ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି, ସବୁ ଜାଗାରେ ଏହା ଚଳାଇ ହେବ  

ଭୁବନେଶ୍ବର: ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି । ସବୁ ଜାଗାରେ ଏହା ଚଳାଇ ହେବ । ଛୋଟ ଟଙ୍କିକିଆ କଏନ ବନ୍ଦ ହୋଇନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି ।  ଏହି କଏନ ଚାଲୁ ନଥିବା ନେଇ ଯେଉଁ ଗୁଜବ ଉଠୁଛି ଏଥିରେ କୌଣସି ସତ୍ୟତା ନାହିଁ । ଏଥିପାଇଁ ଗ୍ରାହକ ଓ ଦୋକାନୀମାନଙ୍କୁ ସଚେତନ କରିବା ପାଇଁ ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି । ଭୁବନେଶ୍ୱର ରୁଚିକା ମାର୍କେଟରେ ୟୁନିଅନ ବ୍ୟାଙ୍କ ପକ୍ଷରୁ ଆୟୋଜିତ ନୋଟ୍‌ ଓ କଏନ ଏକ୍ସଚେଞ୍ଜ୍‌ ମେଳାକୁ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ଉଦଘାଟନ କରିଥିଲେ ।

ଏହି ଅବସରରେ ସେ ଏହି ସୂଚନା ଦେଇଛନ୍ତି । ପୂଜାଋତୁ ଚାଲୁଥିବାରୁ ବ୍ୟବସାୟୀ ଓ ଦୋକାନୀମାନେ ବ୍ୟାଙ୍କ ଯିବାକୁ ସମୟ ପାଉ ନାହାନ୍ତି । ସେମାନଙ୍କ ସୁବିଧା ପାଇଁ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ମାର୍କେଟରେ ଏଭଳି ମେଳା ଆୟୋଜନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ମେଳାରେ ଲୋକମାନେ ଚିରା, ଫଟା, ପୋଡ଼ା, ପାଣିରେ ନଷ୍ଟ ହୋଇଥିବା କିମ୍ବା ଉଈ ଖାଇଥିବା ନୋଟ ବଦଳାଇ ନୂଆ ନୋଟ୍‌ କିମ୍ବା କଏନ ନେଇ ପାରିବେ ।  ଏହି କାର୍ଯ୍ୟକ୍ରମରେ ୟୁନିଅନ ବ୍ୟାଙ୍କ ଜୋନାଲ ହେଡ୍‌ ସର୍ବେଶ ରଞ୍ଜନ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ମେଳାରେ ବହୁ ସଂଖ୍ୟକ ବ୍ୟବସାୟୀ ଓ ଗ୍ରାହକ ଚିରାଫଟା ନୋଟ୍‌ ବଦଳାଇ ନୂଆ ନୋଟ ନେଇଛନ୍ତି ।