ମୁମ୍ବାଇ: ଅଜିତ ପାଓ୍ବାର ଏବଂ ଶରଦ ପାଓ୍ବାରଙ୍କ ବୈଠକ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କଂଗ୍ରେସ ଏହାକୁ ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି କି, ଶରଦଙ୍କୁ ଏବଂ ତାଙ୍କ ଝିଅକୁ କେନ୍ଦ୍ରମନ୍ତ୍ରୀ କରିବା ପାଇଁ ବିଜେପି ଅଫର ଦେଇଛି । ଯେଉଁ ସମ୍ପର୍କରେ ଉଭୟ ଦାଦା ପୁତୁରା ଶରଦ ଏବଂ ଅଜିଦଙ୍କ ମଧ୍ୟ ଆଲୋଚନା ହୋଇଛି । ଅଜିତ ମଧ୍ୟସ୍ଥତା କରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଶରଦଙ୍କ ଝିଅ ସୁପ୍ରିୟା ଏହାକୁ ସିଧା ସିଧା ବିରୋଧ କରିଛନ୍ତି । ସେ କହିଛନ୍ତି କି, ବିଜେପି ଆମକୁ କୌଣସି ଅଫର ଦେଇନାହିଁ । ଆମେ ଦିଲ୍ଲୀରେ କଂଗ୍ରେସ ସହ କଥା ହୋଇଛୁ । ବିଜେପି ଅଫର ଦେବା କଥା ସମ୍ପୂର୍ଣ୍ଣ ମିଛ । ରାଜ୍ୟ କଂଗ୍ରେସର ପ୍ରଶ୍ନ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହେଁନାହିଁ । ଆମେ ରାହୁଲ ଏବଂ ସୋନିଆଙ୍କ ସହ କଥା ହେଇଛୁ ।
ଥମୁନି ସୁଦାନ ସଙ୍କଟ, ୧୦ ଲକ୍ଷ ଲୋକେ ଦେଶ ଛାଡ଼ି ପଳାୟନ କଲେଣି
ଖାରତୁମ: ଥମୁନି ଧ୍ବସ୍ତବିଧ୍ବସ୍ତ ସୁଦାନ ସଙ୍କଟ । ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିଥିବାବେଳେ ହଜାର ହଜାର ଲୋକ ହାହାକାର ମଧ୍ୟରେ କାଳାତିପାତ କରୁଛନ୍ତି । ବିପନ୍ନ ଲୋକଙ୍କୁ ଖାଦ୍ୟ ଓ ମେଡିକାଲ ସୁବିଧା ମିଳୁନି । ଦେଶର ଭୟଙ୍କର ସଙ୍କଟ ମଧ୍ୟରେ ଗତି କରୁଛି ବୋଲି ସୂଚନା ଦେଇଛି ଜାତିସଂଘ ।
ଦାରଫର ସହରରେ ଜୋରଦାର ଲଢେଇ ଜାରି ରହିଥିବାବେଳେ ରାଜଧାନୀ ଖାରତୁମ ଧ୍ବସ୍ତବିଧ୍ବସ୍ତ ହେବାରେ ଲାଗିଛି । ସୁଦାନ ଆର୍ମି ଓ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସେସ ବା ଆରଏସଏଫ ନିଜ ଜିଦରେ ଅଟଳ ରହିବା ଯୋଗୁ ଶାନ୍ତି ଫେରିବାର ନାଁ ନେଉନାହିଁ । ସୁଦାନର ବହୁ ଅଞ୍ଚଳରେ ମେଡିକାଲ ସୁବିଧା ପହଞ୍ଚି ପାରୁନାହିଁ । ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି ।
ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିସାରିଥିବାବେଳେ ୩୪ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହେଲେଣି । ବିଦ୍ୟୁତ ଓ ମୋବାଇଲ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି । ଦେଶ ଘନ ଆର୍ଥିକ ସଙ୍କଟକୁ ଚାଲିଗଲାଣି ବୋଲି କହିଛି ଜାତିସଂଘ । ଗତ ଏପ୍ରିଲ 15ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା 4 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛନ୍ତି ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ମୁଖପାତ୍ର ଏଲିଜାବେଥ ଥ୍ରୋସେଲ ।
କ୍ଷମତାକୁ କେନ୍ଦ୍ର କରି ଆର୍ମି ଚିଫ ଆବଦେଲ ଫତାହ ଅଲ-ବୁହାନ ଓ ଅର୍ଦ୍ଧସାମରିକ ବାହିନୀ ତଥା ଆରଏସଏଫ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।
ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ !
ଇସଲାମାବାଦ: ସତରେ ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତାଙ୍କ ସମ୍ପର୍କରେ ଜଣେ ସହଯୋଗୀ ସଲମାନ ହାଇଦରଙ୍କ ସୂଚନା ଚିନ୍ତା ସୃଷ୍ଟି କରିଛି । ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡ ପାଇଥିବା ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ନେତା ଇମ୍ରାନଙ୍କୁ ଆତୋକ ଜେଲରେ ରଖାଯାଇଛି ।
ସେ ରହିଥିବା ସେଲଟି ଏତେ ଛୋଟ ଯେ ତାଙ୍କର ବ୍ଯାଗ ରଖିବାକୁ ବି ଜାଗା ନାହିଁ । ଗାଧୋଇବା ଓ ଶୌଚ ହେବା ଲାଗି ତାଙ୍କୁ ମାତ୍ର ବାଲତିଏ ପାଣି ଯୋଗାଯାଉଛି । ତାଙ୍କ ଆଖପାଖରେ ଥିବା ସେଲରେ ବି ଅନ୍ୟ କାହାରିକୁ ରଖାଯାଇନାହିଁ । ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶକୁ ବି ଅମାନ୍ୟ କରି ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ । ତାଙ୍କୁ ଖବରକାଗଜ ବି ପଢିବାକୁ ଦିଆଯାଉନାହିଁ ବୋଲି କହିଛନ୍ତି ସଲମାନ ।
ଇମ୍ରାନଙ୍କ ଜାମିନ ଆବେଦନର ଶୁଣାଣି ଜାଣି ଶୁଣି ବିଳମ୍ବ କରାଯାଉଛି । ସେପଟେ ଏକ ଦୁର୍ନୀତି ମାମଲାରେ ପିଟିଆଇର ସଭାପତି ଚୌଧୁରୀ ପରଭେଜ ଇଲାହିଙ୍କୁ ନ୍ଯାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ହେପାଜତକୁ ଆସନ୍ତା 21 ତାରିଖ ଯାଏ ପଠାଇଛି ପାକିସ୍ତାନର ଏକ କୋର୍ଟ । ଗତ ମେ 9 ତାରିଖରେ ମିଲିଟାରୀ ବାହିନୀ ଉପରେ ଆକ୍ରମଣ ଓ କେତେକ ସରକାରୀ କୋଠା ଉପରେ ଆକ୍ରମଣ ଘଟଣା ସମେତ କେତେକ ଦୁର୍ନୀତି ମାମଲାରେ ସେ ବର୍ତ୍ତମାନ ଜେଲରେ ଅଛନ୍ତି ।


