spot_img
Home Blog Page 2959

ନିର୍ବାଚନୀ ହିଂସାରେ ଅଶାନ୍ତ ପଶ୍ଚିମବଙ୍ଗ

କୋଲକାତା: ନିର୍ବାଚନୀ ହିଂସାରେ ଅଶାନ୍ତ ପଶ୍ଚିମବଙ୍ଗ । ଦ୍ବିତୀୟ ଦିନ ଗଣତି ବେଳେ ବି ଗଣ୍ଡଗୋଳ ଜାରି । ଗତକାଲି ରାତି ଓ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ସାମ୍ନାକୁ ଆସିଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗଡ଼ ଅଞ୍ଚଳରେ ISF-ଟିଏମସି କର୍ମୀଙ୍କ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ଗଣତିରେ ଟିଏମସି ପ୍ରାର୍ଥୀ ବିଜୟୀ ହେବାରୁ ISF କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ଥରେ ଭୋଟ ଗଣତି ପାଇଁ ଦାବି ପରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉତ୍ତେଜନା ପରେ ଉଭୟ ପକ୍ଷରୁ ଗୁଳିମାଡ଼ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ୧୪୪ ଧାରା ଲାଗୁ କରାଯାଇଛି ।

ସେପଟେ ରାଜ୍ୟର କିଛି ସ୍ଥାନରେ ବୋମା ମାଡ଼ ହୋଇଥିବା ବେଳେ ପୋଲିସ କିଛି ବୋମା ଜବତ କରିଛି । ସେପଟେ ପଞ୍ଚାୟତ ନିର୍ବାଚନରେ କ୍ଲିନ୍ ସୁଇପ୍ କରିଛି ଟିଏମସି । ୩ ହଜାର ୩୧୭ ଆସନରୁ ୨ ହଜାର ୫୫୨ ସିଟରେ ବିଜୟୀ ହୋଇଛି ତୃଳମୂଳ କଂଗ୍ରେସ । ୨୦ ଜିଲ୍ଲା ପରିଷଦରୁ ୧୨ ଆସନ କବଜା କରିଛି ଟିଏମସି । ବିଜେପି ମାତ୍ର ୨୧୨ ପଞ୍ଚାୟତରେ ବିଜୟୀ ହୋଇଛି ।

ଜୁଇରୁ ଯୁବତୀଙ୍କ ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା, ୨ ଗିରଫ

ମୟୂରଭଞ୍ଜ: ଜୁଇରୁ କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା । ୨ ଜଣଙ୍କୁ ଗିରଫ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରେ ଘଟଣା । ଶବର ପୋଡ଼ା ମାଂସ ଖାଇବାକୁ ନେଇ ପରିବାର ଲୋକଙ୍କ ସମେତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣି ପଚରାଉଚୁରା କରିଛି । କେବଳ ନିଶା ନା ଆଉ କିଛି କାରଣ ରହିଛି, ଚାଲିଛି ତଦନ୍ତ ।

ମଙ୍ଗଳବାର ବନ୍ଧସାହିଗାଁର ୨୫ ବର୍ଷୀୟ ମଧୁସ୍ମିତା ସିଂଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଶାଣୀରେ ଶବ ସତ୍କାର ହେଲା । ହେଲେ ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବରୁ ଅଧା ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ । ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ୫୮ ବର୍ଷୀୟ ସୁନ୍ଦର ସିଂ ଓ ୨୫ ବର୍ଷୀୟ ନରେନ୍ଦ୍ର ସିଂଙ୍କୁ ଅଟକ ରଖିଛି ପୋଲିସ । ୨ ଅଭିଯୁକ୍ତ ବଡ଼ସାହି ଥାନା ଦାନ୍ତୁଣୀ ଗାଁର । ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା ସ୍ବୀକାର କରିଛନ୍ତି ଉଭୟ ।

ବାହାନଗା ଟ୍ରେନ୍ ଟ୍ରାଜେଡି, ୭ ରେଳ କର୍ମଚାରୀ ନିଲମ୍ବିତ

ବାହାନଗା: ବାହାନଗା ଟ୍ରେନ୍ ଟ୍ରାଜେଡି । ୭ ରେଳ କର୍ମଚାରୀ ନିଲମ୍ବିତ । ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ ସସପେଣ୍ଡ୍ । ସିଆରଏସଙ୍କ ତଦନ୍ତରେ ଅନ୍ୟ ୪ ଜଣଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଡ୍ୟୁଟିରେ ଖିଲାପ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଲେ ରେଲୱେ ଜିଏମ ଅନୀଲ ମିଶ୍ରା । ସିବିଆଇ ଓ ସିଆରଏସଙ୍କ ତଦନ୍ତ ଏବେ ବି ଜାରି ରହିଛି । ଆଜି ତଦନ୍ତ ପାଇଁ ଷ୍ଟେସନରେ ପହଞ୍ଚିଥିଲେ ଡି.ଆର.ଏମ ଓ ଜି.ଏମ ।

ବାହାନଗାରେ ରେଳ ଦୁର୍ଘଟଣାକୁ ମାସେ ୧୦ ଦିନ ବିତିଲାଣି । ରେଳ ଚଳାଚଳ ସ୍ବଭାବିକ ହୋଇଛି । ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ନୂତନ ଭାବେ ଯୋଗ ଦେଇଥିବା ଡିଆରଏମ କେ.ଆର ଚୌଧୁରୀ ଓ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ବାହାନଗା ରେଳ ଷ୍ଟେସନକୁ ଆସି ସମସ୍ତ ବିଭାଗରେ ତଦାରଖ କରିବା ସହ ରେଳ ଟ୍ରାକ ତଦାରଖ କରିଛନ୍ତି । ଷ୍ଟେସନରୁ ରେଳ ଧାରଣା ଦେଇ ଅନୁଧ୍ୟାନ କରି ଉତ୍ତର କ୍ୟାବିନ ନିକଟରେ ପହଞ୍ଚିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ, ଲୁପ୍‌ ଲାଇନ ଓ ପ୍ୟାନେଲ ରୁମରେ ଅନୁଧ୍ୟାନ କରିଥିଲେ ।

ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ’ଡିଜିଟାଲ କ୍ରପ୍ ସର୍ଭେ’

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଡିଜିଟାଲ କ୍ରପ୍ ସର୍ଭେ । ରାଜ୍ୟରେ ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମାଧ୍ୟମରେ କରାଯିବ । ପ୍ରାରମ୍ଭିକ ଭାବେ ଚଳିତ ବର୍ଷ ନୂଆପଡ଼ା, ନୟାଗଡ଼, ଦେବଗଡ଼ ଓ ଭଦ୍ରକ ଜିଲ୍ଲାରେ ଆରମ୍ଭ ହେବ ଡିଜିଟାଲ ଶସ୍ୟ ସର୍ଭେ । ସର୍ଭେକାରୀ ଟିମ୍ ଜମିରେ ଚାଷ ହୋଇଥିବା ଫସଲର ଫଟୋ ସହ ଜମିର ଆୟତନ ସମ୍ପର୍କୀତ ସମସ୍ତ ତଥ୍ୟ ମୋବାଇଲ ଆପରେ ଅପଲୋଡ କରିବେ । ଏହାଦ୍ୱାରା ଚାଷୀ କେତେ ଅଞ୍ଚଳରେ କି ପ୍ରକାର ଫସଲ କରୁଛନ୍ତି, ତାହାର ବାସ୍ତବ ତଥ୍ୟ ରହିପାରିବ । ବିପର୍ଯ୍ୟୟ ସମୟରେ ସବସିଡ୍ ପ୍ରଦାନ ବେଳେ ଏହା ବିଶେଷ ସହାୟକ ହେବ । ଏଥିପାଇଁ ଆଜି କୃଷି ଭବନରେ ସର୍ଭେ କରିବାକୁ ଥିବା ଟିମକୁ ପ୍ରଶିକ୍ଷଣ ଦିଆଯାଇଛି ।

ରାଜଧାନୀରେ ଲଗାଣ ବର୍ଷା ପରେ ଫୁଲୁଛି ଯମୁନା ନଦୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ପରେ ଫୁଲୁଛି ଯମୁନା ନଦୀ । ସାଧାଣର ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି । ଯମୁନାର ବିପଦ ସଙ୍କେତ ୨୦୫.୩୩ ମିଟର ଥିବା ବେଳେ, ଏବେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ୧୯୭୮ ମସିହାର ୨୦୭.୬୮ ରେକର୍ଡକୁ ଯମୁନା ଭାଙ୍ଗିପାରେ ବୋଲି ଆଶଙ୍କା କରାଯାଉଛି । ଯମୁନା ପାଣି ବର୍ତ୍ତମାନ ଚାଷ ଜମିରେ ମଧ୍ୟ ପଶିସାରିଛି । ଯମୁନା କୂଳ ତଳିଆ ଅଞ୍ଚଳ ଘର ବୁଡିଗଲାଣି ।

5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ 5T ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ ।

ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡା ଲାଇଟ୍ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ, ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି 5T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ଦ କୋଠରୀରୁ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ: ବନ୍ଦ କୋଠରୀରୁ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରାଜମହଲ ସାହିର ଘଟଣା । ମୃତ ଯୁବକ ସୁଧାଂଶୁ ଶୁଭଙ୍କର ଦାସ ବୋଲି ଜଣାପଡ଼ିଛି l ପୋଲସରା ବ୍ୟାଙ୍କ ଅଫ୍ ବରୋଦାର ଫିଲ୍ଡ ଅଫିସର ଭାବେ କାମ କରୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି l

କେନ୍ଦ୍ର ସରକାର ବିରୋଧର କଂଗ୍ରେସର ମୌନ ସତ୍ୟାଗ୍ରହ

ଭୁବନେଶ୍ୱର: କେନ୍ଦ୍ର ସରକାର ବିରୋଧର କଂଗ୍ରେସର ମୌନ ସତ୍ୟାଗ୍ରହ । କଂଗ୍ରେସ ଭବନ ସମ୍ମୁଖରେ ମୌନ ପ୍ରତିବାଦ କରିଛନ୍ତି ରାଜ୍ୟ କଂଗ୍ରେସ ନେତା । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଏଥିସହ କଂଗ୍ରେସର ଅନେକ ହେଭିୱେଟ ନେତା ମଧ୍ୟ ସାମିଲ ହୋଇଛନ୍ତି । ପାଟିରେ କଳା ପଟି ବାନ୍ଧି ପ୍ରତିବାଦ କରୁଛନ୍ତି କଂଗ୍ରେସ ନେତା । କେନ୍ଦ୍ରରେ ପୁଞ୍ଜିପତି ସରକାର ଚାଲିଛି ବୋଲି ଦଳ ଅଭିଯୋଗ କରିଛି । କେନ୍ଦ୍ର ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଯାହାର ଜବାବ ୨୦୨୪ରେ ଦେଶବାସୀ ଦେବେ । ସେହିପରି ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡ଼ଯନ୍ତ୍ର ନେଇ ବର୍ଷିଛନ୍ତି ଜୟଦେବ ଜେନା । କେନ୍ଦ୍ରରେ ହିଟଲର ଓ ତାଲିବାନୀ ଶାସନ ବିରୋଧରେ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରୁଛି ।

ବ୍ଲାକମେଲିଂର ଶିକାର ହେବା ପରେ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ନ୍ୟୁଡ୍ କଲର କରୁଣ ପରିଣତି । ବ୍ଲାକ ମେଲିଂର ଶିକାର ହେବା ପରେ ପେଟରେ କଇଁଚି ଭୁସି ଆତ୍ମହତ୍ୟା ପାଇଁ ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ । ନୟାପଲ୍ଲୀ N-1 ରେ ନିଜର ଦୁଇ ପିଲା ଓ ସ୍ତ୍ରୀଙ୍କ ସହ ରୁହନ୍ତି ଦଣ୍ଡଧର ବାରିକ । ୩ ଦିନ ତଳେ ହଠାତ ଦଣ୍ଡଙ୍କ ସହ ଫେସବୁକରେ ଚାଟିଂ କରିଥିଲେ ଜଣେ ଅଜଣା ଯୁବତୀ । ଆଉ ଏହା ପରେ ହ୍ୱାଟ୍ସ ଆପରେ ଭିଡିଓ କଲ କରିଥିଲେ ଅଜଣା ଯୁବତୀ ଜଣକ । ବାରଣ କରିବା ସତ୍ତ୍ୱେ ବି ଭିଡିଓ କଲରେ କଥା ହେଇଥିଲେ ଯୁବତୀ ଜଣକ । ଫୁଙ୍ଗୁଳା ଦେହରେ କଥା ହେବା ବେଳର ଭିଡିଓ  ସ୍କ୍ରିନ ରେକର୍ଡିଂ କରି ଦଣ୍ଡଧରଙ୍କୁ ବ୍ଲାକମେଲିଂ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ ଅଜଣା ଯୁବତୀ ଜଣଙ୍କ । ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଂ ଅଭିଯୋଗ ନେଇ ଯାଇଥିଲେ ଦଣ୍ଡଧର । କିନ୍ତୁ ପୋଲିସ ଏତଲା ନରଖିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦଣ୍ଡ । ବେହୋସ ଅବସ୍ଥାରେ ଦଣ୍ତଧରଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ଜଣାପଡିଛି ।

ରାଜଧାନୀରେ କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ, ବିଭିନ୍ନ ଛକରେ ପୋଲିସର ଛାପା

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ । ବିଭିନ୍ନ ଛକରେ ପୋଲିସର ଛାପା । ଚେକିଂ ଓ ବ୍ଲକିଂକୁ ବ୍ୟାପକ କରିଛି କମିଶନରେଟ ପୋଲିସ । ଝାରପଡ଼ା, କଳ୍ପନା, ରବି ଟକିଜ୍, କଟକ ରୋଡ୍ ସହ ଜାଗମରା, ରାମମନ୍ଦିର ଛକ, ନାଲକୋ ଛକରେ ଚେକିଂ କରାଯାଉଛି । ସନ୍ଦିଗ୍ଧ ଗାଡିକୁ ଯାଞ୍ଚ କରିବା ସହ ଡ୍ରାଇଭରଙ୍କ ପରିଚୟ ବୁଝୁଛି ପୋଲିସ । ଦୁଇ ପ୍ଲାଟୁନ ଫୋର୍ସ ଚେକିଂ ଓ ବ୍ଲକିଂ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେଫ୍ ସିଟି ଡ୍ରାଇଭ ଅଧୀନରେ ପ୍ରତ୍ୟେକ ଦିନ ରାତିରେ ହେଉଛି ଚେକିଂ। ଖଟି ଓ ମଦ୍ୟପାନ ସ୍ଥାନରେ କରାଯାଉଛି ଚଢ଼ାଉ । ତେବେ ଆଗକୁ ମଧ୍ୟ ଏହିଭଳି ଭାବରେ ଚେକିଂ ଓ ବ୍ଲକିଂ ବଳବତ୍ତର ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।