ହମାସର ଟପ୍ କମାଣ୍ଡର ବିଲାଲ ମୃତ, ଧ୍ବଂସ ହେଲା ଇସଲାମିକ ଜେହାଦର ହେଡକ୍ବାର୍ଟର

1 min read

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ବଡ଼ ଅପଡେଟ୍ । ଇସ୍ରାଏଲ ରକେଟ୍ ମାଡରେ ହମାସର ଆଉ ଜଣେ ବରିଷ୍ଠ କମାଣ୍ଡାରର ମୃତ୍ୟୁ । ଶନିବାର ରାତିରେ ଏୟାରଷ୍ଟ୍ରାଇକ କରି ଇସ୍ରାଏଲ ସେନା ଦକ୍ଷିଣ ଖାନ ୟୁନିସ ବାଟାଲିୟନର ୯ମ ୟୁନିଟ ଟପ୍ କମାଣ୍ଡର ବିଲାଲ ଅଲ-କଦରାକୁ ମାରିଛି ।

ଇସ୍ରାଏଲ ବାୟୁସେନା ଶନିବାର ରାତିରେ ଗାଜା ପଟିରେ ଥିବା ହମାସ ଆତଙ୍କବାଦୀ ସଙ୍ଗଠନର ଦକ୍ଷିଣ ଖାନ ୟୁନିସ ବାଟାଲିୟନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ମୃତ ବିଲାଲ ଇସ୍ରାଏଲର ବହୁ ଲୋକଙ୍କୁ ହତ୍ୟା କରିବାରେ ଅଭିଯୁକ୍ତ ଥିଲା । ବିଲାଲ ଦକ୍ଷିଣ ଇସ୍ରାଏଲର କିବୁତଜ ନିରିମ ଓ ନିରଓଜ ଅଞ୍ଚଳରେ ପଶି ଖୋଜି ଖୋଜି ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଥିଲା । ହମାସ ସହ କାମ କରିବା ସହିତ ପାଲେଷ୍ଟାଇନ ଇସଲାମିକ ଜେହାଦ ସଙ୍ଗଠନର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିଲା ।

ଇସଲାମିକ ଜେହାଦର ହେଡକ୍ବାର୍ଟର ଧ୍ବଂସ

ଇସ୍ରାଏଲ ଡିଫେନ୍ସ ଫୋର୍ସ ଅନୁସାରେ ଆଇଡିଏଫ ଜେୟତୁନ, ଖାନ ୟୁନିସ ଓ ପଶ୍ଚିମ ଜାବଲିୟାର ଆଖପାଖରେ ଶହେରୁ ଅଧିକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହାସହ ହମାସର ଉକ୍ତ ଅପରେସନାଲ ସ୍ଥାନକୁ ବି ଟାର୍ଗେଟ କରାଯାଇଥିଲା, ଯେଉଁଠୁ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରୁଥିଲେ ।

ଇସ୍ରାଏଲ ଏୟାର ଫୋର୍ସ ହମାସର ଇସଲାମିକ ଜେହାଦ ପରିଷଦ ମୁଖ୍ୟାଳୟ, କମାଣ୍ଡ ସେଣ୍ଟର, ମିଲେଟାରୀ କମ୍ପଲେକ୍ସ, ୧୨ରୁ ଅଧିକ ଲଞ୍ଚିଂ ପ୍ୟାଡ, ,ଆଣ୍ଟି ଟ୍ୟାଙ୍କ ପୋଷ୍ଟ ଓ ଓ୍ବାଚ ଟାଓ୍ବାରକୁ ଧ୍ବଂସ କରି ଦେଇଛି । ଏହି ଆକ୍ରମଣରେ ପାଲେଷ୍ଟାଇନ ଇସଲାମିକ ଜେହାଦ ଆତଙ୍କବାସୀ ସଙ୍ଗଠନର ସୈନ୍ୟ ମୁଖ୍ୟାଳୟକୁ ବି ଇସ୍ରାଏଲ ଧ୍ବଂସ କରିଦେଇଛି ।