ରାୟପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ କଲମା ଡ୍ୟାମର ଗେଟ୍ ଖୋଲା ପ୍ରକ୍ରିୟା ଆରମ୍ଭ କରିଛି ଛତିଶଗଡ । ଗତକାଲି ରାତି ପର୍ଯ୍ୟନ୍ତ କଲମା ଡ୍ୟାମର ୯ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିଥିବାରୁ କଲମା ଡ୍ୟାମ୍ ଗେଟ୍ ଖୋଲାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଦୁଇଦିନ ତଳେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ୧୦୦୦ ଘନଫୁଟରୁ କମ ଥିବା ବେଳେ, ଆଜି ହୀରାକୁଦକୁ ପ୍ରତି ସେକେଣ୍ଡରେ ଜଳ ପ୍ରବେଶର ମାତ୍ରା ୯୫୨୩କୁ ବୃଦ୍ଧି ପାଇଛି ।
୪ ଦିନ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲା ପାଇଁ ରହିଛି ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ବର: ସାରା ଓଡ଼ିଶାକୁ ଛୁଇଁ ସାରିଛି ମୌସୁମୀ । ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳର ଅତିପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ବଜ୍ରପାତ ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ମଣିପୁର ହିଂସା, ଆଜି ବସିବ ସର୍ବଦଳୀୟ ବୈଠକ
ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ପାଖାପାଖି ଦୁଇ ମାସ ହେବ ମଣିପୁର ହିଂସାର ନିଆଁରେ ଜଳୁଥିବା ବେଳେ କୌଣସି ସ୍ଥିତିର ସମାଧାନ କରିପାରୁନାହାନ୍ତି କେନ୍ଦ୍ର ସରକାର । ଏଭଳି ସର୍ବଦଳୀୟ ବୈଠକ ଡାକି ରାଜନୈତିକ ସମାଧାନ ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର ।
ଦୁଇ ଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ଜାରି କରି ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କୁ ପରିବାରକୁ ସମବେଦନା ଜଣାଇଥିଲେ । ରାଜ୍ୟରେ ଚାଲିଥିବା ହିଂସା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଅନେକ ଲୋକଙ୍କ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଲୋକ ଏକାକି ହୋଇଯାଇଛନ୍ତି । ଯାହାକୁ ନେଇ ସୋନିଆ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି । ଏହାପରେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରି ସର୍ବଦଳୀୟ ବୈଠକ କରୁଛନ୍ତି ବୋଲି କଂଗ୍ରେସ କହିଛି ।
ଶାନ୍ତି ଆଲୋଚନା ଓ ସେନା ମୁତୟନ ସତ୍ବେ ରାଜ୍ୟରେ ଶାନ୍ତି ଫେରୁନଥିବା ବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।
ଫୋପାଡ଼ି ଦେଇଥିଲା ମାଆ, କୋଳେଇ ନେଲେ ଆମେରିକା ଦମ୍ପତି
କଟକ: ଜଣେ ଫୋପାଡ଼ି ଦେଇଥିଲା । ଜଣେ କୋଳେଇ ନେଲା । ସେଦିନ ବୁଦା ମୂଳରେ କଇଁ କଇଁ କାନ୍ଦୁଥିବା କୁନି ଝିଅ ଆଜି ସ୍ବପ୍ନର ସହରକୁ ଯାଉଛି । ଆମେରିକାରେ ବଡ଼ ହେବ ଅଲୋଡ଼ା ଶିଶୁକନ୍ୟା ଲିଲିୟାନା । ଅପରିଚିତ ଅତୀତକୁ ପିଠି କରି ସେ ଗଢିବ ଭାଗ୍ୟଶାଳୀ ଭବିଷ୍ୟତ । ହୁଏତ ଏ ଗହଳି ଭିତରେ ସେ ବିଦେଶୀଙ୍କୁ ବୁଝିପାରୁନି । ବସୁନ୍ଧରାର କୋଳରୁ ବିଦେଶୀଙ୍କ କୋଳକୁ କାହିଁକି ଯାଇଛି ତାହା ବି ଜାଣି ପାରୁନି । ହେଲେ ଏବେ ତା ବାପା ଡେଭିଡ୍ ଆଉ ମାଆ ଆନା । ମାଆ ଥାଇ ବି ଅନାଥ ହୋଇ ଯାଇଥିବା ଏ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଆମେରିକାର ଏହି ଦମ୍ପତି ।
୪ ବର୍ଷ ତଳେ ଲିଲିୟାନାକୁ ନନ୍ଦନକାନନ ନିକଟ ଏକ ବୁଦାମୂଳେ ତା ଜନ୍ମକଲା ମାଆ ଫୋପାଡ଼ି ଦେଇ ଚାଲିଯାଇଥିଲା । କୁନି ଝିଅକୁ ଝୁଣି ଅଧାମଲା କରି ଦେଇଥିଲେ ବୁଲା କୁକୁର। ହେଲେ ସେଦିନ ମୃତ୍ୟୁକୁ ପରିହାସ କରି ଅପରିଚିତା ପାଲଟିଥିଲା ଅପରାଜିତା । ଖୋଳି ହୋଇଯାଇଥିଲା ଗୋଟିଏ ଆଖି । ମୁହଁର ୬୦ ପ୍ରତିଶତ ନଷ୍ଟ ହେବା ପରେ ଆହୁରି ଅଚିହ୍ନା ହୋଇଯାଇଥିଲା କଅଁଳା ଝିଅ । ଦୁଇ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଏଇ ବସୁନ୍ଧରାରେ ବଢୁଥିଲା ଲିଲିୟନା । ଜନ୍ମକଲା ମାଆ ସିନା ତାକୁ ଦୁନିଆର ଆଲୋକ ଦେଖାଇବାକୁ ଚାହିଁ ନଥିଲା, ହେଲେ ସେ କିନ୍ତୁ ହାରି ନଥିଲା ପରିସ୍ଥିତି ପାଖରେ । ଆଉ ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ଲିଲିୟାନା ।
ସେଦିନ ମାଆର ସ୍ତନକୁ ଝୁଣି ଖାଉଥାନ୍ତା ଝିଅ । ହେଲେ କୁକୁର ତାକୁ ଝୁଣି ଖାଉଥିଲେ । ଆମେ ତ ଜାଣିନୁ କେଉଁ ପରିସ୍ଥିତିରେ ମାଆ ତାକୁ ମୃତ୍ୟୁର କୋଳରେ ଛାଡ଼ି ଦେଇଥିଲା । ସେଥିପାଇଁ ଏମିତିଆ ମାଆ ପାଇଁ ଆମେ ଶବ୍ଧହୀନ ।
ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ
ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ତେଣୁ ମହାଲକ୍ଷ୍ମୀ ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବା ସହ ହେରାଗୌରୀ ସାହିହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ବିଶେଷ ନୀତି ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି।
ରାଜ୍ୟର ୬ଟି ସବୁଠୁ ବଡ଼ ରେଡ୍ , କେଉଁ ବ୍ୟକ୍ତି ସାଜିଥିଲେ କଳାଧନର ବଡ଼ କୁବେର ଜାଣନ୍ତୁ…
ଭୁବନେଶ୍ୱର : ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ରେଡ୍ । ରାଜ୍ୟର ୬ଟି ସର୍ବାଧିକ ନଗଦ ଟଙ୍କା ଜବତର ତଥ୍ୟ ସାମ୍ନାକୁ ଆସିଛି । ୨୦୨୨ ମସିହା ଏପ୍ରିଲ ୭ତାରିଖରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ କରି ୩ କୋଟି ୪୧ ଲକ୍ଷ ୬୬ହଜାର ୨୮୦ ଟଙ୍କା ଜବତ ହୋଇଥିଲା ।
ସେହିପରି ଆଜି ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ରେଡ କରି ଏଯାଏ ୨ କୋଟି ୯୧ ଲକ୍ଷ ୯୩ ହଜାର ୮୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ତୃତୀୟ ସର୍ବାଧିକ ନଗଦ ଜମା ତାଲିକାରେ ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ । ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ରେଡ କରି ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତାଲିକାର ୪ ନମ୍ବରରେ ରହିଛନ୍ତି କୁବେର ଡାକ୍ତର ସୁକାନ୍ତ ଜେନା । ସୁକାନ୍ତଙ୍କ ଭୁବନେଶ୍ବର କଳାରହଙ୍ଗା ସ୍ଥିତଘରେ ରେଡ୍ କରିଥିଲା ଟିମ୍ ।
୨୦୨୨ ଫେବ୍ରୁଆରୀ ୧୬ ତାରିଖରେ ତାଙ୍କଠାରୁ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା ଜବତ ହୋଇଥିଲା । ସେହିପରି ପଞ୍ଚମରେ ଅଛନ୍ତି ଇଡିକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ୨୦୨୨ ମସିହା ଡିସେମ୍ବର ୨୧ ତାରିଖରେ ରେଡ୍ କରି ୧ କୋଟି ୬ ଲକ୍ଷ ୪୪ହଜାର ୫୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଅଧିକ ନଗଦ ଜବତ ତାଲିକାର ଷଷ୍ଠ ସ୍ଥାନରେ ଆଠଗଡ଼ର ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ର । ୨୦୧୬ ମସିହା ଫେବ୍ରୁଆରୀ ୨୪ ତାରିଖରେ ରେଡ କରି ୧ କୋଟି ୧ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
‘ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର’ : ବିଜେଡି
ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ବୟାନ ଆଶ୍ଚର୍ଯ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ ଚାଲିଥିବା ଦୁର୍ନୀତିକୁ ଅନୁଧ୍ୟାନ କଲେ ଭଲ ହେବ ବୋଲି ସସ୍ମିତ କହିଛନ୍ତି ।
ଆଟଲାଣ୍ଟିକରେ ଆଡଭେଞ୍ଚର ମିଶନ ଫେଲ୍, ଜଳଯାତ୍ରା ପାଲଟିଲା ଶେଷଯାତ୍ରା
ନୂଆଦିଲ୍ଲୀ : ବୁଡ଼ିଗଲା ଟାଇଟନ ଟୁରିଜିମ ବୁଡ଼ାଜାହଜ । ଆଟଲାଣ୍ଟିକରେ ଆଡଭେଞ୍ଚର ମିଶନ ଫେଲ୍ । ସମୁଦ୍ର ଭିତରେ ବିସ୍ଫୋରଣ ପରେ ଓସେନ ଗେଟ ସବ୍-ମେରିନରେ ଯାଇଥିବା ୫ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ବୁଡ଼ା ଜାହାଜରେ ଜଣେ ପାଇଲଟଙ୍କ ସମେତ ୪ଜଣ ଆରବପତି ଟାଇଟାନିକ ଟୁରରେ ଯାଇଥିଲେ ।
ଗଭୀର ସମୁଦ୍ରରୁ ସବ-ମେରିନର ଧ୍ବଂସାବଶେଷ ଠାବ ହେବା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କହିଛି ଆମେରିକା କୋଷ୍ଟ ଗାର୍ଡ । ବ୍ରିଟିଶ ଆରବପତି ହାମିଶ ହାର୍ଡିଂ, ପାକିସ୍ତାନୀ ଆରବପତି ଶେହଜାଦ ଦାଉଦ, ତାଙ୍କ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗୋଲେଟଙ୍କର ମୃତ୍ୟୁହୋଇଛି । ଟାଇଟାନିକ ବୁଡିଥିବା ସ୍ଥାନରୁ ୧୬୦୦ ଫୁଟ ବା ୪୮୮ ମିଟର ଦୂରରେ ସବମେରିନ ଟାଇଟନର ଧ୍ବଂସାବଶେଷ ଠାବ ହୋଇଛି । ୧୩ହଜାର ଫୁଟ ଗଭୀରରେ ଥିବା ଟାଇଟାନିକର ଭଗ୍ନାଂଶ ଦେଖିବାକୁ ଟୁରିଜିମ ସଂସ୍ଥା ପକ୍ଷରୁ ଟୁରର ଆୟୋଜନ କରାଯାଇଥିଲା । ଏଥିପାଇଁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୨କୋଟି ଲେଖାଏଁ ଟଙ୍କା ନେଇଥିଲା କମ୍ପାନୀ ।
ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା । ଗତ ୫୦ବର୍ଷରେ ଏଭଳି ଘଟଣା ଘଟି ନଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସବ୍-ମରିନ ସବୁଠୁ ସୁରକ୍ଷିତ ଓ ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।
ଏକାମ୍ରକ୍ଷେତ୍ରର ବଦଳିବ ରୂପରେଖ ; ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ କଲେ 5T ସଚିବ
ଭୁବନେଶ୍ୱର : ଆସନ୍ତା ଜୁନ୍ ୨୬ରୁ ଆରମ୍ଭ ହେବ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ କାମ । ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏହାପୂର୍ବରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଯଜ୍ଞ ହେବାକୁ ଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।
କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିବା ପରେ ମାର୍କେଟ କମ୍ପ୍ଲେକ୍ସ ଯାଇଥିଲେ ଫାଇଭ-ଟି ସଚିବ । ସେଠାରେ ଲାଇଟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ନୂଆ ରୂପ ନେବାକୁ ଯାଉଛି ଏକାମ୍ର ନଗରୀ । ବହୁ ପ୍ରତିକ୍ଷିତ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନକୁ ଅନୁମୋଦନ ମିଳିବା ପରେ ଜୁନ୍ ୨୬ରୁ କାମ ଆରମ୍ଭ ହେବ । ଜୁନ୍ ୨୫ରୁ ୨୮ ଯାଏ ଲାଇଟ୍ ବ୍ୟବସ୍ଥାରେ ଚମକିବ ପୁରୁଣା ଭୁବନେଶ୍ବର । ଏଥିସହ ଶ୍ରୀଲିଙ୍ଗରାଜ ମନ୍ଦିରର ସାମ୍ନା ଓ ବାହାର କାନ୍ଥରେ ପ୍ରୋଜେକସନ୍ ଲଗାଯିବ । ଜୁନ୍ ୨୬ ରାତିରୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର ।
ଜୁନ୍ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ କାମ କରାଯିବ ।
ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର
ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ପୁରସ୍କାର ଘୋଷଣା । ଓଡ଼ିଶାର ଯୁଗଳ କିଶୋର ଷଡଙ୍ଗୀ ପାଇବେ ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର । ଗଳ୍ପ ପୁସ୍ତକ ‘ଜେଜେଙ୍କ ଗପ ଗଣ୍ଠିଲି’ ପାଇଁ ସେ ସମ୍ମାନିତ ହେବେ । ଯୁଗଳ ଟିଟିଲାଗଡ଼ର ସିନ୍ଦେକେଲାର ବାସିନ୍ଦା ହୋଇଥିବାବେଳେ ତାଙ୍କର ଶିଶୁ ଗଳ୍ପ ଲେଖିବାରେ ବିଶେଷ ଆଗ୍ରହ ରହିଛି । ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୨ଟି ଆଞ୍ଚଳିକ ଭାଷା ନିମନ୍ତେ ବାଲ ପୁରସ୍କାର ଘୋଷଣା କରାଯାଇଛି ।

