ଇସ୍ରାଏଲର ହମଲାରେ ହମାସ ବାୟୁସେନା ମୁଖ୍ୟ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ନେଇ ବସିଲା ବଡ଼ ଖବର । ଇସ୍ରାଏଲର ହମଲାରେ ହମାସ ବାୟୁସେନା ମୁଖ୍ୟ ମୃତ୍ୟୁ ବରଣ କରିଛନ୍ତି । ରକେଟ ମାଡରେ ମୁରାଦ ଆବୁ ମୁରାଦଙ୍କ ମୃତ୍ୟୁ ହୋଇଛି । ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା କରିଛି । ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ମୁରାଦ । ଏହି ହମଲାରେ ହମାସର ବାୟୁସେନା ମୁଖ୍ୟାଳୟ ଛାରଖାର ହୋଇଯାଇଛି ।

ଇସ୍ରାଏଲ-ଗାଜା ସଂଘର୍ଷ ଲାଗିଛି ଘମଘୋଟ ଯୁଦ୍ଧ  । ଗାଜା ଉପରେ ବୋମା ବର୍ଷଣ କରୁଛନ୍ତି ଇସ୍ରାଏଲି ସେନା  । ଗତକାଲି ଇସ୍ରାଏଲି ସେନାର ଅପରେସନରେ ୭୦ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲି ସେନା  । ଏହା ପୂର୍ବରୁ ଗତକାଲି ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡିବାକୁ ୧୧ ଲକ୍ଷ ଗାଜାବାସୀଙ୍କୁ ଚେତାବନୀ ଦେଇଥିଲା ଇସ୍ରାଏଲ  ।

ଗାଜାର ଦକ୍ଷିଣାଞ୍ଚଳକୁ ସମସ୍ତ ୧୧ ଲକ୍ଷ ଲୋକ ଚାଲିଯିବାକୁ ଚେତାବନୀ ଦେଇଥିଲା ଇସ୍ରାଏଲର ସେନାବାହିନୀ ଆଇଡିଏଫ୍ । ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ୁଛନ୍ତି ଲୋକେ  । ଆକ୍ରମଣ ଭୟରେ ନିଜର ଘର ଛାଡ଼ି ଅନ୍ୟତ୍ର ପଳାୟନ ଆରମ୍ଭ କରିଛନ୍ତି । ଇସ୍ରାଏଲ ଗାଜା ସୀମାରେ ୩ ଲକ୍ଷ ସେନାକୁ ମୁତୟନ କରିଥିବା ବେଳେ ଶତାଧିକ ଟ୍ୟାଙ୍କ ମହଜୁଦ କରି ରଖିଛି । ଗାଜା ସହର ତଳେ ଥିବା ଟନେଲରେ ହମାସ ଆତଙ୍କବାଦୀମାନେ ଲୁଚି ରହିଛନ୍ତି  ।

ହମାସ ଆତଙ୍କୀ ଇସ୍ରାଏଲର ଦେଢଶହ ଲୋକଙ୍କୁ ପଣବନ୍ଦୀ କରି ରଖିଥିବା କହିଛି ଇସ୍ରାଏଲ  । ସେମାନଙ୍କୁ ମୁକ୍ତ କରିବାକୁ ଏହି ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ  । ଏହାସହ ଗାଜାର ଉତ୍ତରାଞ୍ଚଳରେ ହମାସ ଆତଙ୍କୀଙ୍କ କାର୍ଯ୍ୟକଳାପ ରହୁଛି । ହମାସ କାର୍ଯ୍ୟକଳାପକୁ ସମୂଳ ନାଶ କରିବାକୁ ଏହି ଅଭିଯାନ ଆରମ୍ଭ କରିଛି ଇସ୍ରାଏଲ ସେନା। ବର୍ତ୍ତମାନ ଯାଏଁ ଏହି ଆକ୍ରମଣରେ ୧୯ଶହ ଗାଜାବାସୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୬ଶହ ଶିଶୁ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧରେ ଦୁଇ ଦେଶର ୩୨ଶହ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  । ଇସ୍ରାଏଲ ସେନା ଆକ୍ରମଣରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥାର ଜଣେ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି  । ଦକ୍ଷିଣ ଲେବାନନରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ପ୍ରତିନିଧି ଆହତ ହୋଇଛନ୍ତି ।