ଗଞ୍ଜାମ: ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଅପହରଣ ଅଭିଯୋଗ । ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ଜାତୀୟ ରାଜପଥ ଏକ ଢ଼ାବା ନିକଟରେ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୁତ୍ତ ମାଉଜର ଦେଖାଇ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ୨ଟି କାର୍ରେ ପ୍ରାୟ ୪ ଜଣ ଯୁବକ ଦୋକାନ ପାଖରେ ପହଂଚି ପିସ୍ତଲ ଦେଖାଇ କେହି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ ଛତ୍ରପୁର ପଟେ ଚମ୍ପଟ ମାରିଥିଲେ l ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ l ଏହାକୁ ବିରୋଧ କରି ଅନ୍ୟ ଦୋକାନୀ ମାନେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ଫଳରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ ଆସିବା ପରେ ସ୍ଥାନୀୟ ଅଂଚଳ ଲୋକ ମାନେ ପ୍ରବଳ ହୋହଲ୍ଲା କରିଥିଲେ l କିଏ କାହିଁକି ୨ଭାଇଙ୍କୁ କିଡନାପ୍ କରିଛି ସ୍ପଷ୍ଟ ହୋଇନି ।
ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ନବୀନଙ୍କ ନାଁରେ ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ନବୀନଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେଲା ନୂଆ ରେକର୍ଡ । ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ ।
ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ । ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ । ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ । ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ । ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ । ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।
୧୭ ପ୍ରସ୍ତାବକୁ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ଚାଷୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ବର: ଆହୁରି ସଶକ୍ତ ହେବ ମିଶନ ଶକ୍ତି । ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଓ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ସେମାନେ ନିଜ ପସନ୍ଦର ସ୍କୁଟର କିଣିବା ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରିପାଇବେ । ଏଥିପାଇଁ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବଜେଟ ନିର୍ଦ୍ଧାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଂଜୁରି ମିଳିଛି । ଏହାସହ ମୋଟ ୧୭ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ସେହପରି କର୍କଟ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂଦେହୀ ଡାକରା । କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା ।
ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ହାତ ଖୋଲି ଦେଲେ ସରକାର । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ଓଡ଼ିଶା ରାଜ୍ୟ ସମବାୟ ବିପ୍ପଣନ ସଂଘ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରିଛନ୍ତି ସରକାର ।
ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାରଙ୍କ ନୂଆ ଯୋଜନା । ପ୍ରତି ଜିଲ୍ଲାରେ କୋଠା ନିର୍ମାଣ କାମ ହେବ ତ୍ବରାନ୍ବିତ । ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ । ଏଥିପାଇଁ ଜଳସଂପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଲା ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ ।
ଏକ ଲକ୍ଷ ଲାଞ୍ଚ ନେଇ ଧରାପଡିଲେ IIC ପୁଷ୍ପଲତା
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ । ବାଲିଘାଟ ଠିକାଦାରଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ସିଜ ହୋଇଥିବା ହାଇୱା ଓ ବାଲିଘାଟରେ ବାଲି ଉଠାଣ ନିୟମ କୋହଳ ପାଇଁ ଅର୍ଥ ଦାବି କରୁଥିଲେ ଆଇଆଇସି । ଆଜି ସମ୍ପୃକ୍ତ ଠିକାଦାର ଲଫାପାରେ ଏକ ଲକ୍ଷ ଟଙ୍କା ଦେଲା ବେଳେ ଧରପଡିଛନ୍ତି ଆଇଆଇସି । ବ୍ରହ୍ମପୁର ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ ।
ଲାଞ୍ଚ ନେଇ ଧରାପଡ଼ିଲେ ପୁଷ୍ପାଙ୍ଗିନୀ, ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଠୁ ନେଉଥିଲେ ୩୧ ହଜାର
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ଜେଣ୍ଡର କୋ-ଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ପୁଷ୍ପାଙ୍ଗିନୀ । 31 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ କରିଥିଲା ଭିଜିଲାନ୍ସ । ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ଆଶ୍ରମ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମିତ୍ରଭାନୁ ମାଝୀଙ୍କ ଠାରୁ ଲାଞ୍ଚ ନେଉଥିଲେ ପୁଷ୍ପାଙ୍ଗିନୀ ।
ୟୁଟିଲାଇଜେସନ ସାର୍ଟିଫିକେଟ ଓ ଏନଓସି ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ପୁଷ୍ପାଙ୍ଗିନୀ । ଆଜି ଲାଞ୍ଚ ଦେବାବେଳେ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହିତ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ଭଡ଼ା ଘର ସହିତ ନୂଆପଡା ଜିଲ୍ଲାର ସଦର ମହକୁମା ଠାରେ ଥିବା ବାସଭବନରେ ଭିଜିଲାନ୍ସର ଦୁଇଟି ଟିମ ଚଢାଉ କରି ତଦନ୍ତ ଆରମ୍ଭ କରିଛି ।
କୋର୍ଟ ଦେଲେ ନିର୍ଦ୍ଦେଶ, ‘ଜ୍ଞାନବାପି’ ପରିସରରେ ସର୍ବେକ୍ଷଣ କରିବ ଏଏସଆଇ
ବାରାଣସୀ: ବିବାଦୀୟ ଜ୍ଞାନବାପି ମସଜିଦ ପରିସରରେ ସର୍ବେକ୍ଷଣ କରିବ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । କେବଳ ବିବାଦୀୟ ସ୍ଥାନକୁ ଛାଡ଼ି ଅନ୍ୟ ସବୁ ଅଞ୍ଚଳର ସର୍ଭେ କରିବ ଏଏସଆଇ । ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ବିନା କ୍ଷତିରେ ସର୍ଭେ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବାରାଣସୀ ଜିଲ୍ଲା ଜଜ୍ । ଜିଲ୍ଲା କୋର୍ଟଙ୍କ ଏଭଳି ନିଷ୍ପତ୍ତି ହିନ୍ଦୁ ପକ୍ଷରୁ ପିଟିସନଧାରୀଙ୍କୁ ଉତ୍ସାହିତ କରିଥିଲା ବେଳେ ମୁସଲିମ ପକ୍ଷ ହାଇକୋର୍ଟ ଯାଇପାରନ୍ତି ବୋଲି ସୂଚନା ମିଳୁଛି ।
ଏ ସଂପର୍କିତ ପିଟିସନର ବିଚାର କରି ଜିଲ୍ଲାଜଜ ସ୍ପଷ୍ଟ କରିଛନ୍ତି, ପ୍ରକୃତ ସତ୍ୟ ଜାଣିବାକୁ ହେଲେ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରିବାକୁ ହେବ । ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଆସନ୍ତା ଅଗଷ୍ଟ ୪ ସୁଦ୍ଧା ସ୍ବତନ୍ତ୍ର କମିଟି ଗଠନ କରିବ । ଏଏସଆଇ ବିବାଦୀୟ ସ୍ଥଳକୁ ଛାଡ଼ି ଜ୍ଞାନବାପି ପରିସରରେ ଥିବା ସବୁ ଅଞ୍ଚଳର ସର୍ଭେ କରିବ । ସର୍ଭେ ରିପୋର୍ଟ କୋର୍ଟଙ୍କ ହସ୍ତଗତ ହେବା ପରେ ଏ ସଂପର୍କରେ ପରବର୍ତ୍ତୀ ଶୁଣାଣି କରାଯିବ । ଶୁଣାଣି ବେଳେ ମୁସଲିମ ପକ୍ଷରୁ ପିଟିସନକୁ ବିଚାରପତି ଖାରଜ କରିଦେଇଥିଲେ ।
ସୂଚନାଯୋଗ୍ୟ, କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ଥିବା ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ରହିଛି । କାଶୀ ବିଶ୍ବନାଥ ମନ୍ଦିରର ଏକ ଅଂଶକୁ ଧ୍ବସଂ କରାଯାଇ ମସଜିଦ ନିର୍ମାଣ କରାଯାଇଛି । ମୁସଲିମ ଶାସକ ଔରଙ୍ଗଜେବଙ୍କ ଶାସନକାଳରେ ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ ହୋଇଥିବା ନେଇ ୧୯୯୧ ମସିହାରେ ବାରାଣସୀର ଏକ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ପରିସରକୁ ଏଏସଆଇ ସର୍ଭେ କଲେ କାନ୍ଥରେ ସ୍ବସ୍ତିକ ଚିହ୍ନ ସହ ଶିବଙ୍କ ଶ୍ଲୋକ ମିଳିବ ବୋଲି ପିଟିସନରେ ଦର୍ଶାଯାଇଥିଲା । ଏହି ମାମଲା ଏଯାଏ ବିଚାରାଧୀନ ରହିଥିଲା ବେଳେ ଜିଲ୍ଲା କୋର୍ଟର ଆଜିର ରାୟ ହିନ୍ଦୁ ପକ୍ଷଙ୍କ ବଡ଼ ବିଜୟ ବୋଲି କୁହାଯାଉଛି ।
ସ୍ପେଶାଲ OJEE ରେଜଲ୍ଟ ପ୍ରକାଶ, ଆବେଦନ କରିଥିଲେ ୨୧ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ
ଭୁବନେଶ୍ବର: ପ୍ରକାଶ ପାଇଲା ଦ୍ୱିତୀୟ ତଥା ସ୍ପେଶାଲ OJEE ରେଜଲ୍ଟ । ଜୁନ୍ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପରୀକ୍ଷାରେ ବି. ଟେକରେ ୮ହଜାର ୬୫୫ଜଣଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡିପ୍ଲୋମା- ୪ହଜାର ୫୬୮ ଛାତ୍ରଛାତ୍ରୀ, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସସି- ୬୪ ଜଣ ଛାତ୍ରଛାତ୍ରୀ, ବି. ଫାର୍ମାରେ ୨ ହାଜର ୪୪୨ , ଏମବିଏ ରେ ୪ହଜାର ୨୮୭, ଏମସିଏରେ ୧ହଜାର ୭୪୩ ଜଣଙ୍କୁ ରାଙ୍କ କାର୍ଡ ମିଳିଛି ।
ଏହି ପରୀକ୍ଷା ପାଇଁ ମୋଟ୍ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ମୋଟ ୩୩ଟି ସ୍ଥାନରେ ୪୭ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଏବେ ଛାତ୍ରଛାତ୍ରୀମାନେ ସେମାନଙ୍କ ରାଙ୍କ କାର୍ଡ OJEE ଓ୍ବେବ୍ସାଇଟ୍ www.ojee.nic.in/odishajee.com ରୁ ଡାଉନ୍ଲୋଡ କରିପାରିବେ । ଡାଉନଲୋଡ ସମୟରେ ନିଜର ଆପ୍ଳିକେସନ୍ ନମ୍ବର ଏବଂ ଜନ୍ମତାରିଖ ପ୍ରଦାନ କରିବାକୁ ପଡିବ ।
ଶ୍ରମିକକୁ ବଞ୍ଚାଇବାକୁ ଯାଇ ମାଲିକ ମୃତ, ପୋଖରୀରେ ପଡି ଚାଲିଗଲା ଶିଶୁପୁତ୍ର ଜୀବନ
ଢେଙ୍କାନାଳ/ଭଦ୍ରକ: ପରଜଙ୍ଗ ଥାନା ସରକିଶୋରପାଳ ଗାଁରେ ଅଭାବନୀୟ ଘଟଣା । କୂଅରେ ପଡି ମାଲିକ ସହ ଶ୍ରମିକ ମୃତ୍ୟୁ ହୋଇଛି । ଶ୍ରମିକକୁ ଉଦ୍ଧାର କରିବାକୁ ଯାଇ ମାଲିକର ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୃତକ ହେଲେ ଶଶୀଭୂଷଣ ସାହୁ ଓ ଭଜମନ ବେହେରା । ପରଜଙ୍ଗ ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଜବତ କରି ତଦନ୍ତ ଚଳାଇଛି ପୋଲିସ ।
ସେପଟେ ପୋଖରୀରେ ପଡ଼ି ୩ ବର୍ଷର ଶିଶୁ ପ୍ରାଣ ହରାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଭୂଇଁବୃତ୍ତି ଗାଁରେ ଏହି ଅଘଟଣ ଘଟିଛି । ପୋଖରୀରେ ପଡ଼ି ତପନ ସେଠୀଙ୍କ ୩ ବର୍ଷର ପୁଅ ସୌମ୍ୟରଞ୍ଜନ ସେଠୀଙ୍କ ମୃତ୍ୟୁ ହୋଇଛି । ଘର ନିକଟରେ ଶିଶୁଟି ଖେଳୁଥିବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ପଡ଼ିଯାଇଥିଲା । ପରିବାର ଲୋକ ଶିଶୁଟିକୁ ପୋଖରୀରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।
ଯଦି ମୁଁ ଦୋଷୀ ତେବେ ଦଣ୍ଡ ସ୍ବୀକାର୍ଯ୍ୟ, ନିର୍ଦ୍ଦୋଷ ଥିଲେ ମୋତେ ଭାରତରେ ରହିବାକୁ ଅନୁମତି ଦିଅ: ସୀମା ହାଇଦର
ନୂଆଦିଲ୍ଲୀ: ଯଦି ମୁଁ ଦୋଷୀ ତେବେ ଦଣ୍ଡ ସ୍ବୀକାର୍ଯ୍ୟ । କିନ୍ତୁ ନିର୍ଦ୍ଦୋଷ ଥିଲେ ମୋତେ ଭାରତରେ ରହିବାକୁ ଅନୁମତି ଦିଅନ୍ତୁ । ଭାରତରେ ମୋ ଜୀବନ ଥିବାବେଲେ ପାକିସ୍ତାନରେ ଲୁଚି ରହିଛି ମୃତ୍ୟୁ । ଦୁଇ ଦିନ ଧରି ୟୁପି ଏଟିଏସର ଜେରା ପରେ ଆଜି ଏପରି ନିବେଦନ କରିଛି ପାକିସ୍ତାନୀ ମହିଳା ସୀମା ହାଇଦର । ପାକିସ୍ତାନ ଗଲେ ସେଠାରେ ତାକୁ ମାରିଦେବେ ବୋଲି ସେ ଆଶଂକା କରିଛି । ଏପରିକି ବେଆଇନ ଅନୁପ୍ରବେଶକାରୀ ଅଟକ କେନ୍ଦ୍ରରେ ମଧ୍ୟ ସେ ରହିବାକୁ ରାଜି ବୋଲି କହିଛି ।
ଯେଉଁଠି ରହିଲେ ବି ଆପତ୍ତି ନାହିଁ କହିବା ସହ ସେ କିନ୍ତୁ ସ୍ବାମୀ ସଚିନ ଓ ଚାରି ପିଲାଙ୍କ ସହ ଏକାଠି ରହିବାକୁ ନିବେଦନ କରିଛି । ଦୁଇ ଦିନର ଏଟିଏସର ଜେରା ପରେ ସୀମା ଓ ସଚିନ ଗ୍ରେଟର ନୋଇଡା ଘରକୁ ଫେରିଛନ୍ତି । ଯଦି ତାଙ୍କୁ ପାକିସ୍ତାନ ପଠାଇ ଦିଆଯାଏ ତେବେ ସେ ଭାରତରେ ଯେକୌଣସି ସ୍ଥାନରେ ରହିବାକୁ ରାଜି । କିନ୍ତୁ ପାକିସ୍ତାନ ଯିବାକୁ ମନା କରିଦେଇଛି । କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା ଅଛି । ସେମାନେ ଏପରି କିଛି କରିବେ ନାହିଁ ବୋଲି ସୀମା ଆଶା କରିଛି ।
ପଶୁପତିନାଥ ମନ୍ଦିରରେ ବିବାହକୁ ପୂଜାରୀ ମନା କରିଥିବା କଥାକୁ ସେ ଟାଳି ଦେଇଛି । ଅତ୍ୟଧିକ ଭିଡ ଥିବାରୁ ସେ ମନ୍ଦିରର ପଛପଟେ ସଚିନକୁ ବିବାହ କରିଥିଲା ବୋଲି କହିଛି । କିନ୍ତୁ ସେଠାରେ ଭିଡିଓ ହୋଇପାରୁନଥିଲା । ତେଣୁ ସିନ୍ଦୂର ଓ ବରଣମାଳା ପକାଇ ବିବାହ କରିବାର ପ୍ରମାଣ ନାହିଁ । କିନ୍ତୁ ବିବାହ ମନ୍ଦିରରେ ହିଁ ହୋଇଛି । ହୋଟେଲରେ ନୁହେଁ ବୋଲି କହିଛି ସୀମା । ଅନ୍ୟପଟେ ପାକିସ୍ତାନରୁ ଦୁବାଇ, ତାପରେ ନେପାଳ ରାସ୍ତା ଦେଇ ଭାରତ ପ୍ରବେଶ ରୁଟର ନେଟୱର୍କକୁ ନେଇ ଖୋଳତାଡ଼ ଜାରି ରଖିଛି । କିଏ କିଏ ସୀମାକୁ ସହଯୋଗ କରିଛନ୍ତି, କେଉଁ ମୋବାଇଲ ନମ୍ବର ବ୍ୟବହାର ହୋଇଥିଲା ତାକୁ ନେଇ ଅନୁସନ୍ଧାନ ଚଲାଇଛି ।
ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ବାସଭବନରେ ପ୍ରବେଶ ଉଦ୍ୟମ ବେଳେ ବନ୍ଧୁକଧାରୀ ଯୁବକ ଗିରଫ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ମମତାଙ୍କ ବାସଭବନରେ ପ୍ରବେଶ ଉଦ୍ୟମ କରୁଥିବା ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନିଶସକ୍ତ ଅବସ୍ଥାରେ ଥିବା ପୋଲିସ କହିଛି । ତାଙ୍କ ନିକଟରୁ ଏକ ବନ୍ଧୁକ, ଛୁରି ଓ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତ ଆସିଥିବା କାରରେ ପୋଲିସ ଷ୍ଟିକର ଲାଗିଛି । ଏହାଛଡ଼ା ଅଭିଯୁକ୍ତଠାରୁ ବିଭିନ୍ନ ଏଜେନ୍ସିର ଆଇ-କାର୍ଡ ମଧ୍ୟ ପୋଲିସ ଜବତ କରିଛି । ଯୁବକ ଜଣଙ୍କ ହେଲେ ଶେଖ ନୁର ଆମିନ । କେଉଁ ଉଦ୍ଦେଶ୍ୟରେ ସେ ମମତାଙ୍କ ବାସଭବନରେ ପ୍ରବେଶ କରୁଥିଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ମମତାଙ୍କ ପାଖରେ ରହିଛି ଜେଡ୍ ପ୍ଲସ୍ ସୁରକ୍ଷା ।

