spot_img
Home Blog Page 2960

ବାହାନଗା ଟ୍ରେନ୍ ଟ୍ରାଜେଡି, ସମନ ସତ୍ତ୍ବେ ହାଜର ହେଲେନି ଷ୍ଟେସନ ମାଷ୍ଟର

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ବଡ଼ ସୁରାକ ପାଇଛି କି ସିବିଆଇ ? କିଛି ସତ ଢୋକି ଦେଉଛନ୍ତି କି ଗିରଫ ଅଭିଯୁକ୍ତ ? ମୁହଁରୁ ସତ ଆଦାୟ କରିବାକୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତକୁ ନେଇଛି ସିବିଆଇ । ଗତକାଲିଠୁ ୪ ଦିନିଆ ରିମାଣ୍ଡରେ ନେଇ ପୁଣି ଘାଣ୍ଟୁଛି ସିବିଆଇ । ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର ପୁଣିଥରେ ରିମାଣ୍ଡରେ ଯାଇଛନ୍ତି ।

ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା । କମିଶନର ଅଫ୍ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା କରାଯାଉଛି । ଷ୍ଟେସନ ମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି ହୋଇଛି । ଗତକାଲି ତାଙ୍କୁ ହାଜର ହେବାକୁ କୁହାଯାଇଥିବା ବେଳେ ସେ ସିବିଆଇ ନିକଟରେ ହାଜର ହୋଇନଥିଲେ । ସିଗନାଲ ସମ୍ପର୍କିତ ଦୁଇ ଜଣ ରେଳ କର୍ମଚାରୀଙ୍କୁ ମଧ୍ୟ ଜେରା କରିଥିଲା CBI ।

ରାଜ୍ୟରେ ବଦଳିଲା ପାଗ, ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ବର୍ଷା ହେଉଛି । ଆସନ୍ତା ୧୪ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଡଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟନା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବଦିଗରେ ଅରୁଣାଚଳ ପ୍ରଦେଶ ଯାଏଁ ଲମ୍ବିଛି । ଏହା ବାୟୁମଣ୍ଡଳରେ ୦.୯  କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ୧୪ ତାରିଖରୁ ବର୍ଷା ବଢ଼ିବାକୁ ଥିବାବେଳେ ୧୬ ତାରିଖରୁ ସାରା ରାଜ୍ୟରେ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ ।

ବର୍ତମାନ ସୁଦ୍ଧା ୧୭ ଜିଲ୍ଲାର ବର୍ଷା ସ୍ଥିତି ନିଅଣ୍ଟ ଥିବାବେଳେ ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଏଯାଏ ୨୩୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୩୧୪ ମିଲିମିଟର ତୁଳନାରେ ୨୬ ପ୍ରତିଶତ କମ୍ । ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ବର୍ଷା ତୁଳନାରେ ୪୫ ପ୍ରତିଶତ ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫ ମିଲିମିଟର ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି ।

ଅନୁଗୁଳ ପରେ ଢେଙ୍କାନାଳ ଗସ୍ତରେ 5T ସଚିବ, ଜିଲ୍ଲା କ୍ରୀଡ଼ା ସଙ୍ଘ ସହ କଲେ ଆଲୋଚନା

ଢେଙ୍କାନାଳ: ଅନୁଗୁଳ ପରେ ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ । କୀର୍ତ୍ତନ, ହୁଳହୁଳିର ଆଧ୍ୟାତ୍ମିକ ପରିବେଶରେ 5T ସଚିବଙ୍କୁ ସ୍ବାଗତ କରାଯାଇଛି । ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଏହାସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସେବାୟତଙ୍କ ପକ୍ଷରୁ 5T ସଚିବଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୬୦ ବର୍ଷରୁ ମନ୍ଦିରର ଉନ୍ନତି କାମ ହୋଇ ନଥିବା ସେବାୟତମାନେ କହିଛନ୍ତି । ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ଏହା ପରେ ଷ୍ଟାଡିଅମ ଯାଇ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା କରିଛନ୍ତି 5T ସଚିବ । କ୍ରୀଡ଼ାବିତ ଉତ୍ସାହିତ କରିବା ସହ ନିଜ ଅନୁଭୂତି ବଖାଣିଥିଲେ 5T ସଚିବ । ଭଲ କ୍ରୀଡ଼ାବିତ ହେବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ତାସହ ଭଲ ପାଠ ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅଲିମ୍ପିକ୍ସ ମେଡାଲ ପାଇଁ ଯିଏ ଖେଳନ୍ତି, ସେମାନଙ୍କ ଭିତରେ ଅଲଗା ଯୋଶ ଦରକାର । କ୍ରୀଡାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । କ୍ରୀଡ଼ାର ବିକାଶ ପାଇଁ ଯାହା ଦରକାର, ରାଜ୍ୟ ସରକାର ତାହା ଯୋଗାଇ ଦେବେ । ଯେଉଁ ସବୁ ଦାବି କରାଯାଇଛି, ତା’ର ସମାଧାନର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ଉତ୍ତର ଭାରତରେ ଜଳପ୍ରଳୟ, ୯୧ ଛୁଇଁଲାଣି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଉତ୍ତର ଭାରତରେ ମୂଷଳଧାରାରେ ବର୍ଷା ଦେଇଛି ଜଳ ଯନ୍ତ୍ରଣା । ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ । ଆଜିଠୁ ହିମାଚଳରେ ବର୍ଷା ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହିମାଚଳପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ବର୍ଷାର ପରିମାଣ କମିଛି । ତେଣୁ ଖୁବଶୀଘ୍ର ସେଠାକାର ସ୍ଥିତି ଅନୁସାରେ ସେମାନଙ୍କୁ ରିଲିଫ୍ ଦିଆଯିବା ବ୍ୟବସ୍ଥା ହେଉଛି । ଏହାସହ ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ବନ୍ୟା ଆଁରେ ପଞ୍ଜାବ । ସତଲେଜ୍ ନଦୀରୁ ପାଣି ଛଡ଼ାଯିବା ପରେ ଫାଜିଲ୍କାରେ ଆଲର୍ଟ ଜାରି ହୋଇଛି । ସେପଟେ ଯମୁନା ଓ ଗଙ୍ଗାରେ ବଢ଼ିବ ଜଳସ୍ତର । ୟୁପି, ଆଗ୍ରା ଓ ପ୍ରୟାଗରାଜକୁ ବନ୍ୟା ସତର୍କତା ଜାରି କରାଯାଇଛି । ହିମାଚଳ ପ୍ରଦେଶରେ ପ୍ରାୟ ପର୍ଯ୍ୟଟକ ଫସିଛନ୍ତି । ଚନ୍ଦ୍ରତାଲ ଲେକ୍ ନିକଟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ IAF ହେଲିକପ୍ଟର ଆବଶ୍ୟକ ଥିଲା । ୩ ଶହ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି । ହେଲେ ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କାଜାରୁ ଏକ ଉଦ୍ଧାରକାରୀ ଦଳ କୁଞ୍ଜୁମରେ ପହଞ୍ଚିସାରିଛନ୍ତି । କିଛି ସ୍ଥାନରେ ବର୍ଷା ବନ୍ଦ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଓ ଭାଙ୍ଗିଥିବା ରାସ୍ତା ମରାମତି ଆରମ୍ଭ ହେଲାଣି । ସେପଟେ ସିମଲା, ସିରମୌର ଓ କିନୌର ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଓ ଫ୍ଲାସଫ୍ଲଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା, ଆଜିଠୁ ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାର ହେବ ସମୀକ୍ଷା

ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା । ବିଦ୍ୟୁତ ନିୟାମକ ଆୟୋଗଙ୍କ ସର୍ତ୍ତକୁ ମାନୁଛନ୍ତି ତ ବିତରଣ କମ୍ପାନୀ । ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ଆଜିଠୁ ୪ ଦିନ ଧରି ଆୟୋଗ ସମୀକ୍ଷା କରିବେ । ଆଜି ପ୍ରଥମ ଦିନରେ ଟାଟା କମ୍ପାନୀର କାର୍ଯ୍ୟଧାରାକୁ ନେଇ ସମୀକ୍ଷା କରାଯିବ । ନିୟମ ଅନୁସାରେ ବିଦ୍ୟୁତ ବିତରଣ କମ୍ପାନୀ ଅଧିଗ୍ରହଣ କରିବା ଦିନଠାରୁ ୫ ବର୍ଷ ମଧ୍ୟରେ ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ବିନିଯୋଗ କରିବେ । ଏହାଦ୍ବାରା ବିଦ୍ୟୁତ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ ।

ଏ ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ ହଜାର ୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ବିନିଯୋଗ କରିସାରିଲେଣି । ଆୟୋଗ ବିଦ୍ୟୁତ ବିତରଣ ଶୁଳ୍କ ସମ୍ବନ୍ଧୀୟ ଅଧିନିୟମ ୨୦୨୨ ଜାରି କରିଛନ୍ତି । ଭିତ୍ତିଭୂମିର ଉନ୍ନତି ପାଇଁ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରାଯାଉଛି ତାହାର ସମୀକ୍ଷା କରାଯିବ । ବରିଷ୍ଠ ଅଧିକାରୀ ପ୍ରତିମାସରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର କାର୍ଯ୍ୟଧାରା ଓ ଉପଭୋକ୍ତାଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ଅନୁଶୀଳନ କରିବେ ।

ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ଅଘଟଣ, ମିଳିଲା ଅନ୍ୟ ୨ ନିଖୋଜ ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ କୁଆଖାଇ ନେଲା ୪ ମୁଣ୍ଡ । ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି ଆରୟନ ଓ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଖୋଜଙ୍କୁ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ । କିନ୍ତୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଯାଇପାରିନଥିଲା । ସେଥିପାଇଁ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଓଡ୍ରାଫ୍ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର, ବାଲିଅନ୍ତା ଅଗ୍ନିଶମ, ଭୁବନେଶ୍ବର ଷ୍ଟ୍ରାଇକିଂ ଫାୟାର ଫୋର୍ସ ଓ ଓଡ୍ରାଫର ପ୍ରାୟ ୩୦ ଜଣ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଅଧଘଣ୍ଟାରେ ୨ଟି ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍‌ । ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ପିଟାଲକୁ ପଠାଯାଇଛି । ସୂଚନା ଅନୁସାରେ ଗତକାଲି ଆସ୍ଥା ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ କଲେଜରୁ ୯ ଜଣ ଛାତ୍ର ଭୋଜି କରି ଆସି କୁଆଖାଇରେ ଗାଧୋଇବା ବେଳେ ୪ ଜଣ ବୁଡ଼ିଯାଇଥିଲେ ।

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ, ୫ ମାସରେ ଗଲାଣି ୭ ଜୀବନ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ । ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଛି । ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରି ନାହିଁ । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ଚିତା ତେଜସ ମୃତ୍ୟୁକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୪ଟି ଚିତା ଏବଂ ୩ ଶାବକଙ୍କର ମୃତ୍ୟୁ ହୋଇଛି ।

ଚିତା ତେଜସ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଗତ ୫ ମାସରେ ୭ଟି ଚିତାବାଘର ମୃତ୍ୟୁ ହେଲାଣି । ଭାରତରେ ଚିତା ଲୋପ ପାଇଥିବାରୁ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ଅଣାଯାଇଥିଲା । ହେଲେ ଭାରତ ଆସିବା ପରେ ବିଭିନ୍ନ କାରଣରୁ ୪ ଜଣ ଚିତା ଓ ୩ ଜଣ ଚିତା ଶାବକଙ୍କ ମୃତ୍ୟୁ ହୋଇଛି ।

ଅନୁଗୁଳ ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର

ଅନୁଗୁଳ: ଅନୁଗୁଳ ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର । ୧୫.୮୫ କୋଟି ଟଙ୍କାରେ ଅନୁଗୁଳରେ ନିର୍ମାଣ ହେବ ୩ଟି ସେତୁ, ୩ଟି ସଡକ ପାଇଁ ୭୬.୩୯ କୋଟି ଟଙ୍କା, ନିର୍ମାଣ ହେବ ୨ଟି ବନ୍ୟା ଆଶ୍ରୟସ୍ଥଳ । ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସ ଠାରୁ କାର୍ଯ୍ୟକ୍ଷମ କରାଯିବ । ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଛେଣ୍ଡିପଦାଠାରେ ଲୋକଙ୍କ ଠାରୁ ଏହି ଦାବୀ ସଂପର୍କରେ ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କ ସହିତ ଭିଡିଓ କଲ୍ରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ । ସେହିପରି ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି । ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଜିଲ୍ଲା ଡି.ଏଫ.ଓ ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ। ଜିଲ୍ଲାରେ ସଡକ ଯୋଗାଯୋଗର ବିକାଶ ପାଇଁ OMBADC ପାଣ୍ଠିରୁ ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ଓ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି, ମହଙ୍ଗା ହେବ କାର୍, ଶସ୍ତା ହେବ କ୍ୟାନ୍ସର ଔଷଧ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦର ୫୦ତମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଅନଲାଇନ ଗେମିଂ, ହର୍ସ ରେସିଂ ଏବଂ କ୍ୟାସିନୋ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ମଞ୍ଜୁରୀ ଦେଇଛି । ପୂର୍ବରୁ ଏହା ଉପରେ ଟ୍ୟାକ୍ସ ଦର ୧୮ ପ୍ରତିଶତ ଥିଲା । ସେହିପରି ସିନେମା ହଲରେ ଖାଦ୍ୟ ଓ ପାନୀୟ ପଦାର୍ଥ ଉପରେ ଲାଗୁଥିବା ବିଲ୍ ଉପରେ ଜିଏସଟି କମ୍ କରିବାକୁ ନେଇ ହୋଇଥିବା ସୁପାରିଶକୁ ମଞ୍ଜୁରୀ ମିଳିଛି । ଏବେ ଏହି ପଦାର୍ଥ ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ ।

ଏହି ସମସ୍ତ ନିଷ୍ପତ୍ତିର ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର । କ୍ୟାନ୍ସରର ଇମ୍ପୋର୍ଟେଡ ଔଷଧ ଉପରେ ଆଇଜିଏସଟି ଏବେ ଆଉ ଲାଗିବ ନାହିଁ । ଅର୍ଥାତ ଔଷଧ ମୂଲ୍ୟରେ ହ୍ରାସ ଆସିବ । ରନ୍ଧା ହୋଇନଥିବା ସ୍ନାକ୍ସ ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ସେହିପରି ଇମିଟେସନ, ଜରି ସୂତ୍ର ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଲଇଡି ସ୍ଲାଗ ଉପରେ ମଧ୍ୟ ଜିଏସଟି ହାର ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଦୀର୍ଘ ଦିନ ହେବ ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗକୁ ନେଇ ଚର୍ଚ୍ଚା କରୁଥିଲା ।

ହେଲେ ଏଥର ପରିଷଦ ଅନଲାଇନ ଗେମିଙ୍ଗ ଉପରେ ୨୮ ପ୍ରତିଶତ ଲଗାଇବା ନେଇ ନିଷ୍ପତ୍ତି କରିଛି । ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗରେ କିଛି ସଂଶୋଧନ କରିବା ସହ ୨୮ ପ୍ରତିଶତ ଜିଏସଟି ଲଗାଇବା ନେଇ ନିଷ୍ପତ୍ତି ନେଇଛି । ହର୍ସ ରେସିଂ, କ୍ୟାସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ଉପରେ ସହମତି ହୋଇଛି । କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଜିଏସଟି ପରିଷଦରେ ମଲ୍ଟି ୟୁଟିଲିଟି ଭେଇକିଲ ଉପରେ ୨୨ ପ୍ରତିଶତ ସେସ୍ ଲଗାଇବାକୁ ମଞ୍ଜୁରୀ ଦେଇଛି । ଅବଶ୍ୟ ସେଡାନ କାରଗୁଡ଼ିକୁ ଏଥିରେ ସାମିଲ କରାଯାଇନାହିଁ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଏସଟି ପରିଷଦ ଘରୋଇ ଅପରେଟର ଦ୍ୱାରା ଉପଗ୍ରହ ପ୍ରକ୍ଷେପଣ ସେବା ଉପରେ ଜିଏସଟି ଛାଡ଼ କରିଛି ।

ଜିଲ୍ଲାସ୍ତରୀୟ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି । ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ମାନେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଥିସହ ସରକାର ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣୀ ।

ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କୁ ଫୋନ କରି ସେମାନଙ୍କ ଅଭିଯୋଗର ସମାଧାନ ସଂପର୍କରେ ଜାଣିବେ । ଢେଙ୍କାନାଳରୁ ଭିଡିଓ କନ୍ଫରେସନ୍ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ଓ ଯାଚିକା ସଂପର୍କରେ ପଦକ୍ଷେପ ନିଆଯାଉଛି ।

ବିଭିନ୍ନ ବିଭାଗ ଦ୍ବାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ।ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣୀ ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ମୁଁ ଚାହେଁ ଯେ ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ। ସେଥିପାଇଁ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରିକି ବ୍ଲକ୍ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ମୁଁ ଆଶା କରୁଛି ସମସ୍ତ ବିଭାଗ ଗୁଡିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣୀ କରି ସମାଧାନ କରିବେ । ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।