ଉଦୟନିଧି ଷ୍ଟାଲିନଙ୍କୁ ବାଧିଲା ପାକିସ୍ତାନ ଖେଳାଳିଙ୍କ ଆଗରେ ଭାରତୀୟ ପ୍ରଶଂସକଙ୍କ ଜୟ ଶ୍ରୀରାମ ନାରା, ଘୃଣ୍ୟ କାମ କହି ହେଲେ ଟ୍ରୋଲ୍

ଚେନ୍ନାଇ: ବିଶ୍ବକପ୍ ମହାମୁକାବିଲାରେ ଗତକାଲି ଭାରତ ୭ ଓ୍ବିକେଟରେ ପାକିସ୍ତାନକୁ ହରାଇଛି । ଏହା ବିଶ୍ବକପରେ ଭାରତର ପାକିସ୍ତାନ ବିପକ୍ଷରେ ଲଗାତାର ୮ମ ବିଜୟ । ବିଶ୍ବକପର ଏହି ହାଇଭୋଲଟେଜ୍ ମ୍ୟାଚ ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା । ପାକିସ୍ତାନୀ ଖେଳାଳିଙ୍କ ଆଗରେ ବି ଭାରତୀୟ କ୍ରିକେଟ୍ ଟିମ ପ୍ରଶଂସକ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ଭାରତର ଦମଦାର ବିଜୟରେ କ୍ରିକେଟ ପ୍ରେମୀଙ୍କ ଏହି ଖୁସି ଉତ୍ସବ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଖେଳମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ବହୁତ ବାଧିଥିଲା । ଉତ୍ତେଜିତ ଉଦୟନିଧି କ୍ରିକେଟ୍ ଫ୍ୟାନଙ୍କ ଏହି ନାରାକୁ ଘୃଣ୍ୟ କାମ କହିବାକୁ ପଛାଇ ନଥିଲେ । ଏନେଇ ଉଦୟନିଧି ଟ୍ବିଟ୍ କରିବା ପରେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଛି ।

ମ୍ୟାଚ୍କୁ ନେଇ ଉଦୟନିଧି ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଥିଲେ । ଏଥିରେ କ୍ରିକେଟ ପ୍ରଶଂସକ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳୁଛି । ହେଲେ ଉଦୟନିଧି କ୍ୟାପସନରେ ଯାହା ଲେଖିଲେ, ତାହା ପ୍ରିକେଟ୍ ପ୍ରେମୀଙ୍କ ହଜମ ହୋଇ ନଥିଲା ଓ ସେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଥିଲା ।

ସେ ତାଙ୍କ କ୍ୟାପସନରେ ଲେଖିଥିଲା, ‘’ଭାରତ ନିଜ ଖେଳ ଭାବନା ଓ ଆତିଥ୍ୟ ପାଇଁ ପରିଚିତ । ହେଲେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ଯେଉଁ ପରି ବ୍ୟବହାର କରାଗଲା ତାହା ନିମ୍ନ ସ୍ତରର । ଖେଳ ଦେଶକୁ ଏକାଠି କରିବାର ଶକ୍ତି ହେବା ଦରକାର । ଏହାଦ୍ବାରା ଭାଇଚାରା ବଢ଼ିଥାଏ । ଘୃଣା ବାଣ୍ଟିବାକୁ ଏହାକୁ ଉପକରଣ ଭାବେ ବ୍ୟବହାର କରିବ ନିନ୍ଦନୀୟ ।’

ଉଦୟନିଧି ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ନିଜ ବୟାନ ଓ ପୋଷ୍ଟକୁ ନେଇ ସେ ବିବାଦରେ ରହିଛନ୍ତି । ସନାତନ ଧର୍ମକୁ ଡେଙ୍ଗୁ ମ୍ୟାଲେରିଆ ରୋଗ କହି ବିବାଦରେ ଫସିଥିଲେ ଉଦୟନିଧି ।