ଚା’ ଦୋକାନରେ ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଅପହରଣ ଅଭିଯୋଗ

1 min read

ଗଞ୍ଜାମ: ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଅପହରଣ ଅଭିଯୋଗ । ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ଜାତୀୟ ରାଜପଥ ଏକ ଢ଼ାବା ନିକଟରେ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୁତ୍ତ ମାଉଜର ଦେଖାଇ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।  ୨ଟି କାର୍‌ରେ ପ୍ରାୟ ୪ ଜଣ ଯୁବକ ଦୋକାନ ପାଖରେ ପହଂଚି ପିସ୍ତଲ ଦେଖାଇ କେହି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ଗାଡ଼ିରେ ବସାଇ ଛତ୍ରପୁର ପଟେ ଚମ୍ପଟ ମାରିଥିଲେ l ଏନେଇ ସଙ୍ଗେ ସଙ୍ଗେ ପରିବାର ଲୋକ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ l ଏହାକୁ ବିରୋଧ କରି ଅନ୍ୟ ଦୋକାନୀ ମାନେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ଫଳରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ ଆସିବା ପରେ ସ୍ଥାନୀୟ ଅଂଚଳ ଲୋକ ମାନେ ପ୍ରବଳ ହୋହଲ୍ଲା କରିଥିଲେ l କିଏ କାହିଁକି ୨ଭାଇଙ୍କୁ କିଡନାପ୍ କରିଛି ସ୍ପଷ୍ଟ ହୋଇନି ।