ଦଳୀୟ ବିଧାୟକ ହୋଇ ବି ବିରୋଧୀଙ୍କ ପରି କଥା କହୁଛନ୍ତି ସୌମ୍ୟ: ପ୍ରତାପ ଦେବ

ଭୁବନେଶ୍ୱର: ବିରୋଧୀଙ୍କ ଭାଷା କହୁଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଦଳୀୟ ବିଧାୟକ ହୋଇ ବି ବିରୋଧୀଙ୍କ ପରି କଥା କହୁଛନ୍ତି । ୨୦୦୦ ମସିହାରୁ ବିରୋଧୀ ଯେଉଁ କଥା କହୁଛନ୍ତି ଏବେ ସୌମ୍ୟ ମଧ୍ୟ ସମାନ କଥା କହୁଛନ୍ତି । ସୌମ୍ୟଙ୍କ ଏଭଳି ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ସୌମ୍ୟଙ୍କୁ ଜବାବ ଦେଇ ପ୍ରତାପ କହିଛନ୍ତି ବିଧାୟକ ଓ ମନ୍ତ୍ରୀଙ୍କ ସମେତ ସବୁ ଜନପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରୁଛନ୍ତି । ମାତ୍ର ସୌମ୍ୟଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ ନକରିବା କହିବା ଗ୍ରହଣୀୟ ନୁହେଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ରାଜ୍ୟବାସୀଙ୍କ ଭରସା ଜିତୁଛନ୍ତି । ନବୀନଙ୍କ ଲୋକପ୍ରିୟତାକୁ ବିଭିନ୍ନ ସମୟରେ ସୌମ୍ୟ ନିଜ ମୁହଁରେ ମାନିଛନ୍ତି । ହେଲେ ଏବେ ବିରୋଧୀଙ୍କ ପରି ଭାଷା କହୁଛନ୍ତି । ସୌମ୍ୟଙ୍କର ଚିନ୍ତାଧାରା କଣ ତାହା ସ୍ପଷ୍ଟ କରିବାକୁ ପ୍ରତାପ କହିଛନ୍ତି । ଯାହା କିଛି ସମସ୍ୟା ରହିଛି ତାହାକୁ ସମ୍ପାଦକୀୟରେ ନୁହେଁ ବରଂ ଦଳୀୟ ଫୋରମରେ ଉଠାଇବା ଆବଶ୍ୟକ । ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି ନା ସମାଲୋଚନା କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ସୌମ୍ୟ ମନ୍ତ୍ରୀ ହେବାକୁ ଇଚ୍ଛା କରିଥିଲେ ମାତ୍ର ତାଙ୍କ ଇଚ୍ଛା ପୂରଣ ନହେବାରୁ ଏପରି କରୁଛନ୍ତି ବୋଲି ଜନସାଧାରଣ କହୁଛନ୍ତି । ଏଣୁ ସୌମ୍ୟ ତାଙ୍କ ଚିନ୍ତାଧାରାକୁ ସ୍ପଷ୍ଟ କରନ୍ତୁ ବୋଲି ପ୍ରତାପ କହିଛନ୍ତି ।