ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନଙ୍କ ନାଁରେ ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ନବୀନଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେଲା ନୂଆ ରେକର୍ଡ । ୨୦୦୦ ମସିହା ମାର୍ଚ୍ଚ ୫ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ବର୍ଷ ଜନସେବାରେ ଏଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ ।

ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହୋଇଛି ନୂଆ ରେକର୍ଡ । ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ । ୧୯୯୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ । ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ । ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ  । ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜି ନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।