ଗିଲ୍ ଓ ଶ୍ରେୟସଙ୍କ ଶତକୀୟ ପାଳି, ବିଶାଳ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଶତକୀୟ ପାଳି । ଶ୍ରେୟସ ଆୟର ୧୦୫ ରନ କରି ଆଉଟ ହୋଇଥିବାବେଳେ ଗିଲ ୧୦୪ ରନ କରିଛନ୍ତି । ଭାରତ ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ବାଡ ମାତ୍ର ୮ ରନରେ ଆଉଟ ହୋଇଥିବାବେଳେ ଗିଲ ଏବଂ ଶ୍ରେୟସ ଆୟରଙ୍କ ଯୋଡ଼ି ଭାରତ ପାଇଁ ବଡ଼ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଛି । ବିଶ୍ବକପ ପୂର୍ବରୁ ଏଭଳି ପ୍ରଦର୍ଶନ ଦଳର ଦମ୍ଭ ବଢ଼ାଇଛି । ଦଳର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ଉତ୍ସାହିତ କରିଛି ।

ପ୍ରଥମ ଦିନିକିଆରେ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଥିବାବେଳେ ଏହି ମ୍ୟାଚରେ ମଧ୍ୟ ଭଲ ବ୍ୟାଟିଂ କରିବେ ବୋଲି ଆଶା ରଖାଯାଇଛି । ଭାରତର ବ୍ୟାଟିଂ ଲାଇନଅଫ ଭଲ ରହିଛି । ସାର୍ଦ୍ଧୁଲ ଠାକୁରଙ୍କ ପର୍ଯ୍ୟନ୍ତ ଦଳରେ ସମସ୍ତେ ବ୍ୟାଟିଂ କରିପାରିବେ । ଏଣୁ ଏକ ବିଶାଳ ସ୍କୋର କରିବା ବୋଲି ଆଶା ରଖାଯାଇଛି । ୪୦୦ ରନର ପାହାଡ଼ ସ୍କୋର କରିବ ବୋଲି ଆଶା ରଖାଯାଇଛି । ଶେଷ ଖବର ସୁଦ୍ଧା ଇଶାନ କିଶାନ ଏବଂ ରାହୁଲ ପଡ଼ିଆରେ ମହଜୁଦ ଥିବା ସହ ବ୍ୟାଟିଂ ଜାରି ରଖିଛନ୍ତି ।