ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ସୃଷ୍ଟି ହେବ କି ତୃତୀୟ ବିଶ୍ବଯୁଦ୍ଧ?

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ସୃଷ୍ଟି ହୋଇଛି ନୂଆ ଆଶଙ୍କା । ତୃତୀୟ ବିଶ୍ବଯୁଦ୍ଧ ନେଇ ଏବେ ପ୍ରଶ୍ନ ଉଠିଛି  ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବିଶ୍ବ ଦୁଇ ଭାଗ ହୋଇଛି । ପଶ୍ଚିମ ଏସିଆକୁ ନେଇ ପୁଣି ଆମେରିକା-ଋଷ ମୁହାଁମୁହିଁ ହୋଇଛନ୍ତି । ଇସଲାମିକ ଜିହାଦ ଦ୍ବାରଦେଶରେ ସାରା ପଶ୍ଚିମ ଏସିଆ ଥିବାବେଳେ ସମାଧାନ ବଦଳରେ ନିଆଁରେ ଘିଅ ଢାଳୁଛନ୍ତି ସୁପରପାଓ୍ବାର ।

ଇସ୍ରାଏଲ ଉପରେ ଆକ୍ରମଣ ଆମେରିକା ଉପରେ ଆକ୍ରମଣ ସହ ସମାନ କହିଛି ଆମେରିକା । ତେଣେ ୟୁକ୍ରେନକୁ ସମର୍ଥନ କରୁଥିବାରୁ ଆମେରିକା ଉପରେ କ୍ଷୁବ୍ଧ ହୋଇଛି ଋଷ । ଏହା ସହ ବଦଲା ନେବାକୁ ସୁଯୋଗ ଖୋଜୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଇସ୍ରାଏଲ ନିକଟରେ ଆତ୍ମରକ୍ଷା କରିବାର ଅଧିକାର ରହିଛି ବୋଲି କହିଛନ୍ତି ପୁଟିନ । ଇସ୍ରାଏଲ ସମର୍ଥନରେ ଆମେରିକା, ଇୟୁ, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ରହିଛନ୍ତି ।

ସେପଟେ ପାଲେଷ୍ଟାଇନ ସମର୍ଥନରେ ଋଷ, ଚୀନ, ନର୍ଥକୋରିଆ, ତୁର୍କୀ, ପାକିସ୍ତାନ, ଆଫଗାନିସ୍ତାନ, , ଇଜିପ୍ଟ, ମରୋକ୍କୋ, ଇରାନ, ଆଲଜେରିଆ, ସୁଡାନ, ଟ୍ୟୁନିସିଆ, ଜୋର୍ଡାନ, ବାହାରିନ, ଲେବାନନ, ସିରିଆ ଅଛନ୍ତି । ଏପରିକି ଚାପରେ ପଡି ସାଉଦିଆରବ ବି ପାଲେଷ୍ଟାଇନକୁ ସମର୍ଥନ କରିଛି । ସମ୍ଭାବ୍ୟ ଯୁଦ୍ଧରେ ଋଷକୁ ସମର୍ଥନ କରିବେ ବେଲାଋଷ, କିରଗୀଜସ୍ଥାନ । ତେଣେ ଦୁଇ ଭାଗରେ ବିଭକ୍ତ ହୋଇସାରିଲେ ବହୁ ଆଫ୍ରିକୀୟ ରାଷ୍ଟ୍ର । ସିରିଆ ବିମାନ ବନ୍ଦରରେ ଇସ୍ରାଏଲର ଆକ୍ରମଣ ଯୋଗୁ ବିଗିଡିଛି ସ୍ଥିତି । ଲେବାନନର ହେଜବୁଲ୍ଲା ସଂଗଠନ ଇସ୍ରାଏଲକୁ ତୀବ୍ର ବିରୋଧ କରୁଥିବାବେଳେ ତାଇଓ୍ବାନ ପ୍ରସଙ୍ଗ ନେଇ ଚାଲିଛି ଆମେରିକା-ଚୀନ ଟକ୍କର । ପଶ୍ଚିମ ଏସିଆ ନିଆଁରେ ବି ଘିଅ ଢାଳିବ ତାଇଓ୍ବାନ ପ୍ରସଙ୍ଗ । ଆଣବିକ କାର୍ଯ୍ୟକ୍ରମ ନେଇ ନର୍ଥକୋରିଆ ଓ ଇରାନ ଉପରେ ଆମେରିକା କ୍ଷୁବ୍ଧ ରହିଆସିଛି । ୧୯୮୩ରେ ଲେବାନନ ବେରୁଟରେ ମାର୍କିନ ଦୂତାବାସ ଉପରେ ହେଜବୁଲ୍ଲାର ଆକ୍ରମଣ ଏବଂ ଏହି ଘଟଣାରେ ୬୩ ଲୋକଙ୍କ ମୃତ୍ୟୁକୁ ନେଇ ଲେବାନନ ଉପରେ କ୍ଷୁବ୍ଧ ରହିଛି ଆମେରିକା । ବର୍ତ୍ତମାନର ସ୍ଥିତିକୁ ବିଚାରକୁ ନେଲେ ଏକ ସମ୍ଭାବ୍ୟ ବିଶ୍ବଯୁଦ୍ଧକୁ ଏଡାଇ ଦେଇହେଉନାହିଁ ।