବୈଷୟିକ କୋର୍ କମିଟି ଓ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ମିଳିତ ଭାବେ ଯାଞ୍ଚ କରିବେ ।

ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ

ଭଦ୍ରକ : ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ। ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିଲେ ଜୟନ୍ତୀ ବେହେରା । ଭଦ୍ରକ, ବାଲେଶ୍ବର ଓ ଭୁବନେଶ୍ବରର ୧୧ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ । ବାଲେଶ୍ବର ସହଦେବଖୁଣ୍ଟା ଫିରିଙ୍ଗପାଟଣାରେ ଥିବା ୩ମହଲା କୋଠା, ସିଦ୍ଧେଶ୍ବର କଲୋନୀରେ ଥିବା ୩ ମହଲା କୋଠାରେ ଚାଲିଛି ରେଡ୍ । ଗଣେଶ୍ବରପୁରରେ ନିର୍ମାଣାଧୀନ ୨ମହଲା କୋଠା ଠାବ ହୋଇଛି ।

ବାଲେଶ୍ବରରେ ଥିବା ପୁଅ ରୋହିତ ମଣ୍ଡଳର ଅଫିସ ଚାମ୍ବର, ବାଲେଶ୍ବର ସୁନାହାଟରେ ଥିବା ସମ୍ପର୍କୀୟଙ୍କ ଘର ଓ ଚାଡିଆପୋଲରେ ଥିବା ଜଣେ ସହଯୋଗୀଙ୍କ ଘରେ ଚାଲିଛି ରେଡ୍ । ସେହିପରି ଭଦ୍ରକ ସ୍ଥିତ ଭଡ଼ାଘର, ଅଫିସ ଚାମ୍ବରରେ ଚାଲିଛି ରେଡ୍ । ଚଳିତ ମାସ ୪ତାରିଖ ଯାଏ ଜୟନ୍ତୀଙ୍କର ଡ୍ୟୁଟି ରହିଥିଲା । ହେଲେ ଏବେସୁଦ୍ଧା ଡ୍ୟୁଟି ହସ୍ତାନ୍ତର ହୋଇନି ।

କେବଳ ସେତିକି ନୁହେଁ ଭୁବନେଶ୍ବର କଳ୍ପନା ଛକ ଗୌତମ ନଗରରେ ଥିବା ରୟାଲ ରେସିଡେନ୍ସିରେ ରହିଛି ଫ୍ଲାଟ୍ । ଓଲ୍ଡଟାଉନ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ 3ବିଏଚକେ ଫ୍ଲାଟ୍ ଓ ଭୁବନେଶ୍ବରରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଥିବା ଜୟନ୍ତୀଙ୍କ ଅଫିସ ଚାମ୍ବରରେ ଚାଲିଛି ଭିଜିଲାନ୍ସ ଛାପା । ରେଡ୍‌ରେ ଜଣେ ଅତିରିକ୍ତ ଏସପି, ୪ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ଅଛନ୍ତି ।

ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିୟାନସିପ ; ଫାଇନାଲରେ ଚଣ୍ଡିଗଡ଼-ମଧ୍ୟପ୍ରଦେଶ

ରାଉରକେଲା : ରାଉରକେଲା ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିୟାନସିପର ଫାଇନାଲରେ ଚଣ୍ଡିଗଡ ଓ ମଧ୍ୟପ୍ରଦେଶ ପ୍ରବେଶ କରିଛନ୍ତି। ପ୍ରଥମ ସେମି ଫାଇନାଲ ମ୍ୟାଚରେ ହରିୟଣାକୁ ୩-୧ ଗୋଲରେ ପରାସ୍ତ କରି ଚଣ୍ଡିଗଡ ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ଵିତୀୟ ସେମି ଫାଇନାଲରେ ଓଡିଶାକୁ ୧୨-୧୧ ପେନାଲଟି ସୁଟ ଆଉଟ ଗୋଲରେ ପରାସ୍ତ କରି ମଧ୍ୟପ୍ରଦେଶ ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଵାସହ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ମ୍ୟାଚ ଅନୁଷ୍ଠିତ ହେବ।

ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି

ପୁରୀ : ରତ୍ନ ସିଂହାସନ ଛାଡ଼ି ଶରଧାବାଲିରେ କାଳିଆ ସାଆନ୍ତ। ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ। ରଥ ଉପରେ ଦର୍ଶନ ନେଉଛନ୍ତି ଶ୍ରୀଜିଉ । ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ମରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ଶରଧାବାଲିରେ ଲାଗିସାରିଥିବାବେଳେ ଗତକାଲ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଶରଧାବାଲିକୁ ଟାଣି ଆଣିଥିଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ରଥାରୂଢ କାଳିଆକୁ ଦେଖି ଛଳଛଳ ଭକତ ଆଖି । ଚକାଆଖି ସହ ଆଖି ମିଳାଇ କିଏ କାନ୍ଦି ପକାଉଛି ତ ଆଉ କିଏ ଅଭିମାନ କରୁଛି। ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି ହୃଦୟର ବେଦନା ଜଣାଇଛନ୍ତି ଶ୍ରଦ୍ଧାଳୁ। ଅପଲକ ନୟନରେ କାଳିଆ ମୁହଁକୁ ଚାହିଁ ଭାବବିନୋଦିଆଙ୍କ ଭାବରେ ଆତ୍ମହରା ଭକ୍ତ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।