ଅମୃତ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଦିଗପହଣ୍ଡି: କେନ୍ଦ୍ରର ଅମୃତ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଚାଷୀ ଏହି ଅଭିଯୋଗ ଆଣିଛନ୍ତି । ବ୍ଳକ୍‌ ଅଫିସଠାରୁ ୧ କିଲୋମିଟର ମଧ୍ୟରେ କୁମ୍ଭାରଶାଳା ଅମୃତ ସରୋବରକୁ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ବାରା ଖୋଳି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଅମୃତ ସରୋବର ଯୋଜନାରେ ଜମିକୁ କେନାଲ ପାଣି ଆସିପାରୁନାହିଁ । ଚାଷୀମାନେ ଏନେଇ ବିଡିଓଙ୍କୁ ଅଭିଯୋଗ କରିଛନ୍ତି । ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ପୋଖରୀ ଭିତରେ ଆଉ ଏକ ପୋଖରୀ ଖନନ । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନା ନାଁରେ ଟଙ୍କା ହରିଲୁଟ୍‌ ଅଭିଯୋଗ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍‌ ଅଫିସଠାରୁ ଏକ କିଲୋମିଟର ଦୂରରେ ଥିବା କୁମ୍ଭାରଶାଳା ବନ୍ଧ ମଧ୍ୟରେ ଅମୃତ ସରୋବର ଖନନ ହୋଇଛି। ୧୯ ଲକ୍ଷ ଟଙ୍କା ଶ୍ରମିକଙ୍କୁ ମଜୁରୀ ପ୍ରଦାନ ଓ ଏକ ଲକ୍ଷ ଟଙ୍କା ବିଭିନ୍ନ ସାମଗ୍ରୀ କିଣିବାକୁ ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଉଲ୍ଲେଖ ରହିଛି । କିନ୍ତୁ ଜେସିବି ମେସିନ ଦ୍ବାରା ଅମୃତ ସରୋବର ଖନନ କରାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ପୂର୍ବରୁ ପୋଖରା ନିକଟସ୍ଥ କେନାଲ ପାଣି ପାଇପ ଯୋଗେ ଚାଷଜମିକୁ ଯାଉଥିଲା । କିନ୍ତୁ ଅମୃତ ସରୋବର ଖନନ ପରେ ପାଣି ଚାଷଜମିକୁ ଯାଇପାରୁନାହିଁ ।

ଅମୃତ ସରୋବର ଖନନରେ ଦୁର୍ନୀତି ଅଭିଯୋଗ ସହିତ  ଜମିକୁ ପାଣି ଯାଇ ନପାରିବା ସମସ୍ୟା ନେଇ ପାତ୍ରପୁର ବିଡିଓଙ୍କୁ ଚାଷୀମାନେ ଜଣାଇଥିଲେ । ଏହାର ତଦନ୍ତ କରି ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା । ବିଡିଓ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।