ଭୁବନେଶ୍ବର: ଡାଲି ଦର ବୃଦ୍ଧି ବଢାଇଲାଣି ଖାଉଟିଙ୍କ ଚିନ୍ତା। କିଲୋ ପିଛା ୨ଶହ ଟଙ୍କା ହେଲାଣି ଡାଲି, ଆଗକୁ ଆହୁରି ବଢିବା ଆଶଙ୍କା ରହିଛି। ସେପଟେ ଖାଇବା ତେଲ ଓଜନରେ କାରସାଦି କରି ଲୋକଙ୍କୁ ଠକୁଛନ୍ତି କମ୍ପାନୀ। ଲିଟରେ ତେଲର ଦରରେ ୮୫୦ଗ୍ରାମ ତେଲ କିଣୁଛନ୍ତି ଖାଉଟି। ଦର ନିୟନ୍ତ୍ରଣ ଓ ଠକାମି ରୋକିବାକୁ ଅଭିଯୋଗ ପରେ ବି ଆକ୍ସନ୍ ନେଉନାହାନ୍ତି କେନ୍ଦ୍ର ସରକାର। ଖାଉଟିଙ୍କ ରୋଷର ଶିକାର ହେଉଛନ୍ତି ବ୍ୟବସାୟୀ ମହାସଂଘ। ତେଣୁ ଆଗକୁ ମାଲ ଉଠାଇବେନି କି ବିକ୍ରିବଟା କରିବେନି ବୋଲି ବ୍ୟବସାୟୀ ଚେତାବନୀ ଦେଇଛନ୍ତି।

୨ଶହ ଛୁଇଁଲା ଡାଲି କେଜି। ତେଲ ଓଜନରେ କମ୍ପାନୀଙ୍କ କାରସାଦିରେ ଲାଗୁନି ବ୍ରେକ୍। କେତେ କିଣିବେ କେତେ ଖାଇବେ? କେମିତି ଚଳାଇବେ ପରିବାର? ମଧ୍ୟବିତ୍ତଙ୍କ ବଜେଟ୍ ଏପଟ ସେପଟ କଲାଣି ମହଙ୍ଗା ମାଡ଼। ବ୍ୟବସାୟୀ ବି କହିଲେ, ମାଲ ବିକିବୁ କାହିଁକି? କାହିଁକି ହେବୁ ଖାଉଟିଙ୍କ ରୋଷର ଶିକାର? ନିଦାବିଷ୍ଣୁ ପାଲଟିଛନ୍ତି କେନ୍ଦ୍ର ସରକାର। ଦର ନିୟନ୍ତ୍ରଣ ନହେଲେ, ଆଉ ମାଲ୍ ଉଠାଇବୁନି କି ଲୋକଙ୍କୁ ତେଲ, ଡାଲି ବିକିବୁନି। ରାଜ୍ୟ ବ୍ୟବସାୟୀ ମହାସଂଘ ସମେତ ସର୍ବଭାରତୀୟ ବ୍ୟବସାୟୀ ସଂଘ  ଏଭଳି ଚେତାବନୀ ଦେଇଛି।

ବଜାରରେ ଡାଲି ଦର ଏବେ ୨୦୦ ଟଙ୍କା ଛୁଇଁଲା ଆଗକୁ ୨୦୦ ପାର୍ କରିବ। ସେପଟେ ଲିଟରକିଆ ଖାଇବା ତେଲର ଓଜନକୁ ନେଇ ଚଞ୍ଚକତା ଜାରି ରଖିଛନ୍ତି କେତେକ କମ୍ପାନୀ। କମ୍ ଓଜନର ତେଲ ପ୍ୟାକେଟ୍ ଓଡ଼ିଶା ବଜାରରେ ବିକି ମାଲେମାଲ୍ ହେଉଛନ୍ତି। ୯୧୦ ଗ୍ରାମ ଓଜନର ତେଲ ପ୍ୟାକେଟ୍ ବଦଳରେ ଓଡ଼ିଶା ବଜାରକୁ ଆସିଲାଣି ୮୫୦ଗ୍ରାମ ଓଜନର ପ୍ୟାକେଟ୍। କିନ୍ତୁ ଏଭଳି କର୍ପୋରେଟ୍ ସଂସ୍ଥାଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ରର ଜୁ ପାଉନି। ଫଳରେ ହଇରାଣ ହେଉଛନ୍ତି ସାଧାରଣ ଖାଉଟି। ଆଗକୁ ଯଦି କେନ୍ଦ୍ର ସରକାର ଏଭଳି ଠକୁଥିବା କମ୍ପାନୀଙ୍କ ବିରୋଧରେ ଆକ୍ସନ୍ ନେବା ସହ ଡାଲି ଦର ନିୟନ୍ତ୍ରଣ ନକରନ୍ତି, ତେବେ ବିକ୍ରିବଟା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ବ୍ୟବସାୟୀ କହିଛନ୍ତି।

ଡାଲି, ଖାଇବା ତେଲ, ଆଳୁ, ପିଆଜ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରଭୁକ୍ତ। ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧି ଓ ଦର ନିୟନ୍ତ୍ରଣ କରିବା କେନ୍ଦ୍ରର ଦାୟିତ୍ବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପ୍ରତ୍ୟେକ ଖାଉଟି ସାମଗ୍ରୀ ଦର ଅନିୟନ୍ତ୍ରିତ ଭାବେ ବଢିଚାଲିଛି, ସେଥିପ୍ରତି କେନ୍ଦ୍ର ଆଖି ବୁଜି ଦେଇଛି। ଓଡ଼ିଶା ବଜାରରେ କାହିଁକି ଏପରି କମ୍ ଓଜନର ଖାଇବା ତେଲ ମିଳୁଛି ସେ ନେଇ ଖବର ପ୍ରସାରଣ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏବେ ସମ୍ପୃକ୍ତ କମ୍ପାନୀ ଦିନକୁ ଦିନ ଓଜନ କମ୍ କରିଚାଲିଛନ୍ତି। ଲୋକେ ଲିଟରେ ପାଇଁ ଟଙ୍କା ଦେବେ କିନ୍ତୁ ପାଇବେ ୬୦ମିଲିଗ୍ରାମ୍ କମ୍ ଓଜନର ତେଲ। ଏପରି ଅବସ୍ଥା କେବେ ପୂର୍ବରୁ ଦେଖିବାକୁ ମିଳିନଥିଲା।