ଦୃଷ୍ଟିବାଧିତଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

କେନ୍ଦୁଝର: ଗୋଟିଏ ଇନ୍ଦ୍ରିୟ କାର୍ଯ୍ୟ କରିବା ବନ୍ଦ କଲେ, ଶରୀରର ଅନ୍ୟ ଇନ୍ଦ୍ରିୟ ଅଧିକ ସକ୍ରିୟ ଓ  ଶକ୍ତିଶାଳୀ ହୋଇ ଉଠନ୍ତି । ଦୃଷ୍ଟିବାଧିତମାନେ ସଂଗୀତରେ ପାରଦର୍ଶିତା ହାସଲ କରିବା ସାଧାରଣତଃ ଦେଖିବାକୁ ମିଳେ । ଅନ୍ୟ କାହା ଉପରେ ବୋଝ ନହୋଇ, ନିଜ ସଂଗୀତ ଓ ବାଦ୍ୟ କଳାକୁ ପାଥେୟ କରି ଦୃଷ୍ଟିବାଧିତମାନେ ସ୍ଵାବଲମ୍ବୀ ହେବା ଆଜିର ସମାଜରେ ଉଦାହରଣ ସୃଷ୍ଟି କରିଛି ।

ଆଖିକୁ ସିନା ଦେଖାଯାଉନି, କିନ୍ତୁ ନିଜ କଣ୍ଠର ଯାଦୁରେ ସାରା ଦୁନିଆକୁ ବାନ୍ଧି ରଖିପାରିଛନ୍ତି । ନିଜେ ଗରିବ । କିନ୍ତୁ କାହା ପାଖରେ ହାତ ପତାଉନାହାଁନ୍ତି । ନିଜେ ସ୍ବାବଲମ୍ବି ହୋଇ ସୃଷ୍ଟି କରିଛନ୍ତି ଭିନ୍ନ ପରିଚୟ । କିଏ ଗୀତ ଗାଉଛି ତ ଆଉ କିଏ ବାଦ୍ୟ ଯନ୍ତ୍ର ବଜାଇ ନିଜ ପେଟ ପୋଷୁଛନ୍ତି । ଦୃଷ୍ଟିବାଧିତଙ୍କ ଏଭଳି ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ବିଭୋର ହୋଇ ଉଠିଛନ୍ତି ଦର୍ଶକ ।

ଦୃଷ୍ଟିବାଧିତ ଯୁବକ ଓ ଯୁବତୀମାନଙ୍କ ଦ୍ଵାରା ପରିବେଷିତ ଏଭଳି ଉଚ୍ଚକୋଟିର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳର କିଛି ଯୁବ ଦୃଷ୍ଟିବାଧିତ ଉଦୀୟମାନ ପ୍ରତିଭାଙ୍କୁ ନେଇ ବ୍ରହ୍ମପୁରରେ ଗଠିତ ହୋଇଛି ଏକ ସଂସ୍ଥା । ଏହି ସଂସ୍ଥା ସଂଗୀତରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ଯୋଗାଉଛି । ଫଳରେ ସେମାନେ ନିଜ ପ୍ରତିଭାର ବିକାଶ କରିବା ସହ, ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଛନ୍ତି ।