ପାଠପଢ଼ା ନାଁରେ ୮୦ ଛାତ୍ରଛାତ୍ରୀଙ୍କୁ ଲୁହା ରଡ଼ରେ ପିଟି ଘାଇଲା କଲେ ଶିକ୍ଷୟିତ୍ରୀ

ଡୋମ୍ବିବାଲି: ମହାରାଷ୍ଟ୍ରର ଡୋମ୍ବିବାଲିରେ ଥିବା ଏସଏଚ ଜୋନ୍ଧଲେ ବିଦ୍ୟାମନ୍ଦିର ଇଂଲିଶ ମିଡିୟମ ସ୍କୁଲରେ ଗଣିତ ଶିକ୍ଷୟିତ୍ରୀଙ୍କ ଅମାନୁଷିକ କାମ । ପାଠ ପଢ଼ା ନାଁରେ ୮୦ ଛାତ୍ରଛାତ୍ରୀଙ୍କୁ ପିଟି ପିଟି କଲେ ଘାଇଲା । କାହାର ବେକ ତ କାହାର ହାତରେ ଲାଗିଛି ଆଘାତ । ଏମିତି କି କିଛି ଛାତ୍ରଛାତ୍ରୀଙ୍କୁ ଲୁହା ରଡ଼ରେ ଶିକ୍ଷୟିତ୍ରୀ ଜଣଙ୍କ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।

ଅଭିଯୁକ୍ତ ଶିକ୍ଷୟିତ୍ରୀ ନିଲମ ଭାଲମଲ କିଛିଦିନ ପୂର୍ବରୁ ସ୍କୁଲରେ ନିଯୁକ୍ତି ପାଇଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ଠିକରେ ପଢ଼ାଉ ନଥିବା ନେଇ ଅଭିଭାବକମାନେ ପ୍ରିନ୍ସପାଲଙ୍କ ପାଖରେ ଅଭିଯୋଗ କରିଥିଲେ । ଶିକ୍ଷୟିତ୍ରୀ ପିଲାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରୁଥିବା ବି ଅଭିଯୋଗ ହୋଇଥିଲା । ଅଭିଭାବକଙ୍କ ଅଭିଯୋଗ ପରେ ପ୍ରିନ୍ସପାଲ ନିଲମଙ୍କୁ ଚେତାବନୀ ଦେଇଥିଲେ । ଅଭିଭାବକଙ୍କ ଅଭିଯୋଗ ପରେ ନିଲମ ରାଗ ମଞ୍ଚ ହୋଇ ଯାଇଥିଲା । ସେ ୫ମ ଓ ୬ଷ୍ଠ ଶ୍ରେଣୀର ଗଣିତରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ।

ଆହତ ଅବସ୍ଥାରେ ପିଲାମାନେ ଘରେ ପହଞ୍ଚିବା ପରେ ଅଭିଭାବକ ଉତ୍ତେଜିତ ହୋଇଥିଲେ । ସେମାନେ ଏକାଠି ହୋଇ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସ୍କୁଲ ପରିସରରେ ହଙ୍ଗାମା କରିଥିଲେ । ଉତ୍ତେଜନାକୁ ଦେଖି ପ୍ରିନ୍ସପାଲ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିନ କରି ଦେଇଥିଲେ । ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଷ୍ଣୁନଗର ଥାନାରେ ଏତଲା ଦେଇଛନ୍ତି । ତାଙ୍କ ବିରୋଧରେ ୩୨୪ ଆଇପିସି ଓ ଶିଶୁ ଅଧିନିୟମ ଧାରା ୨୪ ଅନୁସାରେ ମାମଲା ରୁଜୁ କରାଯାଇଛି ।