spot_img
Home Blog Page 2895

ସାଇବର ଠକଙ୍କ କବଜାରେ ହୋଟେଲ ୱେବସାଇଟ୍ ଡାଟା

ଭୁବନେଶ୍ବର : ହ୍ୟାକରଙ୍କ ହାତରେ ହୋଟେଲ ଡାଟା । ଭୁବନେଶ୍ବର ସାଇବର ଥାନାରେ ୨୫ ହୋଟେଲ ମାଲିକଙ୍କ ଅଭିଯୋଗ । ସରକାରୀ ଓ୍ବେବସାଇଟ ବି ସାଇବର ଠକଙ୍କ କବଜାରେ । ସେପଟେ OLX ଠକକୁ ବାନ୍ଧିଲା ସାଇବର ପୋଲିସ । ଅବିକଳ ଓ୍ବେବସାଇଟ ଡିଜାଇନ, ଅଜବ ବୁଦ୍ଧି । ଠକଙ୍କ ଜ୍ଞାନ ଆଗରେ ଯେ କେହି ବି ଧୋକା ଖାଇଯିବ । ହୋଟେଲ ଠକେଇ ନେଇ ପ୍ରଥମେ ପୁରୀରୁ ଅଭିଯୋଗ ଆସିବା ପରେ ଭୁବନେଶ୍ବରର ୨୫ ହୋଟେଲ ମାଲିକ ଏ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଟୁରିଷ୍ଟ ଯେତେବେଳେ ଗୁଗୁଲରେ ହୋଟେଲ ନାଁ ସର୍ଚ୍ଚ କରୁଛନ୍ତି, ସେତେବେଳେ ଅରିଜିନାଲ ବଦଳରେ ଡୁପ୍ଲିକେଟ ଓ୍ବେବସାଇଟ ବୁକ କରି ଲକ୍ଷାଧିକ ଟଙ୍କା ହରାଉଛନ୍ତି । ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ହୋଟେଲ ମାଲିକ ସଂଘ ସହ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ ।

ହୋଟେଲର ଆଇଟିକୁ ସୁଦୃଢ଼ କରିବା ଦିଗରେ କ୍ରାଇମବ୍ରାଞ୍ଚ ଏଡିଜି ମତ ଦେଇଥିବା ବେଳେ ହ୍ୟାକରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ୯୦ ପ୍ରତିଶତ ସରକାରୀ ଓ ବେସରକାରୀ ଓ୍ବେବସାଇଟ ହ୍ୟାକରଙ୍କ କବଜାରେ ଥିବା ଜଣାପଡିଛି । କିଛିଦିନ ତଳେ ମୋ ସ୍କୁଲ ର ଅବିକଳ ନକଲ କରି ଚାକିରୀ ପାଇଁ ବିଜ୍ଞପ୍ତି ଦେଇ ଠକେଇ ଘଟଣା ନଜରକୁ ଆସିବା ପରେ ଗଣଶିକ୍ଷା ବିଭାଗ ସଚିବ ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ସପିଙ୍ଗ ସାଇଟ ଜରିଆରେ ଲୋକଙ୍କ ଚୂନ ଲଗାଉଥିବା ଅଭିଯୁକ୍ତ ସିଦ୍ଧାର୍ଥ ପାଣିଗ୍ରାହୀକୁ ପୋଲିସ ଗିରଫ କରିଛି । ୧୦ ଟି ଏସି ଦେବାକୁ କହି ୨ ଲକ୍ଷ ଟଙ୍କା ଚୂନ ଲଗାଇଦେବା ପରେ କରିତକର୍ମାକୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ନାଁ ରେ ଖଣ୍ଡଗିରି, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରହିଛି।

ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା ହେଲେ ସୁବ୍ରତ ବାଗଚୀ

ଭୁବନେଶ୍ବର : ସୁବ୍ରତ ବାଗଚୀ ହେଲେ ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା । ଏନେଇ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବ୍ରତ ବାଗଚୀଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା । ଏହା ପୂର୍ବରୁ ସେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଥିଲେ । ସିଭିଲ ସର୍ଭିସ ପ୍ରଶିକ୍ଷଣ ସଂସ୍ଥା ପାଇଁ କାମ କରିବେ ବାଗଚୀ । ବିଶ୍ବସ୍ତରୀୟ ସୁବିଧା, ସୁଯୋଗ ଓ ପ୍ରଶିକ୍ଷଣ ପାଇଁ କାମ କରିବେ ସୁବ୍ରତ ବାଗଚୀ ।

ଇଂରେଜ ଶାସନ ବିରୋଧରେ କେମିତି ଲଢିଥିଲେ ଓଡ଼ିଆ ବୀର ଦେଖିବ ବିଶ୍ବ

କଟକ : ଓଡ଼ିଆ ସଂଗ୍ରାମୀଙ୍କ କାହାଣୀ ଦେଖିବ ସାରା ବିଶ୍ବ । ଇଂରେଜ ଶାସନ ବିରୋଧରେ କିପରି ଲଢିଥିଲେ ଓଡ଼ିଆ ବୀର । ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମହର୍ଷି । ବ୍ରିଟିଶଙ୍କ ବିରୋଧରେ ଲଢେଇ କରି ପ୍ରଥମ ସହିଦ ହୋଇଥିଲେ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ । ସେହି ଓଡ଼ିଆ ସଂଗ୍ରାମୀଙ୍କ କାହାଣୀକୁ ନେଇ ରିଲିଜ୍ ହୋଇଛି ଫିଲ୍ମ ମହର୍ଷି । କଟକ ବୃନ୍ଦାବନ ଟକିଜରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ମିଳିଛି ଭଲ ରେସପନ୍ସ । ଏଥିରେ ଜୟୀ ରାଜଗୁରୁଙ୍କ ଭୂମିକାରେ ଚନ୍ଦନ କର ନଜର ଆସିଥିବାବେଳେ ରାଜା ମୁକୁନ୍ଦ ଦେବ ଦ୍ବିତୀୟଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀକୁମାର ମୁକେଶ । ଫିଲ୍ମ ରିଲିଜ ଅବସରରେ ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ଦର୍ଶକ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଫିଲ୍ମଟି ଓଡିଶାର 38ଟି ହଲରେ ରିଲିଜ ହୋଇଛି ।

ଫିଲ୍ମର ଅଧିକାଂଶ ସୁଟିଂ ସେଟ VFX , ଗ୍ରାଫିକ୍ସରେ କରାଯାଇଛି । ଫିଲ୍ମର ପ୍ରଯୋଜନା ଏବଂ ଚିତ୍ରନାଟ୍ୟ ନିର୍ଦେଶନା ଭାର ପ୍ରଦୀପ କୁମାର ସାହୁ ସମ୍ଭାଳି ଥିବା ବେଳେ କାହାଣୀ ଲେଖିଛନ୍ତି ପୁଷ୍ପିତା ଶୁକ୍ଳା । ଗୀତ ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ରେ ସଜେଇଛସନ୍ତି ମଳୟ ମିଶ୍ର । ଫିଲ୍ମରେ ଅନନ୍ୟା ଚରିତ୍ରରେ ନଜରକୁ ଆସିଛନ୍ତି ଶ୍ରୀତମ ଦାସ, ଚୌଧୁରୀ ବିକାଶ ଦାସ, ଜୀବନ ପଣ୍ଡା, ଦେବୀ ବାରିକ । ଆଗକୁ ଏହି ଫିଲ୍ମ 5ଟି ଭାଷା ରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛି ସଂସ୍ଥା । ଓଡ଼ିଆ ସ୍ବାଧୀନତା ସଂଗ୍ରାମକୁ ନେଇ ଏପରି ଏକ ଭିନ୍ନ ଚଳଚ୍ଚିତ୍ର ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

କମେଣ୍ଟମରାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ, ୩ ଆହତ

ଭୁବନେଶ୍ବର : ପୁଣି ଅଶାନ୍ତ ବିଜେବି କଲେଜ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ । କଲେଜର ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ । ଗଣ୍ଡଗୋଳ ଘଟଣାରେ ୩ ଜଣ ଯୁକ୍ତ ୩ ଛାତ୍ର ଆହତ ହୋଇଛନ୍ତି । ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏନେଇ ଏତଲା ଦିଆଯାଇଛି । ଗତକାଲିର କମେଣ୍ଟ ମରା ଘଟଣା ପ୍ରିନ୍ସିପାଲଙ୍କୁ ଜଣାଇବାରୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ର ।

ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ସେପଟେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଘଟଣାରେ ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ପୁଣି ସାମ୍ନାକୁ ଆସିଲା ଅନ୍ଧବିଶ୍ବାସର ଚିତ୍ର

ଢେଙ୍କାନାଳ : ସାପ କାମୁଡ଼ାରେ ମୃତ ରୋଗୀଙ୍କୁ ହସ୍ପିଟାଲ ପରିସରରେ ଝଡ଼ାଫୁଙ୍କା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ । ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ ସାପ କାମୁଡିଥିବା ରୋଗୀଙ୍କୁ ବଞ୍ଚାଇବା ପାଇଁ ସମ୍ପର୍କୀୟ ଗୁଣିଆଙ୍କୁ ଧରି ଝଡାଫୁଙ୍କା କରିଛନ୍ତି  l ପ୍ରାୟ ଏକ ଘଣ୍ଟlରୁ ଅଧିକ ସମୟ ଧରି ଝଡାଫୁଙ୍କା ଚାଲିଥିବା ବେଳେ ମେଡିକାଲର ସିକ୍ୟୁରିଟି ଠାରୁ ଅନ୍ୟ ରୋଗୀ ଓ ସମ୍ପର୍କୀୟ ପାଲଟିଥିଲେ ଦେଖାଣାହାରୀ l

କାମାକ୍ଷାନଗର ଥାନା ଏକତାଳି ଗାଁର ନିରଞ୍ଜନ ବିଶ୍ବାଳ ଆଜି ସକାଳୁ ବିଲକୁ ଯାଇଥିବା ବେଳେ କୌଣସି ବିଷଧର ସାପ ସେଠାରେ ତାଙ୍କୁ କାମୁଡିଥିଲା l ପରେ ପରିବାର ଲୋକ ଖବର ପାଇ ନିରଞ୍ଜନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ  l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  l ଡାକ୍ତର ମୃତ ଘୋଷଣା କରିଥିଲେ ମଧ୍ଯ ପରିବାର ଲୋକଙ୍କ ମନ ବୁଝିନଥିଲା । ସେମାନେ ଏକ ଗୁଣିଆକୁ ଡାକି ମେଡିକାଲ ଭିତରେ ଝଡାଫୁଙ୍କା ଆରମ୍ଭ କରିଥିଲେ  l

କୋର୍ଟଙ୍କ ରାୟ ପରେ ରାହୁଲଙ୍କ ପ୍ରଥମ ଟୁଇଟ୍ “ଯାହାବି ଘଟୁ, ମୋ କର୍ତ୍ତବ୍ୟ ସମାନ”

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ । କୋର୍ଟଙ୍କ ରାୟ ପରେ ପ୍ରଥମ ଟୁଇଟ କରି ରାହୁଲ କହିଛନ୍ତି, ଯାହାବି ଘଟୁ, ମୋ କର୍ତ୍ତବ୍ୟ ସମାନ ରହିବ । ଭାରତର ଆଦର୍ଶର ସୁରକ୍ଷା କରିବି ବୋଲି  ରାହୁଲ କହିଛନ୍ତି ।  କଂଗ୍ରେସର ତମାମ ନେତା ମଧ୍ୟ ଟୁଇଟ କରି ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ଘୃଣା ବିରୋଧରେ ପ୍ରେମର ବିଜୟ ହୋଇଛି । ସତ୍ୟମେବ ଜୟତେ, ଜୟହିନ୍ଦ ବୋଲି କଂଗ୍ରେସ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି ।

 

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି- ଗୌତମବୁଦ୍ଧଙ୍କ ବାଣୀ ଅନୁସାରେ ତିନିଟି ଜିନିଷକୁ ଲୁକ୍କାୟିତ କରିରଖାଯାଇପାରିବ ନାହିଁ । ତାହା ହେଲା- ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ । ସେ ସତ୍ୟମେବ ଜୟତେ କହିବା ସହ ସୁପ୍ରିମକୋର୍ଟଙ୍କୁ  ଧନ୍ୟବାଦ ଜଣାଇଛନ୍ତି ପ୍ରିୟଙ୍କା । ଟୁଇଟରରେ ସତ୍ୟବେଦ ଜୟତେ କହି ଭିଡିଓ ପୋଷ୍ଟ କରୁଛନ୍ତି କଂଗ୍ରେସ ନେତା । ରାହୁଲଙ୍କୁ ସାଂସଦ ପଦ ଫେରାଇବା ପ୍ରସଙ୍ଗରେ ବାଚସ୍ପତିଙ୍କୁ ଭେଟିଛନ୍ତି ଲୋକସଭା ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ମିଛ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଫସାଇବାକୁ ଉଦ୍ୟମ କରାଯାଇଥିଲା । ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଅଧୀର ରଞ୍ଜନ ରହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପୁରା ଦେଶ ପାଇଁ ବଡ଼ ବିଜୟ ବୋଲି କହିଛନ୍ତି ଆଲୋକ ଶର୍ମା । ରାହୁଲଙ୍କୁ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ ପରେ ସିଂହ ପୁଣି ସଂସଦରେ ଗର୍ଜିବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । SCଙ୍କ ରାୟ ପୁରା ଦେଶ ପାଇଁ ବିଜୟ ବୋଲି କହିଛନ୍ତି ଆଲୋକ ଶର୍ମା ।

ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ, ରାତି ୧୨ରେ ପିକରେ ପହଞ୍ଚିବ ବନ୍ୟାଜଳ

ସମ୍ବଲପୁର : ଖୋଲିଲା ହୀରାକୁଦର ଆଉ ୫ଟି ଗେଟ । ବର୍ତ୍ତମାନ ମୋଟ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ୬୧୭.୨୫  ଫୁଟରେ ପହଞ୍ଚିଲା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ବର୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୯୨ ହଜାର ୯୧୧ ଘନଫୁଟ ବନ୍ୟାଜଳ  ।ବିଭିନ୍ନ ସ୍ଥାନରେ ବରିଷ୍ଠ ଅଧିକାରୀ ସତର୍କ ରହିଛନ୍ତି । ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୫୬ ହଜାର ୬୭୬ ଘନଫୁଟ ବନ୍ୟାଜଳ  । ସେପଟେ ରାତି ୧୨ଟାରେ ପିକ୍‌ରେ ପହଂଚିବ ବନ୍ୟାଜଳ । ଛତିଶଗଡର ସମୋଦା ବ୍ୟାରେଜର ୮ଟି ଗେଟ୍ ଖୋଲାଯାଇଛି । ୮ଟି ଗେଟ ଦେଇ ସମୋଦାରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଫଳରେ ହୀରାକୁଦର ଜଳସ୍ତର ଆହୁରି ବଢିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ।

ବନ୍ୟାଞ୍ଚଳରେ ବିପନ୍ନଙ୍କୁ ଭେଟିଲେ ବିଜେଡି ନେତା

ବରୀ : ବନ୍ୟା ବିପନ୍ନଙ୍କ ନିକଟକୁ ଯାଇ ଦୁଃଖ ବୁଝିଲେ ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ବିଶ୍ୱ ମଲ୍ଲିକ । ଯାଜପୁରରେ ପ୍ରମୁଖ ତିନୋଟି ନଦୀରେ ବନ୍ୟାଜଳ ଆସିବା ଦ୍ୱାରା ଜିଲ୍ଲାର ଚାରଟି ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି ।  ଯାଜପୁର ,ବରୀ, ଦଶରଥପୁର, କୋରେଇ ବ୍ଲକର ଅନେକ ଗାଁ ଜଳବନ୍ଦି ରହିଛି । ଫଳରେ ଅନେକ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।

ପାଣି ଘେରରେ ରହିଥିବା ଲୋକଙ୍କ ପାଖକୁ ଯାଇ ଦୁଃଖ ବୁଝିବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ବିଶ୍ୱ ମଲ୍ଲିକ । ଆଜି ବରୀ ନିର୍ଵାଚନ ମଣ୍ଡଳୀର ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଥିଲେ ବିଶ୍ୱ ମଲ୍ଲିକ  । ରେବଲ ,ବୋଦୁଅ, ବରୀଲୋ ଗାଁକୁ ଯାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଶୁଖିଲା ଖାଦ୍ୟ ପାଇ ଖୁସି ପ୍ରକାଶ କହିଛନ୍ତି ବନ୍ୟା ବିପନ୍ନ ।

ରଥଯାତ୍ରା ସମୟରେ ଖୋଲିବ ରତ୍ନ ଭଣ୍ଡାର !

ପୁରୀ : ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଗୃହ ଯାଞ୍ଚ କରିବ ଏଏସଆଇ  । ଯାଞ୍ଚ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ବୈଷୟିକ କମିଟି । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ହେବ । ଟିମରେ ଏଏସଆଇ ଓ ପରିଚାଳନା କମିଟି ସଦସ୍ୟ ରହିବେ  । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି  ଲେଖାଯାଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି  । ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ  ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି  । ଦୁଇଟି ଦ୍ବାର ଖୋଲାଯାଇଥିବା ବେଳେ ଆଉ ଦୁଇଟି ଦ୍ବାର ଖୋଲିବା ନେଇ ଆଲୋଚନା ହୋଇଛି  । ପରିକ୍ରମା ପ୍ରକଳ୍ପ ନିର୍ମାଣ ସରିଲା ପରେ ଚାରିଟି ଯାକ ଦ୍ବାର ଖୋଲାଯିବ  ।

ଭଦ୍ରକ ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

ଭଦ୍ରକ : ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରିବା ସହ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ପରେ ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏହାସହ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଗାଈ ଗୋରୁଙ୍କ ପାଇଁ ଗୋ-ଖାଦ୍ୟର ବ୍ୟବସ୍ଥା କରାଯାଉଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରିବାକୁ ପ୍ରାଥମିକତା ଦିଆଯାଇଛି ।  କ୍ଷତିଗ୍ରସ୍ତ ଚାଷ ଜମିର ଅନୁଧ୍ୟାନ କରି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।