spot_img
Home Blog Page 3010

ନଡ୍ଡାଙ୍କୁ କଡ଼ା ସମାଲୋଚନା କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ କଡ଼ା ସମାଲୋଚନା କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ଦିନଠାରୁ ତାଙ୍କର ଏଜେଣ୍ଡା ହେଲା ତାଙ୍କ ଦଳର ସରକାର ନଥିବା ରାଜ୍ୟକୁ ଯାଇ କିଛି ଅଭିଯୋଗ କରିବା । ଓଡ଼ିଶାବାସୀ ବେଜେପି ନେତାଙ୍କ କଥା ଆଜି ଯାଏ ଶୁଣି ନାହାନ୍ତି, ଏବେ କ’ଣ ଶୁଣିବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ତାଚ୍ଛଲ୍ୟ କରିଛନ୍ତି । ଅପପ୍ରଚାର ହେଉଛି ବିଜେପି ନେତାଙ୍କ କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଅହରହ କାମ କରୁଛନ୍ତି । ନଡ୍ଡାଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

ସେହିପରି ନଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି l ସେ କହିଛନ୍ତି, ଲୋକଙ୍କୁ ପ୍ରତାରଣା କରିଛି କେନ୍ଦ୍ରର ବିଜେପି ସରକାର l ଦରଦାମ ବୃଦ୍ଧିରେ ଲୋକ ଅତିଷ୍ଠ ହୋଇପଡ଼ିଲେଣି l ଖାଇବା ତେଲ, ଡାଲି, ଆଳୁ ଓ ପିଆଜଠାରୁ ଆରମ୍ଭ କରି ସବୁ ଦର ଏବେ ଆକାଶଛୁଆଁ l ଏହା କ’ଣ ଅଚ୍ଛେ ଦିନ୍‌ ବୋଲି ତାରା ପ୍ରଶ୍ନ କରିଛନ୍ତି ।  କୁଆଡ଼େ ଗଲା ସବୁ ଲୋକଙ୍କ ଖାତାକୁ ୧୫ଲକ୍ଷ ଟଙ୍କା ଓ ୨କୋଟି ନିଯୁକ୍ତି ? ଆବାସ, କେବିକେ ଯୋଜନାରେ ଅର୍ଥ ବନ୍ଦ, ଆଦର୍ଶ ସ୍କୁଲ୍ ଅର୍ଥ କାଟ ଓ ବିଭିନ୍ନ ଯୋଜନା ବନ୍ଦ କରିଛନ୍ତି କେନ୍ଦ୍ର ସରକାର l ଏସବୁ ଓଡ଼ିଶାବାସୀ ଜାଣିଛନ୍ତି l ବିଜେପି ଯେତେ ମିଥ୍ୟା ପ୍ରଚାର କଲେ ସୁଦ୍ଧା ଲୋକ ବିଶ୍ୱାସ କରିବେନି l ବିଜେପି ଲୋକଙ୍କ ସହ ବିଶ୍ୱାସ ଘାତକତା କରିଛି l ତେଣୁ ନଡ୍ଡ଼ାଙ୍କ ଗସ୍ତ ଓ ଭାଷଣର କୌଣସି ପ୍ରଭାବ ପଡିବନି l ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ କରିବେ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

‘ମୋ ଘର’ ଯୋଜନା ସଫଳ ହେଉଥିବାରୁ ବାଉଳା ହେଉଛି କେନ୍ଦ୍ର: ପ୍ରଦୀପ ଅମାତ

ଭୁବନେଶ୍ବର: କେନ୍ଦ୍ର ଦେଲାନି ଆବାସ । ରାଜ୍ୟ ଦେଉଛି ‘ମୋ ଘର’ । ‘ମୋ ଘର’ ଯୋଜନା ସଫଳ ହେଉଥିବାରୁ କେନ୍ଦ୍ର ବାଉଳା ହେଉଛି । ସେଥିପାଇଁ ଅଜବ ମନ୍ତବ୍ୟ ଦେଉଛନ୍ତି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ । ଆବାସ ନେଇ ଗିରିରାଜ ସିଂହଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଓଡ଼ିଶାରେ କୌଣସି ଅନିୟମିତତା ହୋଇନି । ସ୍ଵଚ୍ଛତାର ସହ ଆବାସ ଘର ବଣ୍ଟନ ହେଉଛି ।

ରାଜ୍ୟକୁ ଆବଶ୍ୟକ ଘର ଦେବାରୁ କେନ୍ଦ୍ର ସରକାର ବଞ୍ଚିତ କରିଥିଲେ । କର୍ଣ୍ଣାଟକ ନିର୍ବାଚନକୁ ଆଖିରେ ରଖି ସେ ରାଜ୍ୟକୁ ଅଧିକ ଘର ଦେଇଥିଲେ । ଓଡ଼ିଶା ପାଇଁ ବନ୍ଦ କରିଦେଇଥିଲେ ପୋର୍ଟାଲ । ତେଣୁ ରାଜ୍ୟ ସରକାର ‘ମୋ ଘର’ ଯୋଜନାରେ ଲୋକଙ୍କୁ ଘର ଦେଉଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଶିକ୍ଷାସୌଧ ଓ ଛାତ୍ରାବାସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା । ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୨୭୬ଟି ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।

ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବେ ନବୀନ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୋଗଦାନ କରିଥିବା ନୂଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯିବ । ଅପରାହ୍ନ ୫ଟାରେ ଲୋକସେବା ଭବନ କନଭେନସନ ସେଣ୍ଟରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଥର ଦିନରେ ନୁହେଁ, ରାତିରେ ଆସିବ ଅଧିକ ବିଦ୍ୟୁତ ବିଲ୍‌, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଆପଣ ପ୍ରତି ମାସରେ ଅଧିକ ବିଦ୍ୟୁତ ବିଲ୍‌ ପୈଠ କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଛି ଏକ ଖବର । ଏଥର ଦିନରେ ନୁହେଁ, ରାତିରେ ଆସିବ ଅଧିକ ବିଦ୍ୟୁତ ବିଲ୍‌ । ବର୍ତ୍ତମାନ ଦିନରେ ଇଲେକ୍ଟ୍ରି ବିଲ୍‌ କମ ଆସିବ ଓ ରାତିରେ ଅଧିକ ବିଲ୍ ଆସିବ ।

ବିଦ୍ୟୁତ୍ ଶୁଳ୍କରେ କେନ୍ଦ୍ର ଏକ ବଡ଼ ପରିବର୍ତ୍ତନ କରିଛି । ଗ୍ରାହକମାନେ ବିଦ୍ୟୁତ୍ ବିଲର ନୂଆ TOD ସିଷ୍ଟମ୍ ସହିତ ୨୦ ପ୍ରତିଶତ ସଞ୍ଚୟ କରିବେ । କାରଣ ବର୍ତ୍ତମାନ ଦେଶରେ ବିଦ୍ୟୁତ୍ ହାର ଦିନରାତି ଭିନ୍ନ ହେବ। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏନେଇ ଘୋଷଣା କରିଛି। ଯଦି ଏହା ଘଟେ, ସାରା ଦେଶରେ ବିଦ୍ୟୁତ୍ ଉପଭୋକ୍ତାମାନେ ସେମାନଙ୍କ ବିଦ୍ୟୁତ୍ ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ନୂଆ ନିୟମ ଅନୁସାରେ ସୂର୍ଯ୍ୟକିରଣ ଅର୍ଥାତ୍ ଦିନକୁ ପ୍ରାୟ ୮ ଘଣ୍ଟା ପାଇଁ ବିଦ୍ୟୁତ୍ ବିଲରେ ୧୦ ରୁ ୨୦ ପ୍ରତିଶତ ହ୍ରାସ ଘଟିବ । ଏହି ନୂଆ ନିୟମ ଆସନ୍ତା ବର୍ଷଠୁ ଲାଗୁ ହେବ । ଏହାସହ ନିୟମ କୃଷି ବ୍ୟତୀତ ଅନ୍ୟ ସମସ୍ତ ଗ୍ରାହକଙ୍କ ପାଇଁ ଏପ୍ରିଲ ୧, ୨୦୨୫ ରୁ ପ୍ରଯୁଜ୍ୟ ହେବ।

‘ଉତ୍ସବ’ ଆପକୁ ନେଇ ପୁରୀ ପୋଲିସର ମତ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ସୋସିଆଲ ମିଡିଆରେ ‘ଉତ୍ସବ’ ଆପକୁ ନେଇ ଆସିଥିବା ଖବର ସମ୍ପର୍କରେ ପୁରୀ ପୋଲିସର ମତ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଥାନା ପକ୍ଷରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ମନ୍ଦିର ପ୍ରଶାସନର ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ଆପ୍‌ ମାଧ୍ୟମରେ ଶ୍ରୀମନ୍ଦିରରେ ପୂଜା, ମହାପ୍ରସାଦ ଯୋଗାଇ ଦେବା, ପତାକା ବାନ୍ଧିବା ଆଦି କାର୍ଯ୍ୟ ନେଇ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ ହେଉଥିବା ନେଇ ଖବର ପ୍ରସାରଣ କରାଯାଇଥିଲା ।

ରାତି ୨ଟାରେ ସରିଲା କୁବେର ବାବୁଙ୍କ ଘରୁ ରେଡ, ଟଙ୍କା ଦେଖି ତାଜୁବ ଭିଜିଲାନ୍ସ

ନବରଙ୍ଗପୁର: ରାତି ୨ରେ ସରିଲା ଦୀର୍ଘ ୨୦ ଘଣ୍ଟାରେ ମାରାଥନ ରେଡ୍‌ । ନବରଙ୍ଗପୁର ଏବଂ ଭୁବନେଶ୍ବରରୁ ଜବତ ହେଲା ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ୮ଶହ ଟଙ୍କା । କେମିତି କୋଟି କୋଟି ଟଙ୍କା ଠୁଳ କଲେ କଳାଧନର କୁବେର ବାବୁ ପ୍ରଶାନ୍ତ କୁମାର ରାଉତ ? କଣ ରହିଥିଲା ଆୟର ଉତ୍ସ ?

ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ରେଡ ପରେ ଅଟକ ରଖି ମାରାଥନ ପଚରାଉଚରା କରୁଛି ଭିଜିଲାନ୍ସ । ଗତକାଲିଠୁ ଚାଲିଥିବା ଚଢାଉରେ ଠାବ ହୋଇଛି ଗଦାଗଦା କଳା ସମ୍ପତ୍ତି । ପେଟି ଭିତରୁ ଜବତ ହୋଇଛି ବିଡ଼ାବିଡ଼ା ଟଙ୍କା । ଏକାଧିକ ବେନାମି ଆକାଉଣ୍ଟରେ ଟଙ୍କା କାରବାର କରୁଥିଲେ ବାବୁ । ଗୋଟିଏ ବ୍ୟାଙ୍କର ପାସବୁକ, ଏଟିଏମ ଜବତ କରିଛି ଭିଜିଲାନ୍ସ ।

ଏଥିସହ ୪୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଜବତ ହୋଇଥିବା ଜଣାପଡ଼ିଛି । ଜବତ ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ୯ଟି ସ୍ଥାନରେ ରେଡ୍‌ ହୋଇଥିଲା । ଚଢାଉ ବେଳେ ୫ଟି ପ୍ଲଟ, ୨ଟି ଚାରି ଚକିଆ ଗାଡ଼ି ଏବଂ ତାଙ୍କ ଦୁଇ ପିଲାଙ୍କ ଉପରେ ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିବା ୮୭ ଲକ୍ଷ ଟଙ୍କା ବିଷୟରେ ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ । ପାଞ୍ଚଟି ପ୍ଲଟ ଭିତରେ କିଛି ଭୁବନେଶ୍ବର ଓ କଟକରେ ଥିବା ଜଣାପଡ଼ିଛି । ସୁନା ଓ ରୂପାର ଗହଣା ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି ।

ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଜଣେ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ସେ ଦୁର୍ନୀତିରେ ବୁଡି ରହିଛନ୍ତି । ୧୯୯୬ରେ କେନ୍ଦ୍ରାପଡାରେ ତହସିଲଦାର ଭାବେ କାମରେ ନିଯୁକ୍ତି ପାଇଲେ । ପରେ ଯାଜପୁର, ବାଲେଶ୍ବର ଓ ବରଗଡ଼ରେ ମଧ୍ୟ ତହସିଲଦାର ଥିଲେ । ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ବିଡ଼ିଓ ଥିଲେ । ୨୦୧୦ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ୨୦୧୮ରେ ବି ସୁନ୍ଦରଗଡ ବିଶ୍ରା ବ୍ଳକରେ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଜେଲ ଯାଇଥିଲେ । ୨୦୧୮-୨୦  ନିଲମ୍ବିତ ହୋଇଥିଲେ ତଥାପି ସୁଧୁରି ନଥିଲେ ପ୍ରଶାନ୍ତ ରାଉତ ।

ନବରଙ୍ଗପୁରରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତ ପାଇଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଏବେ ଭିଜିଲାନ୍ସ ଜାଲରେ । ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ଭିଜିଲାନ୍ସ।

ଅନ୍ୟପଟେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନସ୍ ଚଢ଼ାଉ ପରେ ନବରଙ୍ଗପୁର ସହରରେ ଖୁସିର ଲହରୀ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସହରର କିଛି ଲୋକ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଉପଜିଲ୍ଲାପାଳ ଭାବେ ଦାୟିତ୍ବରେ ରାହିବା ପରେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକଙ୍କ ସରଳତାର ସୁଯୋଗ ନେଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ଆର୍ଥିକ ଅନିୟମିତତା କାର୍ଯ୍ୟରେ ଲିପ୍ତ ରହି ଆସୁଥିଲେ ପ୍ରଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀ ଭିଜିଲାନସ୍ ଚଢ଼ାଉ କରି ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ଖୁସି ବ୍ୟକ୍ତ କରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସକୁ ପ୍ରଶଂସା କରିଛନ୍ତି ।

ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର: ଗୋଟିଏ ବାହାଘରକୁ ଆସି ଅନ୍ୟ ଗୋଟେ ବାହାଘରରେ ଖାଉଥିଲେ ଭୋଜି

ନୟାଗଡ଼: ଭୋଜି ଖାଇବାକୁ ନେଇ ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ  । ଗତକାଲି ଇଟାମାଟି ଥାନା ପ୍ରତାପ ପ୍ରସାଦ ଗାଁ ନିକଟରେ ଥିବା ଭୈରବୀ ମନ୍ଦିରରେ ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରୁ ଆସି ସେଠାରେ ବାହାଘର ଅନୁଷ୍ଠିତ ହେଉଥିଲା । ବାହାଘର ଚାଲିଥିବା ସମୟରେ ବାହାଘରକୁ ଆସିଥିବା କିଛି ବରଯାତ୍ରୀ ଅନ୍ୟ ଏକ ବାହାଘରର ଭୋଜି ଖାଉଥିଲେ ।

ଏକଥା ଜାଣିପାରି ଝିଅଘର ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ । ଏହାକୁ କେନ୍ଦ୍ରକରି ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା ।  ଇଟାମାଟି ପୋଲିସ ଖବର ପାଇ ଘଟଣାସ୍ଥଳରେ ପଂହଁଛି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ବେଳେ ଘଟଣାରେ ଜଣକୁ ଥାନାକୁ ନେଇ ଅଣ୍ଡରଟେକିଙ୍ଗ ଲେଖାଇ ଛାଡିଥିବା ସୂଚନା ମିଳିଛି ।

କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ  ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ କରିଥିବା ବେଳେ, ତାଙ୍କୁ କାଠମାଣ୍ଡୁର ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି ।

Madness and an ethology of world poetry ନାମକ ବିଶ୍ବସ୍ତରୀୟ ପୁସ୍ତକରେ ହଳଧର ନାଗଙ୍କ ସମ୍ବଲପୁରୀ କବିତା ନାନା ପାଗଳର ଇଂରାଜୀ ଅନୁବାଦିତ Holy Madness ଲେଖାଟି ସ୍ଥାନ ପାଇଛି । କାର୍ଯ୍ୟକ୍ରମରେ କାଠମାଣ୍ଡୁ ମେୟର, ଡେପୁଟି ମେୟର ଏବଂ ସେଠାକାର  ଅମ୍ବାସଡ଼ର ଉପସ୍ଥିତ ରହିବେ । ହଳଧର ନାଗଙ୍କୁ ବିଦେଶ ମାଟିରେ ସମ୍ମାନିତ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଅନୁଗୋଳ :ଅନୁଗୋଳ ୫୫ନମ୍ବର ଜାତୀୟ ରାଜପଥ କଞ୍ଜରାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ । ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ସୂଚନା ଅନୁସାରେ, କଞ୍ଜରା ଗାଁର ୬୦ ବର୍ଷୀୟ ବୃଦ୍ଧ ସମ୍ବିତ ପ୍ରଧାନ ସାଇକେଲରେ ଯାଉଥିଲେ । ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କା ଦେଇ ପଳାଇଥିଲା । ଫଳରେ ସମ୍ବିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି ।

ପାନ ଦୋକାନୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩ ଦୁର୍ବୃତ୍ତ

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାନ ଦୋକାନୀକୁ ହାଣିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନନ୍ତେଇ ଛକରେ ଦୋକାନୀ ସୁଶାନ୍ତ ରେଡ୍ଡୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୩ ଦୁର୍ବୃତ୍ତ । ସୁଶାନ୍ତଙ୍କ ଗୋଡ଼ ସହ ମୁଣ୍ଡ ଓ ବେକ ମୁହଁରେ ଗଭୀର କ୍ଷତ ରହିଛି । ରକ୍ତାକ୍ତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିବା ସହ ଦିଗପହଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ସୁଶାନ୍ତ ଗତକାଲି ବିଳମ୍ବିତ ରାତିରେ ଅନନ୍ତେଇ ଛକରେ ଠିଆ ହୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ୩ଦିନ ପୂର୍ବେ କୌଣସି କାରଣକୁ ନେଇ ସୁଶାନ୍ତ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ସୁଶାନ୍ତଙ୍କୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି ।