ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡିଲା ଛଦ୍ମବେଶ

କୋଣାର୍କ: ବିଜେପି ନେତ୍ରୀଙ୍କୁ ମହଙ୍ଗା ପଡିଲା ଛଦ୍ମବେଶ । କର୍ମୀ ନହୋଇ ବିଜେଡି କାର୍ଯ୍ୟକ୍ରମକୁ ଧସେଇ ପଶି ଆସିବା ତାଙ୍କୁ ଅପଦସ୍ତ କରିଛି । ଏଭଳି ଏକ ରୋଚକ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରେ ।  ଭାରତୀୟ ଜନତା ପାର୍ଟିର ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରାକୁ ଛଦ୍ମବେଶରେ ପଶି ଆସିଥିଲେ । ଏପରିକି ନିଜ ଗାଡିରେ ମଧ୍ୟ ଲଗାଇଥିଲେ ଶଙ୍ଖ ପତାକା । ତେବେ ଜ୍ୟୋସ୍ନାଙ୍କୁ  ଦେଖିବା ପରେ ତାଙ୍କୁ ବିରୋଧ କରିଥିଲେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡିର ଯୁବ କର୍ମୀମାନେ । ଏହାକୁ ନେଇ ଖୁବ୍ ହଟହଟା ହୋଇଥିଲେ ଜ୍ୟୋସ୍ନା । ଏପରିକି ନିଜ ଲଜ୍ଜାକୁ ଲୁଚାଇବାକୁ ଯାଇ ସେ ବିଜେଡି ସଦସ୍ୟଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ନିମାପଡା ନଗର ସଭାପତି କହିଛନ୍ତି । ସେ କହିଛନ୍ତି ଜ୍ୟୋସ୍ନାରାଣୀ ବିଜେପିର ନେତ୍ରୀ । ନିଜ ଦଳର ସକ୍ରିୟ କର୍ମୀ ବୋଲି ସୋସିଆଲ୍ ମିଡିଆରେ ମଧ୍ୟ ପ୍ରମାଣ ରହିଛି । ତାଙ୍କର ଅନେକ ଫଟୋ ଓ ଭିଡିଓ ମଧ୍ୟ ଘୂରି ବୁଲୁଛି । ଏସବୁ ଫଟୋ ଓ ଭିଡିଓ ହିଁ ବୟାନ କରୁଛି ସେ ପଦ୍ମ ଦଳରେ ରହି ଆସିଛନ୍ତି । କେବେ ବି ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ବି ନଥିଲେ । ତେବେ ଜ୍ୟୋସ୍ନା କାହିଁକି ଏମିତି ବିଜେଡି ପଦଯାତ୍ରାକୁ ଆସିଲେ, ତାକୁ ନେଇ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି ।