୧୭ ପ୍ରସ୍ତାବକୁ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ଆହୁରି ସଶକ୍ତ ହେବ ମିଶନ ଶକ୍ତି । ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଓ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ । ସେମାନେ ନିଜ ପସନ୍ଦର ସ୍କୁଟର କିଣିବା ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରିପାଇବେ । ଏଥିପାଇଁ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବଜେଟ ନିର୍ଦ୍ଧାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଂଜୁରି ମିଳିଛି । ଏହାସହ ମୋଟ ୧୭ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର । ସେହପରି କର୍କଟ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂଦେହୀ ଡାକରା । କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ନୂଆ ଯୋଜନା ।

ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଚାଷୀ ମାନଙ୍କ ଆର୍ଥିକ ବିକାଶ ପାଇଁ ହାତ ଖୋଲି ଦେଲେ ସରକାର । ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ । ଚଳିତ ଆର୍ଥିକ ବର୍ଷରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ସେହିପରି ଓଡ଼ିଶା ରାଜ୍ୟ ସମବାୟ ବିପ୍ପଣନ ସଂଘ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରିଛନ୍ତି ସରକାର ।

ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାରଙ୍କ ନୂଆ ଯୋଜନା । ପ୍ରତି ଜିଲ୍ଲାରେ କୋଠା ନିର୍ମାଣ କାମ ହେବ ତ୍ବରାନ୍ବିତ । ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ । ଏଥିପାଇଁ ଜଳସଂପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ସେମିକଣ୍ଡକ୍ଚର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଲା ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ ।