କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ସମାଲୋଚନା କଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଆଠଗଡ଼ରେ ରଖିଥିବା ଏକ ବୟାନକୁ କାଉଣ୍ଟର କରିବା ସହିତ ତାଙ୍କ ଅଭିଭାଷଣକୁ ମିଛ କହିଛି ବିଜେଡି। ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା ବୋଲି ଧର୍ମେନ୍ଦ୍ର କହିଥିଲେ । ଯାହାକି ସମ୍ପୂର୍ଣ୍ଣ ମିଛ । ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମାଆମାନେ ଗଛ ତଳେ ବସି ମୁଠି ଚାଉଳ ଦେଇ ମିଶନ ଶକ୍ତି ଗଢିଥିଲେ । ମାତ୍ର ତାଙ୍କ କାର୍ଯ୍ୟ ବିଷୟରେ ନଜାଣି କେନ୍ଦ୍ରମନ୍ତ୍ରୀ ବକ୍ତବ୍ୟ ଦେବା ମାଆମାନଙ୍କ ପାଇଁ ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କେନ୍ଦ୍ରମନ୍ତ୍ରୀ ଯେଉଁ ଜାତୀୟ ରାଜପଥରେ ଆଠଗଡ଼ ଯାଇଥିଲେ ତାହା ଶୋଚନୀୟ ହୋଇପଡ଼ିଛି । ଏନଏଚ ୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ କାହିଁକି ଚୁପ୍ ବୋଲି ଇପ୍ସିତା ପ୍ରଶ୍ନ କରିଛନ୍ତି। ଓଡ଼ିଶାର ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେ ନାହିଁ । ଆଠଗଡ଼ ଗସ୍ତ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଜବାହାର ନବୋଦୟ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ ଆଠଗଡ଼ବାସୀ ଉପକୃତ ହୋଇଥାନ୍ତେ। ସଭାରେ ବିଭ୍ରାନ୍ତିକରଣ ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଇପ୍ସିତା କହିଛନ୍ତି ।